bjd gruha runa banner

ମନ୍ତ୍ରସ୍ରଷ୍ଟା ଓ ମନ୍ତ୍ରଦ୍ରଷ୍ଟା

bjd  ek lkhya koti banner

ମୋହନ ଦାସ କରମଚାନ୍ଦ ଗାନ୍ଧୀ – ଜଣେ ବ୍ୟକ୍ତିତ୍ୱ ନା ଏକ ବିଚାର? – ସେ ସଂଗ୍ରାମୀ ନା ସାଧକ? – ସେ ଏକ ଆଦର୍ଶ ନା ମୂଲ୍ୟବୋଧ? – ସେ ପୂଜ୍ୟ ନା ପୂଜାରୀ? – ଆଜି ୧୫୦ତମ ଜୟନ୍ତୀରେ ଏହି ସବୁ ପ୍ରଶ୍ନ ବୋଧହୁଏ ମୂଲ୍ୟହୀନ। କାରଣ ସେ ପ୍ରଶ୍ନାତୀତ ଓ କାଳାତୀତ। ସମୟ ତାଙ୍କୁ ବାନ୍ଧି ରଖିପାରିନି ଶତାବ୍ଦୀର ଏକ କାଳଖଣ୍ଡ ଓ ନିର୍ଦିଷ୍ଟ ଭୌଗୋଳିକ ସୀମା ଭିତରେ। ଊନବିଂଶ ଓ ବିଂଶ ଶତାବ୍ଦୀର କର୍ମମୟ ଜୀବନ ଓ ଦର୍ଶନ ତାଙ୍କୁ ଏକବିଂଶ ଶତାବ୍ଦୀରେ ମଧ୍ୟ ଜୀବନ୍ତ କରି ରଖିଛି। ଆଗାମୀ ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ସମଗ୍ର ବିଶ୍ୱକୁ ଆଲୋକିତ କରିରଖିଥିବ ତାଙ୍କର ଆଦର୍ଶ, ଚିନ୍ତା ଓ ଚେତନା। ‘ଗାନ୍ଧିଜୀ’ କେବଳ ଏକ ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ପରିଚୟ ନୁହେଁ; ବିଚାରର ଏକ ପରିବ୍ୟାପ୍ତ ପରିଧି। ସେ ସଂଗ୍ରାମ ଓ ସାଧନାର ଏକ ଅପୂର୍ବ ସମନ୍ୱୟ। ମାନବ ଜାତିର ଆଦର୍ଶ ଓ ମାନବିକତାର ମୂଲ୍ୟବୋଧ। ସେ ପୂଜକ ସତ୍ୟର ଆଉ ପୂଜ୍ୟ ବିଶ୍ୱ ମାନବର। ଶାସନ, ପ୍ରଶାସନ, ରାଜନୀତି, ଅର୍ଥନୀତି, ପରିବାର, ସମାଜ ପାଇଁ ‘ଗାନ୍ଧୀ ବିଚାର’ ଏକ ସ୍ୱୟଂ ସଂହିତା। ସେ ବିଶ୍ୱ ସଭ୍ୟତା ଓ ବିକାଶର ମନ୍ତ୍ରଦ୍ରଷ୍ଟା। ଗାନ୍ଧିଜୀଙ୍କ ସେହି ସଂହିତା ଓ ମନ୍ତ୍ର ଯଦି କାହାର ଅନ୍ତର୍ଦୃଷ୍ଟିରେ ସର୍ବାଦୌ ପ୍ରତିଫଳିତ ହୋଇଥିଲା ସେ ହେଉଛନ୍ତି ଶାନ୍ତିର କପୋତ ଲାଲ୍ ବାହାଦୁର ଶାସ୍ତ୍ରୀ। ଗାନ୍ଧିଜୀ ଯଦି ଏକ ପଥ ହୁଅନ୍ତି ତେବେ ଶାସ୍ତ୍ରିଜୀ ସେ ପଥର ପ୍ରଦର୍ଶକ। ଗାନ୍ଧିଜୀଙ୍କ ବିଚାର ଯଦି ରାଷ୍ଟ୍ରନେତାଙ୍କ ପାଇଁ ଆଇନ ଭାବରେ ପରିଗଣିତ ହୁଏ ତେବେ ଶାସ୍ତ୍ରିଜୀଙ୍କ କାର୍ଯ୍ୟଧାରା ତାର ନିୟମାବଳୀ। ଗାନ୍ଧୀ ଦର୍ଶନ ଯଦି ଏକ ତତ୍ତ୍ୱ ହୁଏ ଶାସ୍ତ୍ରିଜୀଙ୍କ ଜୀବନ ତା’ର ଏକ ପ୍ରୟୋଗଶାଳା। ତେଣୁ ଯଥାର୍ଥରେ ଶାସ୍ତ୍ରିଜୀ ଗାନ୍ଧୀଦର୍ଶନର ମନ୍ତ୍ରଦ୍ରଷ୍ଟା। ବିରଳ ସଂଯୋଗ ବଶତଃ ଆମେ ଏହି ଦୁଇ ମହାମନୀଷୀ ଜନନାୟକଙ୍କ ଜନ୍ମଦିବସରେ ଏକତ୍ର ଶ୍ରଦ୍ଧାସୁମନ ଅର୍ପଣ କରିବାର ସୁଯୋଗ ଲାଭ କରି ଆସୁଛେ।
ଭାରତର ଏହି ଦୁଇ ଯୋଗଜନ୍ମା ବରପୁତ୍ରଙ୍କ ପୁଣ୍ୟତିଥି ଆଜି ଆମେ ଏପରି ଏକ ସମୟରେ ପାଳନ କରୁଛେ ଯେତେବେଳେ କରୋନା ମହାମାରୀର ପ୍ରକୋପରେ ସମଗ୍ର ବିଶ୍ୱ ପ୍ରଭାବିତ ଓ ବିଶ୍ୱବାସୀ ଆତଙ୍କିତ। ମହାମାରୀ ପ୍ରଭାବରେ ଭାରତରେ ଆଜି ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ତାର ପୃଷ୍ଠଭୂମିରେ ସେହି ମନ୍ତ୍ରସ୍ରଷ୍ଟା ଓ ମନ୍ତ୍ରଦ୍ରଷ୍ଟାଙ୍କ ଅଭାବବୋଧ ଅନୁଭୂତ ହେଉଛି। ମନ୍ତ୍ରସ୍ରଷ୍ଟାଙ୍କ ଦର୍ଶନ ଓ ମନ୍ତ୍ରଦ୍ରଷ୍ଟାଙ୍କ ଜୀବନକୁ ଯଦି ପରବର୍ତ୍ତୀ ପିଢ଼ିର ରାଷ୍ଟ୍ରନେତାମାନେ ଅନୁସରଣ କରିଥାନ୍ତେ ତେବେ ସ୍ୱାଧୀନତାର ୭୩ବର୍ଷ ପରେ ମଧ୍ୟ କ୍ଷେତ ଛାଡ଼ି କୃଷକମାନେ ଆଜି ରାଜରାସ୍ତାକୁ ଆସି ନଥା’ନ୍ତେ। କୋଟି କୋଟି ଯୁବକଯୁବତୀଙ୍କୁ ଜୀବନଜୀବିକାର ସନ୍ଧାନରେ ଗାଁ ଛାଡ଼ି ସହରାଭିମୁଖୀ ହେବାକୁ ପଡ଼ି ନଥା’ନ୍ତା। ଭାରତ ବିଭାଜନ ସମୟର କରୁଣ ଦୃଶ୍ୟ ଆଜି ଆମକୁ ପୁଣି ଥରେ ଦେଖିବାକୁ ପଡ଼ି ନଥା’ନ୍ତା। ବୁଣାକାରଟିଏ ନିଜ ବସନ ପାଇଁ ସମ୍ବଳ ଯୋଗାଡ଼ କରିବାରେ ଅସହାୟ ହୋଇ ନଥା’ନ୍ତା। ଅର୍ଦ୍ଧରାତ୍ରିରେ ମଧ୍ୟ ମହିଳମାନେ ନିର୍ଭୟରେ ସୁରକ୍ଷିତ ଭାବେ ଘରକୁ ଫେରିପାରୁଥା’ନ୍ତେ। ଜାତିଆଣ ରାଜନୀତିରେ ଦଳିତ ଓ ନିଷ୍ପେଷିତମାନଙ୍କ ଆର୍ତ୍ତଚିତ୍କାର ଆକୁମାରୀକାଶ୍ମୀର ଶୁଭୁନଥା’ନ୍ତା। ଦେଶମାତୃକାର ସେବା, ବଳିଦାନ ଓ ତ୍ୟାଗର ପ୍ରତିଦାନ ପାଇବା ପାଇଁ ସୈନିକଟିକୁ କୋର୍ଟକଚେରିକୁ ଯିବାକୁ ପଡ଼ୁନଥା’ନ୍ତା। ଶ୍ୱେତ ବିପ୍ଳବର ବନ୍ୟା ଆଜି ରାଜରାସ୍ତାକୁ ପ୍ଲାବିତ କରୁ ନଥା’ନ୍ତା। ସବୁଜ ବିପ୍ଲବ ଦିଗଭ୍ରଷ୍ଟ ହୋଇ ପରିବେଶ ପାଇଁ ଆତଙ୍କ ସୃଷ୍ଟି କରୁନଥା’ନ୍ତା।
ଆଜି ଭାରତର ଅଶାନ୍ତ ସୀମା, ଗାଁର ଉଜୁଡ଼ି ଯାଇଥିବା ସବୁଜିମା ଖୋଜୁଛି ଶାସ୍ତ୍ରିଜୀଙ୍କ ଭଳି ରାଷ୍ଟ୍ରନାୟକମାନଙ୍କୁ। ଗାଁର ପ୍ରତିଟି କୁଟୀର ଅଗଣାରେ ଭାରତର ଆତ୍ମା ଖୋଜୁଛି ଗାନ୍ଧିଜୀଙ୍କ ଅବତାରମାନଙ୍କୁ। ନ୍ୟାୟାଳୟର କାଠଗଡ଼ା ଭିତରୁ ପ୍ରତିଧ୍ୱନିତ ହେଉଛି ରାମରାଜ୍ୟର ସ୍ୱପ୍ନ ଓ ବାସ୍ତବତା ମଧ୍ୟରେ ଅହରହ ସଂଘାତର ଗୁଞ୍ଜରଣ। କାର୍ଯ୍ୟପାଳିକାର ଅଳନ୍ଧୁ ଭିତରେ ହଜିଯାଇଛି ମହାମାନ୍ୟବରଙ୍କ ସେହି ପରଶମଣି। ବ୍ୟବସ୍ଥାପିତାର କୋଳାହଳ ଭିତରେ ନିଷ୍ପ୍ରଭ ହୋଇଯାଉଛି ଗ୍ରାମ ସ୍ୱରାଜର ସ୍ୱର।
ଏହି ସମୟରେ ପୁଣି ଏକ ପ୍ରଶ୍ନ ଜନମାନସରେ ଆନ୍ଦୋଳିତ ହେଉଛି – ମନ୍ତ୍ରସ୍ରଷ୍ଟା ଓ ମନ୍ତ୍ରଦ୍ରଷ୍ଟାମାନଙ୍କୁ ଆଜି ଆମେ ଗୁରୁତ୍ୱହୀନ କହି ଭୁଲ୍ କରୁନାହୁଁ ତ? ଏହାର ଉତ୍ତର ହେବ ‘ହଁ’। ଭାରତର ଆତ୍ମା ବଞ୍ଚିଥିବା ଗାଁର ଶାଶ୍ୱତ ସଂସ୍କୃତି, ନିର୍ମଳ ପରିବେଶ, ସେହି ଦୁର୍ମୂଲ୍ୟ ପରଶମଣିକୁ ଆମକୁ ପୁନରୁଦ୍ଧାର କରିବାକୁ ପଡ଼ିବ। ରାମ ମନ୍ଦିରର ଭୂମି ପୂଜନ ସରିଗଲା। ଏବେ ରାମରାଜ୍ୟର ଭିତ୍ତି ସ୍ଥାପନା କରିବାକୁ ହେବ। ତା ହେଲେ ଯାଇ ଗ୍ରାମ ସ୍ୱରାଜର ପରିକଳ୍ପନା ସାକାର ହେବ। ମନ୍ତ୍ରସ୍ରଷ୍ଟାଙ୍କ ଏକାଦଶୀ ବ୍ରତ ପାଳନ ପୂର୍ବକ ସପ୍ତପାପାଚାରରୁ ନିବୃତ୍ତ ରହି ମନ୍ତ୍ରଦ୍ରଷ୍ଟାଙ୍କୁ ଅନୁସରଣ କଲେ ରାମରାଜ୍ୟ ସ୍ୱତଃ ପ୍ରତିଷ୍ଠା ହେବ। ଆଜିର ପୁଣ୍ୟତିଥି ହିଁ ରାମ ରାଜ୍ୟ ପ୍ରତିଷ୍ଠା ପାଇଁ ସଂକଳ୍ପ ନେବାର ମହାର୍ଘ ମୁହୂର୍ତ୍ତ।

Comments are closed.