www.samajalive.in
Thursday, December 11, 2025
27.1 C
Bhubaneswar

ତିନି ଶହ କୋଟିର ‘ସବାଇ’ ବେପାର ମାନ୍ଦା

ବେତନଟୀ : ସବାଇ ଘାସ। ଲୋକମୁଖରେ ବୋବେଇ। ଏହାର ଚାଷ ଓ ବ୍ୟବସାୟ ବେଶ ଲାଭଦାୟକ। ଘାସରେ ସିଲିକନ ଡାଇଅକ୍ସାଇଡ ଥିବାରୁ ଏଥିରୁ ପ୍ରସ୍ତୁତ ଦଉଡି ଅଧିକ ଟାଣ ଓ ସ୍ଥାୟୀ। ଖଟ, ସୋଫା, ଡୋରମ୍ୟାଟ, ଚେୟାର, କାର ମ୍ୟାଟ, ସ୍କ୍ରିନ, ଫୁଲ କୁଣ୍ଡ, ଫଳ ବାସ୍କେଟ, ଗାଲିଚା, ଟି ପୟ, ପେନ୍‌ ଷ୍ଟାଣ୍ଡ ଆଦି ବିଭିନ୍ନ ସୌଖିନ ସାମଗ୍ରୀରେ ବ୍ୟବହୃତ ହେବା ସାଙ୍ଗକୁ କାଗଜ କଳ ପାଇଁ ଆବଶ୍ୟକ ହୋଇଥାଏ। ଆଉ ବିଭିନ୍ନ ରାଜ୍ୟକୁ ବିପୁଳ ପରିମାଣର ସବାଇ ଦଉଡି ରପ୍ତାନୀ ପାଇଁ ମୟୂରଭଞ୍ଜ ଜିଲାର ରହିଛି ସ୍ୱତନ୍ତ୍ର ପରିଚୟ। ସବାଇ ଘାସର ଚାଷ ତଥା ଦଉଡି ପ୍ରସ୍ତୁତି ଉପରେ ଜିଲାର ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ନିୟୋଜିତ ଅଛନ୍ତି। ଜିଲାରେ ସବାଇ ଘାସ ଓ ସାମଗ୍ରୀର ବାର୍ଷିକ ପ୍ରାୟ ୩ ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କାରବାର ହୋଇଥାଏ। ତେବେ କରୋନା କଟକଣା ଯୋଗୁଁ ବ୍ୟବସାୟ ମାନ୍ଦା। ଏହା ଉପରେ ନିର୍ଭରଶୀଳ ପରିବାର ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଇଛନ୍ତି। ସେହିପରି ସରକାର ଏହି ଘାସ ଚାଷକୁ ଏ ଯାଏ କୃଷିର ମାନ୍ୟତା ଦେଇ ନ ଥିବାରୁ ଜଳସେଚନ ଆଦି ସୁବିଧା ଅଭାବରେ ଚାଷୀ ହଇରାଣ ହେଉଛନ୍ତି।

ସବାଇ ଘାସ ଉଚ୍ଚ ଜମି ବା ଡାହିରେ ଭଲ ବଢ଼ିଥାଏ। ମୟୂରଭଞ୍ଜ ଜିଲାର କପ୍ତିପଦା ଓ ବାରିପଦା ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ପ୍ରାୟ ୨୩ ହଜାର ହେକ୍ଟର ବା ପ୍ରାୟ ୬୦ ହଜାର ଏକର ଜମିରେ ଏହି ଘାସ ଚାଷ ହୁଏ। ଗଛ ୧୦/୧୨ ବର୍ଷ ପର୍ଯ୍ୟନ୍ତ ଅମଳ ଦେଇଥାଏ। ୧ ଏକର ଜମିରୁ ବର୍ଷକୁ ୧୦ କୁଇଣ୍ଟାଲରୁ ୧୫/୨୦ କୁଇଣ୍ଟାଲ ପର୍ଯ୍ୟନ୍ତ ଘାସ ଉତ୍ପାଦିତ ହୋଇଥାଏ। ତେବେ ପ୍ରତି ବର୍ଷ ସବୁ ଜମିରୁ ଅମଳ ହୋଇ ନ ଥାଏ। ଆଦିବାସୀଙ୍କ ସମେତ ସାଧାରଣ ବର୍ଗର୍ର ବହୁ ପରିବାର, ବିଶେଷ ଭାବେ ଗରିବ ଶ୍ରେଣୀର ଲୋକ ଏହି ଘାସ ଚାଷ କରନ୍ତି। ଦଉଡି ପ୍ରସ୍ତୁତ କରୁଥିବା ଲୋକମାନେ ହାଟମାନଙ୍କରୁ ସବାଇ ଘାସ କିଣିଥାନ୍ତି। ୧୦ କିଲୋ ଓଜନ ଘାସ ବିଡ଼ା ୧୭୦ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି। ଦଉଡ଼ି ବଳୁଥିବା ଲୋକେ ପ୍ରାୟ ଅସ୍ୱଚ୍ଛଳ ବର୍ଗର। ମହିଳା, ପିଲାମାନେ ବି ଘାସରୁ ଦଉଡି ବଳିଥାନ୍ତି। ଛୋଟ ବ୍ୟବସାୟୀମାନେ ଦଉଡି ପ୍ରସ୍ତୁତିକାରୀଙ୍କୁ କିଲୋ ପିଛା ପ୍ରାୟ ୪୦ ଟଙ୍କା ବା ସେହି ପରିମାଣର ସବାଇ ଘାସ ବିଡ଼ା ଦେଇ ଦଉଡି କିଣିଥାନ୍ତି। ବଡ଼ ବ୍ୟବସାୟୀମାନେ ଛୋଟ ବ୍ୟବସାୟୀ ଠାରୁ ଦଉଡି କିଲୋ ୪୫ରୁ ୫୦ ଟଙ୍କାରେ କିଣୁଥିବାବେଳେ ବାହାର ରାଜ୍ୟରେ ଏହା ୬୦ରୁ ଊର୍ଦ୍ଧ୍ବ ଟଙ୍କାରେ ବିକ୍ରି ହୋଇଥାଏ।

- Advertisement -

ପ୍ରତିଦିନ ଜିଲାରୁ ହାରାହାରି ୭/୮ଟି ବଡ଼ କଣ୍ଟେନର ବା ଟ୍ରକରେ ସବାଇ ଦଉଡି ରପ୍ତାନୀ ହୋଇଥାଏ। ପ୍ରତି କଣ୍ଟେନରରେ ହାରାହାରି ୧୦ ଟନ୍‌ ହିସାବରେ ମାସକୁ ପ୍ରାୟ ୨୫୦ ଟନ ବା ବର୍ଷକୁ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଟନ୍‌ ଦଉଡ଼ି ଝାଡଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ହରିୟାନା, ପଞ୍ଜାବ, ରାଜସ୍ଥାନ ଆଦି ରାଜ୍ୟକୁ ରପ୍ତାନୀ ହୋଇଥାଏ। ଏହା ଛଡ଼ା ଜିଲା ଓ ରାଜ୍ୟର ଅନ୍ୟ ଜିଲାମାନଙ୍କର ବଜାରକୁ ବି ଦଉଡି ପଠାଯାଏ। ତେଣୁ ପ୍ରାୟ ୩୫ ହଜାର ଟନରୁ ଅଧିକ ଦଉଡିର କାରବାର ହୋଇଥାଏ। ଏଥିପାଇଁ ପ୍ରାୟ ୪୫ ହଜାର ଟନରୁ ଅଧିକ ଘାସ ଆବଶ୍ୟକ ହେଉଥିବ। ଜିଲାର ବିଭିନ୍ନ ସ୍ଥାନରେ ମହିଳାମାନେ ମଧ୍ୟ ଘାସରୁ ସୁନ୍ଦର ଉପକରଣ ତିଆରି କରି ବିକ୍ରି କରୁଛନ୍ତି। ତେଣୁ ଘାସ ଓ ଦଉଡିର ବାର୍ଷିକ କାରବାର ପ୍ରାୟ ୩ ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ହେବ ବୋଲି ଆକଳନ କରାଯାଇଛି। ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ଦାନ୍ତିଆମୁଁହା ହାଟ ସମେତ କୁଣ୍ଡାବାଇ, ସୁଆଗପୁରା, ଉଦଳା, ଚିତ୍ରଡା, ମୋରଡା, ପାରିଆକୁଲି, ଚଢେଇଗାଁ, କୋଷ୍ଠା, ସାନମୁଣ୍ଢାବଣି, ବାଘଡା, ନାଉପଦା, ଦେଉଳି, ଅଁଳାକୁଡା, ରାଣୀଆପାଳ ଆଦି ହାଟରେ ସବାଇ ଘାସ ଓ ଦଉଡି ବ୍ୟାପକ ପରିମାଣରେ କିଣାବିକା ହୋଇଥାଏ। ଜିଲା ପ୍ରଶାସନ ଏହି ଶିଳ୍ପର ଆଧୁନିକୀକରଣ ପାଇଁ ବିଭିନ୍ନ ପଦକ୍ଷେପ ନେଇଛି। ପ୍ରଶାସନ ଉଦ୍ୟମରେ ଗୁଜରାଟ, ପଶ୍ଚିମବଙ୍ଗରୁ ଡିଜାଇନରଙ୍କୁ ଅଣାଯାଇଥିଲା। ଫଳରେ ସବାଇ ଘାସରୁ ବିଭିନ୍ନ ସୁନ୍ଦର, ସୌଖୀନ ସାମଗ୍ରୀ ତିଆରି ହେଉଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି ସାମଗ୍ରୀ ତିଆରି କରି ବାହାରକୁ ପଠାଉଛନ୍ତି।

ଏବେ ହାଟଗୁଡିକ ଦୀର୍ଘ ଦିନ ବନ୍ଦ ରହିବାରୁ ବ୍ୟବସାୟ ପ୍ରଭାବିତ ହୋଇଛି। ଏବେ କିଛି ହାଟ ଚାଲୁଥିଲେ ହେଁ ଭିଡ଼ କଟକଣା ପାଇଁ ଦଉଡି ପ୍ରସ୍ତୁତିକାରୀ ଓ ବ୍ୟବସାୟ କାରବାର କରିପାରୁନାହାନ୍ତିି। ବାହାର ରାଜ୍ୟର ବଜାର ବି ବନ୍ଦ ଥିବାରୁ ବଡ଼ ବ୍ୟବସାୟୀ ବେଶୀ ଦଉଡି ପଠାଇପାରୁନାହାନ୍ତି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories