କୃଷି ବିଧେୟକକୁ ବିରୋଧ; ତେଜିଲା କୃଷକ ଆନ୍ଦୋଳନ

ଅମୃତସର : ସଂସଦରେ ଆଗତ କୃଷି ସଂକ୍ରାନ୍ତ ବିଧେୟକକୁ ବିରୋଧରେ ପଞ୍ଜାବ ଓ ହରିୟାଣାରେ କୃଷକ ଆନ୍ଦୋଳନ ଜୋର ଧରିଛି। କୃଷକଙ୍କ ଏହି ଆନ୍ଦୋଳନକୁ ଶାସକ ଦଳ ବିଜେପିର ସହଯୋଗୀ ଶିରୋମଣି ଅକାଳି ଦଳ (ଏସଏଡି) ଓ ଜନନାୟକ ଜନତା ପାର୍ଟି (ଜେଜେପି) ସମର୍ଥନ କରିଛି। ସଂସଦରେ ଆଗତ କୃଷି ବିଧେୟକକୁ ବିରୋଧ କରି ଗୁରୁବାର ଶିରୋମଣି ଅକାଳି ଦଳର ନେତ୍ରୀ ହରସିମରତ୍‍ କୌର ବାଦଲ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ହରିୟାଣାରେ ବିଜେପିର ସହଯୋଗୀ ଜେଜେପିର ମୁଖ୍ୟ ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ସିଂହ ଚୌତାଲା ଆଗତ କୃଷି ବିଧେୟକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହିତ ଆଲୋଚନା କରିଛନ୍ତି। ଚୌତାଲା କହିଛନ୍ତି ଯେ କୃଷକଙ୍କ ରୋଜଗାରକୁ ଦ୍ୱିଗୁଣିତ କରିବା ଲାଗି ସରକାର ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିବାବେଳେ ଏବେ ସେମାନଙ୍କ ରୋଜଗାର କମାଇବାକୁ ଯୋଜନା କରାଯାଇଛି। ବିଜେପି ନେତୃତ୍ୱ ହରିୟାଣା ସରକାରରେ ଜେଜେପିର ୧୦ ବିଧାୟକ ଅଛନ୍ତି। ଜେଜେପି ଓ ଏସ୍‍ଏଡି କହିଛି ଯେ ରାଜ୍ୟର କୃଷକଙ୍କ ସ୍ୱାର୍ଥ ସେମାନଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ। କୃଷକଙ୍କ ସମର୍ଥନରେ ସେମାନେ କ୍ଷମତାରେ ରହିଛନ୍ତି। ତେଣୁ ଆଗାମୀ ଦିନରେ କୃଷକଙ୍କ ଆନ୍ଦୋଳନକୁ ତୀବ୍ର କରାଯିବ। ଆସନ୍ତା ସପ୍ତାହରେ ରାଜ୍ୟରେ ରେଳ ରୋକ ଓ ବନ୍ଦପାଳନ କରାଯିବ ବୋଲି ଉଭୟ ଦଳ ଚେତାବନୀ ଦେଇଛନ୍ତି।
କୃଷି ବିଧେୟକକୁ ନେଇ କୃଷକ ଆନ୍ଦୋଳନ ଜୋର ଧରିଥିବାବେଳେ ଏହାକୁ ପ୍ରଶମିତ କରିବା ଲାଗି ପ୍ରଧାନମନ୍ତ୍ରୀ ଉଦ୍ୟମ କରିଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି ବିଧେୟକ ପ୍ରସଙ୍ଗରେ ଅପ୍ରଚାର ଚାଲିଛି। ବିରୋଧୀ ଦଳଗୁଡିକ ପ୍ରଚାର କରୁଛନ୍ତି ଯେ ନୂଆ ବିଧେୟକ ଆଇନରେ ପରିଣତ ହେଲେ ସରକାରୀ ଏଜେନ୍ସିଗୁଡିକ ଚାଷୀଙ୍କ ଠାରୁ ଧାନ ଓ ଗହମ କ୍ରୟ କରିବେ ନାହିଁ। ଏହା ସମ୍ପୂର୍ଣ୍ଣ ମିଥ୍ୟା। କୃଷକମାନଙ୍କୁ ଠକିବା ପାଇଁ ଏହା ଏକ ଷଡଯନ୍ତ୍ର। ତେଣୁ ବିରୋଧୀଙ୍କ ଏହି ଷଡଯନ୍ତ୍ର ପ୍ରତି କୃଷକମାନେ ସତର୍କ ରହିବା ଦରକାର। ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ସରକାର ପୂର୍ବପରି କୃଷକଙ୍କ ଉତ୍ପାଦିତ ସାମଗ୍ରୀ ଏମଏସପି ଅନୁଯାୟୀ କ୍ରୟ କରିବେ। ଏହି ବିଧେୟକ ସଂକ୍ରାନ୍ତରେ କଂଗ୍ରେସର ୨୦୧୯ ଲୋକସଭା ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରିଥିଲା ବୋଲି ପୂର୍ବତନ କଂଗ୍ରେସ ମୁଖପାତ୍ର ସଞ୍ଜୟ ଝା କହିଛନ୍ତି।
ଲୋକସଭାରେ ଆଗତ ହୋଇଥିବା କୃଷି ସମ୍ପର୍କିତ ୩ଟି ଯାକ ବିଧେୟକ ଗୃହୀତ ହୋଇଛି। ଗୁରୁବାର ଗୋଟିଏ ବିଧେୟକ ଗୃହୀତ ହୋଇଥିବାବେଳେ ଶୁକ୍ରବାର ଆଉ ଦୁଇଟି ବିଧେୟକ ଗୃହୀତ ହୋଇଛି। ବିରୋଧୀ ଦଳ ଓ ଏନଡିଏର ସହଯୋଗୀ ଏସଏଡିର ବିରୋଧ ସତ୍ତ୍ବେ ଦୁଇ ବିଧେୟକ ଲୋକସଭାରେ ଗୃହୀତ ହୋଇଛି। ଶୁକ୍ରବାର ଗୃହୀତ ବିଧେୟକ ଦୁଇଟି ହେଉଛି କୃଷି ଉତ୍ପାଦନର ବେପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ବିଧେୟକ ୨୦୨୦ ଏବଂ କୃଷକ (ସଶକ୍ତିକରଣ ଓ ସୁରକ୍ଷା) ରାଜିନାମା ମୂଲ୍ୟଧାର୍ଯ୍ୟ ଓ କୃଷିସେବା ବିଧେୟକ ୨୦୨୦। ଏହି ଦୁଇଟି ବିଧେୟକ ବାଚନିକ ଭୋଟରେ ଗୃହୀତ ହୋଇଛି। ଏହା ପୂର୍ବରୁ ଗୁରୁବାର କୃଷି ସମ୍ପର୍କିତ ଅନ୍ୟ ବିଧେୟକ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ ୨୦୨୦ ଲୋକସଭାରେ ଗୃହୀତ ହୋଇଥିଲା। ଏବେ ତିନିଟି ବିଧେୟକ ରାଜ୍ୟସଭାର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ। ଶୁକ୍ରବାର ଦୁଇ କୃଷି ବିଧେୟକ ଲୋକସଭାରେ ଗୃହୀତ ହେବା ପରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବିଧେୟକ କୃଷକମାନଙ୍କୁ ମଧ୍ୟସ୍ଥମାନଙ୍କ ଦାଉରୁ ରକ୍ଷା ଦେବ। କୃଷକ ଓ ଖାଉଟିଙ୍କ ମଧ୍ୟରେ ମଧ୍ୟସ୍ଥ ଭାବେ ରହୁଥିବା ବ୍ୟକ୍ତିମାନେ କୃଷି ଉତ୍ପାଦନରୁ ଲାଭବାନ ହେଉଥିବାବେଳେ ଉଭୟ ଚାଷୀ ଓ ଖାଉଟି କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ନୂଆ ବିଧେୟକ ଆଇନର ରୂପ ନେଲେ ମଧ୍ୟସ୍ଥଙ୍କ ପ୍ରଭାବ ହ୍ରାସ ପାଇବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଦେଶକୁ ଦଶନ୍ଧି ଧରି ଶାସନ କରିଆସୁଥିଲେ ସେମାନେ ଏବେ କୃଷକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଆଜି କୃଷକଙ୍କ ସ୍ୱାର୍ଥ ସାଧନ ପାଇଁ ସରକାର ଯେଉଁ ବିଧେୟକ ଗୃହୀତ କରିଛନ୍ତି ତାହା ବିରୋଧୀ ଦଳଗୁଡିକର ନିର୍ବାଚନ ଇସ୍ତାହାରର ଅଂଶ। ଏବେ ଏହାକୁ ସରକାର କାର୍ଯ୍ୟକାରୀ କରିବାକୁ ଯାଉଥିବାବେଳେ ସେମାନେ ବିରୋଧ କରୁଛନ୍ତି।

Comments are closed.