ନାୟକ ’ପଟ୍ଟନାୟକ’: କାଲି ସରିବ ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ
ଭୁବନେଶ୍ବର (ରଞ୍ଜିତ୍ ମହାନ୍ତି): ଯାବତୀୟ ପ୍ରତିକୂଳ ପରିସ୍ଥିତି ଓ ବିରୋଧୀଙ୍କ ସମାଲୋଚନା ମଧ୍ୟରେ ୫ମ ପାଳିର ପ୍ରଥମ ବର୍ଷ ଆସନ୍ତାକାଲି ପୂରଣ କରିବାକୁ ଯାଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ମ ପାଳି ଆରମ୍ଭ ହେଉହେଉ ସାମୁଦ୍ରିକ ଚକ୍ରବାତ ‘ଫଣି’ରେ ଉଜୁଡ଼ା ଓଡ଼ିଶାର ପୁନରୁଦ୍ଧାର ସାଙ୍ଗକୁ ମଧ୍ୟକାଳରେ କରୋନା ଓ ପୁଣି ଠିକ୍ ବର୍ଷକ ପରେ ଆଉ ଏକ ସାମୁଦ୍ରିକ ଚକ୍ରବାତ ’ଅମ୍ପନ’ର ଦୃଢ଼ ମୁକାବିଲା ନବୀନ ପଟ୍ଟନାୟକଙ୍କୁ ରାଜ୍ୟବାସୀଙ୍କ ଆଖିରେ ‘ନାୟକ‘ ବା ‘ହୀରୋ’ ଭାବରେ ପରିଚିତି ଦେଇଛି । ‘ରାଜନୀତି ଏକ ପ୍ରତିବଦ୍ଧ ସେବା’ କେବଳ ସ୍ଲୋଗାନ ନୁହେଁ ତାହାକୁ କାର୍ଯ୍ୟକାରୀ କରିହୁଏ ତାହାକୁ ପ୍ରମାଣିତ କରିଛନ୍ତି ନବୀନ ।
କରୋନା ସଙ୍କଟର ସଠିକ ପରିଚାଳନା ସାଙ୍ଗକୁ ପ୍ରାକୃତିକ ବିପର୍ଯ୍ୟୟର ପ୍ରସ୍ତୁତି ଓଡ଼ିଶାକୁ ଦେଶ ଓ ଦେଶ ବାହାରେ ବି ପ୍ରଶଂସା କରିଛି । ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମରେ ନବୀନ ସାଜିଛନ୍ତି ‘ମଡ଼େଲ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ତାଙ୍କର ଅତି କଠୋର ସମାଲୋଚକମାନେ ମଧ୍ୟ ନବୀନଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି ।
୨୦୧୯ ମେ ୨୯ ତାରିଖରେ ୫ମଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ଗଠନ ନିମନ୍ତେ ପୂର୍ଣ୍ଣ ବହୁମତ ମିଳିବ ନାହିଁ ବୋଲି ଯାବତୀୟ ଆକଳନକୁ ଭୁଲ ପ୍ରମାଣିତ କରି ପାଖାପାଖି ଦୁଇ ତୃତୀୟାଂଶ ଆସନରେ ତାଙ୍କ ଦଳ ବିଜୟୀ ହୋଇଥିଲା । ସାରା ଦେଶରେ ମୋଦୀ ସୁନାମୀ ଆସିଥିବାବେଳେ ଓଡ଼ିଶାରେ ନବୀନ ଲହର ମୋଦି ସୁନାମୀକୁ ରୋକିବାରେ ସମର୍ଥ ହୋଇଥିଲା ଏବଂ ପୁନର୍ବାର ଦଳ କ୍ଷମତାସୀନ ହୋଇଥିଲା । କେବଳ ସେତିକି ନୁହେଁ ଦୁଇଦୁଇଟି ଆସନରୁ ନବୀନ ବିଜୟୀ ହୋଇଥିଲେ । ଗୋଟିଏ ନିଜର ପୁରୁଣା ଆସନ ହିଞ୍ଜିଳି ଓ ଦ୍ବିତୀୟଟି ନୂଆ ଆସନ ବରଗଡ଼ର ବିଜେପୁର ।
ନବୀନଙ୍କ ସମ୍ପର୍କରେ ୫ ସୂଚନା
- ନବୀନ ପଟ୍ଟନାୟକ ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ
- ଜଣେ ଲେଖକ ଭାବରେ ତାଙ୍କର ପରିଚିତି ଅଛି ଏବଂ ସେ ବିଜୁ ଜନତା ଦଳର ସଭାପତି ମଧ୍ୟ
- ନବୀନ ବର୍ତମାନ ଦେଶର ସର୍ବାଧିକ ସମୟଧରି ନିରବଚ୍ଛିନ୍ନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ
- ୫ଥର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାରେ ଜ୍ୟୋତି ବସୁ ଓ ପୱନ ଚାମଲିଂଙ୍କ ପରେ ତୃତୀୟ ନବୀନ ପଟ୍ଟନାୟକ
- ଇଂରାଜୀ, ହିନ୍ଦୀ, ଫରାସୀ ଓ ପଞ୍ଜାବୀ ଭାଷାରେ ମଧ୍ୟ ତାଙ୍କର ପ୍ରବେଶ ରହିଛି
ନୂଆ ସରକାରର ରୂପରେଖ ଥିଲା ପୁରୁଣା ସରକାରଠାରୁ କିଛିଟା ଭିନ୍ନ । ସ୍ଥାନ ପାଇଥିଲେ ଅନେକ ନୂଆ ମୁହଁ । ରାଜନୀତିରେ ଓ ଦଳରେ ନୂଆ ପ୍ରବେଶ କରିଥିବା କିଛି ନିର୍ବାଚିତ ପ୍ରତିନିଧିଙ୍କୁ ବି ମିଳିଥିଲା ମନ୍ତ୍ରୀ ପଦ । ଶପଥ ନେବାର ପ୍ରଥମ ଦିନରେ ହିଁ କ୍ୟାବିନେଟ୍ ବୈଠକ ଡାକି ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଆହ୍ଵାନ ଦେଇଥିଲେ ନବୀନ । ପ୍ରତିଶ୍ରୁତି ଅନୁସାରେ ସରକାର ଗଠନର ପ୍ରଥମ ଦିନରେ ଚାଷୀଙ୍କୁ ଦିଆଯାଇଥିଲା କାଳିଆ ସହାୟତାର ବକେୟା କିସ୍ତି ।
ଏହାପରେ ଆରମ୍ଭ ହୋଇଥିଲା ‘ମୋ-ସରକାର’ କାର୍ଯ୍ୟକ୍ରମ । ୫-ଟି ସରକାର । ପୁରୀଠାରୁ ଆରମ୍ଭ କରି ଲିଙ୍ଗରାଜ ମନ୍ଦିର, ସମଲେଶ୍ବରୀ ମନ୍ଦିର ଆଦି ନିମନ୍ତେ କରାଯାଇଥିଲା ବିକାଶ ନକ୍ସା । ଶ୍ରୀକ୍ଷେତ୍ରର ରୂପ ପରିବର୍ତନ ସହ ଏହାକୁ ଧାର୍ମିକ ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ଶ୍ରୀମନ୍ଦିର ଚାରିପଟରୁ ଆରମ୍ଭ ହୋଇଥିଲା ଉଚ୍ଛେଦ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଅନେକ ଲୋକ ନିଜ ଘରଡ଼ିହ ବି ଛାଡ଼ିବାକୁ ପ୍ରସ୍ତୁତ ହୋଇ ଯାଇଥିଲେ ।
ସରକାରରେ ଶୃଙ୍ଖଳା ଓ ଉତ୍ତରଦାୟିତ୍ବ ଧାର୍ଯ୍ୟ କରିଥିଲେ ନବୀନ । ମନ୍ତ୍ରୀ-ବିଧାୟକ, ସାଂସଦଙ୍କ ରିପୋର୍ଟ କାର୍ଡ଼ ସମୀକ୍ଷା କରାଗଲା । ମିଶନ ଶକ୍ତିର ବିକାଶ ସହ ଗ୍ରାମାଞ୍ଚଳର ମହିଳାମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ଯୋଜନା କରାଗଲା । ଏହାରି ଭିତରେ ଧାରା ୩୭୦ ଉଚ୍ଛେଦ ଓ ଟ୍ରିପଲ୍ ତଲାକ ବିଲ୍ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହ ଠିଆ ହୋଇଥିଲେ ସେ । ଦଳୀୟ ରାଜନୀତିଠାରୁ ଦେଶର ସ୍ବାର୍ଥ ଥିଲା ଏ କ୍ଷେତ୍ରରେ ପ୍ରାଥମିକତା ।
ରାଜନୀତିର ଅସୂୟା ଓ ରାଜନୈତିକ ପଶାପାଲିରେ ନବୀନ କେବେ ହାରିଥିବା ଦେଖାଯାଇନାହିଁ । ତାଙ୍କର କଠୋର ସମାଲୋଚକ ଓ ରାଜନୈତିକ ପ୍ରତିପକ୍ଷ ମଧ୍ୟ ତାଙ୍କ ସହ ଏକତ୍ର ଠିଆ ହୋଇଥିବା ଦୃଷ୍ଟିଗୋଚର ହୋଇଛି । ରାଜ୍ୟ ରାଜନୀତିରେ ଏପରି ଉଦାହରଣ ଅନେକ । ସେହିପରି ଏକଦା ନିର୍ବାଚନ ପୂର୍ବରୁ ତାଙ୍କୁ କଠୋର ସମାଲୋଚନା କରୁଥିବା ବିଜେପିର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ମଧ୍ୟ ଶେଷରେ ନବୀନଙ୍କ ଆତିଥ୍ୟ ଗ୍ରହଣ କରିଥିବା ଓ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଥିବା ନଜିର ରହିଛି ।
ପ୍ରଥମ ବର୍ଷର ଅଧା ଦିନ ନ ଯାଉଣୁ ରାଜ୍ୟକୁ ମାଡ଼ି ଆସିଥିଲା ମହାମାରୀ କରୋନା । ଏହି ସମୟରେ ନବୀନ ଦେଇଥିଲେ ନୂଆ ଆଉ ଭିନ୍ନ ସ୍ଲୋଗାନ- ‘ଅର୍ଥନୀତି ନୁହେଁ, ଜୀବନ ବଡ଼’ ।
Entire human race is in a fight with #COVID19 and the World has lost more than 2 lakh lives in a span of three months. No continent has been spared and most countries are in a state of war with this invisible enemy.#OdishaFightsCorona pic.twitter.com/e0mNgvIHGe
— Naveen Patnaik (@Naveen_Odisha) April 21, 2020
ଦେଶରେ ଲକ୍ ଡ଼ାଉନ ଆରମ୍ଭ ହେବା ପୂର୍ବରୁ ଓଡ଼ିଶାରେ ଆରମ୍ଭ ହୋଇଥିଲା କରୋନା ପ୍ରସ୍ତୁତି । ରାଜଧାନୀରେ ଦୁଇ ବଡ଼ବଡ଼ ମେଡ଼ିକାଲ କଲେଜ ଡ଼ାକ୍ତରଖାନା ସହ ଚୁକ୍ତି କୋବିଦ-୧୯ ଡ଼ାକ୍ତରଖାନା ସ୍ଥାପନ ପାଇଁ କରାଗଲା ଚୁକ୍ତି । ପ୍ରଥମ ପର୍ଯ୍ୟାୟରେ ସ୍ଥାପନ ହେଲା ୧୦୦୦ ଶଯ୍ୟା। ଏହାପରେ ପ୍ରତି ଜିଲାରେ କୋବିଦ-୧୯ ହସପିଟାଲ ଓ ପ୍ରତି ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରାଯାଇ ଦେଶ ପାଇଁ ସୃଷ୍ଟି ହେଲା ନୂଆ ଉଦାହରଣ ।
Deep gratitude to millions of frontline warriors working relentlessly to contain #COVID19. I clap for all the doctors, nurses, health and sanitation workers, transport personnel, policemen, media persons & people providing basic necessities as partners to knockdown the pandemic. pic.twitter.com/zqwn1hS7HJ
— Naveen Patnaik (@Naveen_Odisha) March 22, 2020
କରୋନା ମୁକାବିଲା ପାଇଁ ପଞ୍ଚାୟତସ୍ତରରେ ଆରମ୍ଭ ହେଲା ପ୍ରସ୍ତୁତି । ୩ ଡ଼ଜନରୁ ଅଧିକ ବରିଷ୍ଠ ଅଧିକାରୀଙ୍କୁ ଦିଆଗଲା ରାଜ୍ୟରେ କରୋନା ପରିଚାଳନାର ଦାୟିତ୍ବ । ପଞ୍ଚାୟତସ୍ତରରେ ସରପଞ୍ଚଙ୍କୁ ଦିଆଗଲା ଜିଲାପାଳଙ୍କ ପରି ମାଜିଷ୍ଟ୍ରେଟ କ୍ଷମତା । ସ୍ବାସ୍ଥ୍ୟ କର୍ମୀ, ପୁଲିସ କର୍ମୀ, ସଫେଇ କର୍ମୀ ଓ ସରପଞ୍ଚଙ୍କ ପାଇଁ କରାଗଲା ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମରଣୋତ୍ତର ସହାୟତା ବ୍ୟବସ୍ଥା । ପ୍ରବାସୀଙ୍କ ଫେରିବା ନିମନ୍ତେ ଆରମ୍ଭ ହେଲା ପଞ୍ଜୀକରଣ । ୧୬ ଲକ୍ଷ ପ୍ରବାସୀଙ୍କ ମଧ୍ୟରୁ ଫେରିଥିବା ୩ ଲକ୍ଷରୁ ଅଧିକ ପ୍ରବାସୀଙ୍କ ନିମନ୍ତେ ସଙ୍ଗରୋଧ ବ୍ୟବସ୍ଥା କରାଯାଇପାରିଲା । ଏବେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟାଠାରୁ ସୁସ୍ଥ ହେବା ଲୋକଙ୍କ ସଂଖ୍ୟା ଅଧିକ ।
ପ୍ରଥମେ ଆମ ପାଇଁ ଚ୍ୟାଲେଞ୍ଜ ଥିଲା ବିଦେଶରୁ ଫେରୁଥିବା ଓଡ଼ିଆ ଭାଇଭଉଣୀଙ୍କ ଯତ୍ନ ନେବା। ଓଡ଼ିଶା ପ୍ରଥମ ରାଜ୍ୟ, ଯିଏ କି ସେମାନଙ୍କ ପଞ୍ଜୀକରଣ ଆରମ୍ଭ କଲା। ସେତେବେଳେ ସରକାରଙ୍କୁ ସହଯୋଗ କରିବା ପାଇଁ ମୁଁ ଅନୁରୋଧ କରିଥିଲି। ଆପଣମାନେ ସହଯୋଗ କଲେ। ଆମେ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ। #OdishaCares pic.twitter.com/MeUHziQuP5
— Naveen Patnaik (@Naveen_Odisha) April 29, 2020
ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରି ଦେଶ ପାଇଁ ଉଦାହରଣ ସାଜିଲେ ନବୀନ । ବିଦେଶ ଫେରନ୍ତା ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍ ସେଣ୍ଟର ପ୍ରତିଷ୍ଠା ଠାରୁ ଆରମ୍ଭ କରି ଟେଷ୍ଟିଂ ବ୍ୟବସ୍ଥା କରିବା । ମହାମାରୀ ବିରୋଧରେ ରାଜ୍ୟ ସରକାରଙ୍କ ଯୁଦ୍ଧଂ ଦେହି ଡାକରା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଲା । ଏପରିକି ଅନ୍ୟ ରାଜ୍ୟ ତୁଳନାରେ ମଧ୍ୟ ମୃତ୍ୟୁର ତାଲିକା ସୀମିତ ରହିଲା ।
କରୋନାର ଏହି ବିପତ୍ତି ସମୟରେ ଉପକୂଳ ଓଡ଼ିଶା କମ୍ପାଇଲା ସାମୁଦ୍ରିକ ଚକ୍ରବାତ ‘ଅମ୍ପନ’ । ବିଧ୍ୱଂସୀ ବାତ୍ୟା ଓଡ଼ିଶାର ଉପକୂଳ ଦେଇ ଅତିକ୍ରମ କରିଗଲା । ହେଲେ ‘ଜିରୋ-କାଜୁଆଲିଟି’ ନିମନ୍ତେ ନବୀନଙ୍କ ପ୍ରଶାସନିକ ପରିଚାଳନା ସଫଳ ହେଲା। ଯେଉଁଥିପାଇଁ ଓଡ଼ିଶାଗସ୍ତରେ ଆସିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଏଥିପାଇଁ କେବଳ ପ୍ରଶଂସା କରି ନାହାନ୍ତି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା ଓଡ଼ିଶାଠାରୁ ଶିଖିବା କଥା ବୋଲି ଉଦାହରଣ ଦେଇଛନ୍ତି ।
Comments are closed.