ବଲାଙ୍ଗିର: ନା ଥିଲା ତାର ଟାଇସନ। ବୟସ କହିଲେ ମାତ୍ର ୩ ବର୍ଷ ହେଉଥିଲା। ସେ ଗୋଟେ ସାଧାରଣ କୁକୁର ନଥିଲା। ବରଂ ପୁଲିସ ବିଭାଗର ଅସାଧାରଣ କାମକୁ ଅତି ସହଜ କରି ଦେଉଥିଲା। ସେ ଚୋରି ହେଉ କି ହତ୍ୟାକାଣ୍ଡ। ଅପରାଧ ଭିଆଇ ଥିବା ଅପରାଧୀ ପାଖରେ ପହଞ୍ଚାଇବାର ରାସ୍ତା ବାହାର କରୁଥିଲା। ଅପରାଧୀ ଯେତେ ଚାଲାକ ହେଲେ ବି ଶେଷରେ ପୁଲିସ ହାତରେ ଧରାପଡୁଥିଲା। ଆଉ ଅପରାଧିକ ତଦନ୍ତ ସମୟରେ ସନ୍ଧାନୀ କୁକୁର ଟାଇସନକୁ ଦେଖିବାକୁ ମିଳିବନି। ଗତ ୯ ଅକ୍ଟୋବର ରାତିରେ ତାର ମୃତ୍ୟୁ ହୋଇଯାଇଛି। ହେଲେ ସନେ୍ଧହ ଘେରରେ ସନ୍ଧାନୀ କୁକୁର ଟାଇସନର ମୃତ୍ୟୁ।
ପଶ୍ଚିମ ଓଡିଶାର ସମ୍ବଲପୁର ପରେ ବଲାଙ୍ଗିର ଜିଲା ପୁଲିସରେ ସନ୍ଧାନୀ କୁକୁର ରହିଥିବା ଜଣାଯାଏ। ଦୈନନ୍ଦିନ ହତ୍ୟା, ଚୋରି ଘଟଣାରେ ଏହି କୁକୁରର ସହାୟତା ନିଆଯାଏ। କେବଳ ବଲାଙ୍ଗିର ଜିଲା ନୁହେଁ ଟାଇସନ ଉପରେ ସୋନପୁର, ବରଗଡ, ନୂଆପଡା, କଲାହାଣ୍ଡି ଜିଲା ପୁଲିସ ମଧ୍ୟ ନିର୍ଭରଶୀଳ। ଗଲା ୨୦୧୮ ମସିହାରେ ବଲାଙ୍ଗିର ଜିଲା ପୁଲିସକୁ ଆସିଥିବା ବେଳେ ଏଇ ଗଲା ୩ ବର୍ଷ ମଧ୍ୟରେ ୩ ଶହରୁ ଊର୍ଦ୍ଧ୍ବ କେସରେ ସେ ବିଭିନ୍ନ ସମୟରେ ସେ ସେବା ଦେଇଥିବା ଜଣାଯାଏ। ପଶ୍ଚିମ ଓଡିଶାରେ ପୁଲିସ ବିଭାଗର ତଦନ୍ତ ପ୍ରକ୍ରିୟାରେ ଟାଇସନ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ପୁଲିସ ମଧ୍ୟ ଅନେକ ସଫଳତା ପାଇଛି। ତେବେ ଗଲା ଅକ୍ଟୋବର ୯ ତାରିଖ ଦିନ କଣ୍ଟାବାଞ୍ଜି ରେଳ ଲାଇନରୁ ଜିଆରପି ଏକ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା। ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ତାଙ୍କ ପୁଅକୁ ହତ୍ୟା କରାଯାଇଛି ବୋଲି ଦାବି କରିଥିଲେ। ପୁଲିସ ଠିକରେ ତଦନ୍ତ କରୁ ଓ ହତ୍ୟାକାରୀଙ୍କୁ ଚିହ୍ନଟ କରିବା ସହ ଦୋଷୀ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ପୁଲିସ କିନ୍ତୁ ଘଟଣା ହତ୍ୟା ନା ଯୁବକଙ୍କ ନିଜେ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଛନ୍ତି ବେଶ ଦ୍ୱନ୍ଦରେ ରହିଥିଲା। ତେବେ ଏହି ଘଟଣାର ଆହୁରି ଅଧିକ ତଦନ୍ତ କରିବା ପାଇଁ କଣ୍ଟାବଞ୍ଜି ପୁଲିସ ସନ୍ଧାନୀ କୁକୁର ସ୍କ୍ୱାର୍ଡର ସହାୟତା ନେଇଥିଲା। ଡଗ ମାଷ୍ଟର ବା ହେଣ୍ଡେଲର କନଷ୍ଟେବଲ ନରେନ୍ଦ୍ର ପୁଟେଲ ଟାଇସନକୁ ନେଇ ସାଇଣ୍ଟିଫିକ ଟିମ ସହ କଣ୍ଟାବାଞ୍ଜିକୁ ଯାଇଥିଲେ। ତେବେ ଅପରାହ୍ନରେ ଟାଇସନ ଅସୁସ୍ଥ ଅନୁଭବ କରିବା ପରେ ତାକୁ କଣ୍ଟାବାଞ୍ଜି ପ୍ରାଣୀଧନ ଚିକିତ୍ସାଳୟରେ ଭତ୍ତି କରାଯାଇଥିଲା। ସେଠାରେ ଟାଇସନ ବାନ୍ତି କରିବା ସହ ମଳତ୍ୟାଗ କରିଥିଲା। କୁକୁରକୁ ଚିକିତ୍ସା କରିଥିବା ପଶୁ ଡାକ୍ତର ସିଦ୍ଧାନ୍ତ ସେଠ୍ କହିଛନ୍ତି ଯେ,ଗୁରୁତର ଅଂଶୁଘାତର ଶିକାର ହୋଇଥିଲା। ବେଶ ଅଣନିଶ୍ୱାସୀ ହୋଇଯାଇଥିଲା। ପୁଲିସ ବେଶ ଗୁରୁତର ଅବସ୍ଥାରେ ଆଣିଥିଲେ। ତାକୁ ଯାହା ଜରୁରୀ ଚିକିତ୍ସା କରିବା ଥିଲା କରାଯାଇଥିଲା। ଇଞ୍ଜେକସନ ଓ ସାଲାଇନ ଦେଲା ପରେ ଟିକିଏ ଆକ୍ଟିଭ ହୋଇଥିଲା। ଯେହେତୁ ସେ ଦିନ ରାତିରେ ମୁଁ ଜରୁରୀ କାମରେ ଘରକୁ ଯିବାର ଥିଲା ଓ ଛୁଟି ମଞ୍ଜୁର ହୋଇସାରିଥିଲା। ତେଣୁ ଆବଶ୍ୟକୀୟ ଔଷଧ ସହ ତାଙ୍କୁ ଧ୍ୟାନ ରଖିବାକୁ ପରାମର୍ଶ ଦେଇଥିଲି। ରାତି ସାଢେ ୮ଟାରେ ଟ୍ରେନ ଯୋଗେ ଘରକୁ ବାହାରିଥିଲି। ପ୍ରାୟ ସାଢେ ୯ଟା ବେଳକୁ ଫୋନ ଯୋଗେ ପୁଲିସର ସନ୍ଧାନୀ କୁକୁରର କଣ୍ଟାବାଞ୍ଜି ଥାନାରେ ମୃତ୍ୟୁ ହୋଇଯାଇଥିଲା ବୋଲି ଖବର ପାଇଲି ବୋଲି ପଶୁ ଡାକ୍ତର ସେଠ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତେବେ ରାତାରାତି ପୁଲିସ ଗାଡି ଯୋଗେ ମୃତ ଟାଇସନକୁ ଆଣି ରିଜର୍ଭ ସ୍ଥିତ ଡଗ୍ ସ୍କ୍ୱାର୍ଡ ଘର ପଛ ପଟେ ପୋତି ଦିଆଯାଇଥିଲା। ଯାହା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ପୁଲିସ ବିଭାଗ ପାଇଁ ନିଜ ପ୍ରାଣବଳୀ ଦେଇଥିବା ଟାଇସନକୁ ଶେଷ ସମୟରେ ସମ୍ମାନ ଟିକକ ବି ପୁଲିସ ବିଭାଗ ପକ୍ଷରୁ ମିଳିଲାନି। ଯେଉଁଠି ବଡ ବଡ ପୁଲିସ ଅଧିକାରୀ ତଦନ୍ତରେ ଫେଲ ମାରୁଥିଲେ ସେଠି ପୁଲିସକୁ ସଫଳତା ଦେଉଥିବା ଟାଇସନକୁ ଶେଷ ସମ୍ମାନରୁ ବଞ୍ଚିତ କରିବାର କାରଣ କଣ ହୋଇପାରେ? ପୁଣି ଏହି ସନ୍ଧାନୀ କୁକୁର ମୃତ୍ୟୁ ଦିନ ରାତି ଅଧିଆ ପୋତିଦେବା ପଛରେ କଣ ରହସ୍ୟ ରହିଛି? ବଲାଙ୍ଗିର ଏସପି ଏମ ସନ୍ଦୀପ ସମ୍ପଦ ବିଭିନ୍ନ ସମୟରେ ଟ୍ୱିଟର ଯୋଗେ ବିଭିନ୍ନ ସୂଚନା ପ୍ରଦାନ କରୁଥିବା ବେଳେ ସେ ମଧ୍ୟ ଏହି ଘଟଣାରେ ଚୁପ୍। ସନ୍ଧାନୀ କୁକୁର ଓ ତାର ରକ୍ଷଣା ବେକ୍ଷଣ ପାଇଁ ରାଜ୍ୟ ସରକାର ମାସକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଟାଇସନର ମୃତ୍ୟୁକୁ ସହଜରେ ଗ୍ରହଣ କରାଯାଇପାରୁ ନାହିଁ। ସନ୍ଧାନୀ କୁକୁର ମୃତ୍ୟୁକୁ ନେଇ ସନ୍ଧାନ କରାଗଲେ ଅନେକ ଗୁମର ଫିଟିବ ବୋଲି ବିଭାଗୀୟ ସ୍ତରରେ ମତପ୍ରକାଶ ପାଉଛି।



