ବେଗୁନିଆ: ସରକାରୀ ସମ୍ପତି ହେଉଛି ଜନସାଧାରଣଙ୍କ ସମ୍ପତି। ଏହାର ରକ୍ଷଣାଵେକ୍ଷଣ ଦାୟିତ୍ୱ ସରକାରୀ କର୍ମଚାରୀମାନଙ୍କର। କିନ୍ତୁ କିଛି ପ୍ରଶାସନିକ ଅଧିକାରୀମାନଙ୍କ ଯୋଗୁଁ ଜନସାଧାରଣଙ୍କ ସମ୍ପତିର ଅପବ୍ୟବହାର ହେଉଥିବାର ଦେଖିବାକୁ ମିଳୁଛି। ସାଧାରଣ ଭୂମିହୀନ ଲୋକଟିଏ ଯଦି ସରକାରୀ ଜାଗା ଖଣ୍ଡେ ଜବରଦଖଲ କରୁଛି ତାହେଲେ ସରକାରୀ ଆଇନକୁ ଅନୁଧ୍ୟାନ କରାଯାଇ ତାକୁ ସେଠାରୁ ସଂଗେ ସଂଗେ ଉଚ୍ଛେଦ କରାଯାଉଛି କିନ୍ତୁ ଆଶ୍ଚର୍ୟ୍ୟ ହେଲେ ମଧ୍ୟ ସତ ବାହାରୁ ଆସିଥିବା ଓ଼ମ୍ମଶାନ୍ତିର କିଛି ବ୍ରହ୍ମକୁମାରି ଏବଂ ବ୍ରହ୍ମକୁମାର ବେଗୁନିଆ ଥାନା ଆଗରେ ଥିବା ସରକାରୀ ରାଜସ୍ବ ବଙ୍ଗଳାଟିକୁ ଦୀର୍ଘ ୬ ବର୍ଷରୁ ଉର୍ଧ୍ଵ ସମୟ ଧରି ଜବରଦଖଲ କରି ସେମାନଙ୍କର ବାସସ୍ଥାନରେ ପରିଣତ କରିଥିବା ବେଳେ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ୟ୍ୟନ୍ତ କାହା ସ୍ୱାର୍ଥରେ ନୀରବ ରହିଛନ୍ତି ଜଣ ପଡୁନାହିଁ।
ସର୍ବସାଧାରଣ ସମ୍ପତ୍ତିକୁ ପ୍ରଶାସନିକ ଅଧିକାରୀମାନେ କିଛି ବାହାର ଅଂଚଳର ମହିଳାଙ୍କୁ ସମ୍ପୂର୍ଣ ଟେକିଦେବା ପଛରେ କି ମହତ ଉଦ୍ଦେଶ୍ୟ ରହିଛି ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି। ଯଦି ବେଗୁନିଆର କିଛି ଲୋକ ଏହି ବଙ୍ଗଳାଟିକୁ ଏତିକି ବର୍ଷ ହେଲା ଜବରଦଖଲ କରିଥାନ୍ତେ ପ୍ରଶାସନ ନୀରବ ରହିଥାନ୍ତା ତ? ଏହିଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ସ୍ଥାନୀୟ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି କ୍ଷ ସ୍ଵଛ ସରକାରରେ ଅସ୍ଵଛ କାର୍ୟ୍ୟର ଏହା ଏକମାତ୍ର ନମୁନା ବୋଲି ସାଧାରଣରେ ଆଲୋଚନା ହେଉଛି କ୍ଷ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ମୁଖ୍ୟ ଦପ୍ତରର ଥାନା ଆଗରେ ଦୋକାନ ବଜ଼ାର ଭିତରେ ଏହି ସରକାରୀ ବଙ୍ଗଳାଟି ଅବସ୍ଥିତ। ବ୍ରିଟିଶ ଅମଳର ଏହି ରାଜସ୍ବ ବଙ୍ଗଳାଟି ଅତି ଜରାଜିର୍ଣ ଅବସ୍ଥାରେ ପଡିଥିବାବେଳେ ବଙ୍ଗଳା ଭିତରେ ଥିବା ମୂଲ୍ୟବାନ ଗଛ ଗୁଡିକ କେହି କାଟି ନେଇଥିଲେ ମଧ୍ୟ ପ୍ରଶାସନ ସେଥିପ୍ରତି ନୀରବ। ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇ ଏହି ବଙ୍ଗଳାର ପୁନଃରୁଦ୍ଧାର କରାଯାଇଛି। ତାପରେ ଗେଟ ଉପରେ ଅଫିସର୍ସ କ୍ଲବର ସାଇନ ବୋର୍ଡ଼ ଝୁଲୁଥିବାର ଦେଖିବାକୁ ମିଳିଥିଲା। କିନ୍ତୁ କାହା ସ୍ୱାର୍ଥରେ ଉକ୍ତ ସାଇନ ବୋର୍ଡ଼ କଢ଼ାଯାଇ ଓ଼ମ୍ମ ଶାନ୍ତିର ବ୍ରହ୍ମକୁମାରୀମାନେ ସେହି ବଙ୍ଗଳା ଟିକୁ ନିଜ କବ୍ଜାକୁ ନେଲେ କେମିତି?
ସେହି ବଙ୍ଗଳାଟି ବଜ଼ାର ଭିତରକୁ ଏବଂ ତା ଆଗରେ ଦୋକାନ ସବୁ ଥିବା ଯୋଗୁଁ ସମସ୍ତଙ୍କ ନଜ଼ର ଆଢୁଆଳରେ ରହିଥାଏ। କେବଳ ବଙ୍ଗଳା ଭିତରକୁ ଯିବା ପାଇଁ ଅଣ ଓସାରିଆ ରାସ୍ତାଟି ଅତି ଅପରିଷ୍କାର ପରିବେଶ ମଧ୍ୟରେ ରହିଛି। ବଙ୍ଗଳା ଗେଟଟି ସବୁବେଳେ ବନ୍ଦ ରହୁଛି। ତା ଭିତରେ କେତେବେଳେ କେବଳ ମହିଳାମାନଙ୍କୁ ତ ଆଉ କେତେବେଳେ ପୁରୁଷ ଏବଂ ପିଲାମାନଙ୍କୁ ଦେଖିବାକୁ ମିଳୁଛି। ସରକାରୀ ସମ୍ପତ୍ତିକୁ ସେମାନେ ଦୀର୍ଘ ବର୍ଷ ହେଲା ନିଜ କବ୍ଜାରେ ରଖିଥିବା ବେଳେ ପ୍ରଶାସନିକ ଅଧିକାରୀମାନେ କାହା ସ୍ୱାର୍ଥରେ ଚୁପ ରହିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି ଜନସାଧାରଣ ଜାଣିବା ପାଇଁ ଉତ୍କଣ୍ଠା ପ୍ରକାଶ କରିଛନ୍ତି। ଅନ୍ୟପଟେ କିଛିଲୋକ ପ୍ରଶାସନିକ ଅଧିକାରୀମାନେ ଏହି ବଙ୍ଗଳାଟିକୁ ଭଡା ଦେଇ ସେମାନଙ୍କର ଅଭିଳାଷ ପୂର୍ଣ୍ଣ କରୁଛନ୍ତି ବୋଲି ଆଲୋଚନା କରୁଛନ୍ତି। କିନ୍ତୁ ପ୍ରକୃତ ସତ୍ୟ ଘଟଣା କଣ ତାହା କେହି ଜାଣି ପାରୁନାହାନ୍ତି। ବେଗୁନିଆରେ ଏହିଭଳି ଆହୁରି ଅନେକ ଅଜବ ଘଟଣା ସବୁ ଘଟୁଥିବାର ଦେଖିବାକୁ ମିଳୁଥିବାବେଳେ ପ୍ରଶାସନିକ ଅଧିକାରୀମାନେ ସେଥିପ୍ରତି ଆଖି ବୁଜିଦେବା ଘଟଣା ଜନସାଧାରଣଙ୍କୁ ସନ୍ଦେହ ଭିତରକୁ ଟାଣି ନେଉଛି।



