ନ୍ୟୁୟର୍କ : ରେଷ୍ଟୁରାଣ୍ଟରୁ ମଗାଯାଉଥିବା ଖାଦ୍ୟ ପ୍ୟାକେଟରେ କରୋନା ଭୟ ନାହିଁ ବୋଲି ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ କହିଛି । କରୋନା ଏକ ନିଶ୍ବାସ ପ୍ରଶ୍ବାସ ଜନିତ ଭୂତାଣୁ, ଖାଦ୍ୟ ଭୂତାଣୁ ନୁହେଁ ବୋଲି ଫ୍ଲୋରିଡା ବିଶ୍ବବିଦ୍ୟାଳୟର ମାଇକେଲ ଡାନିଲୁକଙ୍କ ଉକ୍ତି ଆଧାରରେ ପ୍ରଶାସନ ପକ୍ଷରୁ ଏପରି ନିର୍ଦେଶନାମା ଜାରି ହୋଇଛି ।
କରୋନା ସଂକ୍ରମଣ ଭୟ ଯୋଗୁ ଅଧିକାଂଶ ଦେଶରେ ଲକଡାଉନ ଭଳି ସ୍ଥିତି ଥିବା ବେଳେ ରେଷ୍ଟୁରାଣ୍ଟରୁ ଡେଲିଭରୀ ହେଉଥିବା ଖାଦ୍ୟ ପ୍ୟାକେଟରେ ଏହାର ଆଶଙ୍କା ରହିଛି କି ନାହିଁ, ତାହା ଜଣାପଡି ନାହିଁ । ମାତ୍ର ଲୋକଙ୍କ ମଧ୍ୟରେ ଏହାକୁ ନେଇ ସନ୍ଦେହ ରହିଛି । ଏଭଳି ସ୍ଥିତିରେ ଆମେରିକାର ଔଷଧ ପ୍ରଶାସନ ଦର୍ଶାଇଛନ୍ତି ଯେ ଖାଦ୍ୟ ପ୍ୟାକେଟରେ କରୋନା ଭୂତାଣୁ ବ୍ୟାପିବାର କୌଣସି ସଂକେତ ନାହିଁ । ଖାଦ୍ୟ କିମ୍ବା ପ୍ୟାକେଟରେ ଭୂତାଣୁର ଆଶଙ୍କା ନଥିବା ବେଳେ ନେଣଦେଣ ସମୟରେ ଲୋକଙ୍କ ସଂସ୍ପର୍ଶରେ ଏହା ବ୍ୟାପିବାର ସମ୍ଭାବନା ରହିଥିବା କୁହାଯାଇଛି । ତେଣୁ ଡେଲିଭରି ଦାତାଙ୍କଠାରୁ ହାତରେ ଗ୍ରହଣ ନକରି ପ୍ୟାକେଟ ରଖି ଦେବାକୁ ପରାମର୍ଶ ଦିଆଯାଇଛି । ତା’ଛଡା ଗ୍ରାହକ ବିକ୍ରେତାଙ୍କ ଠାରୁ ୬ ଫୁଟ ଦୁରତ୍ବ ରକ୍ଷା କରିବା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି। ଖାଦ୍ୟ ଓ ପ୍ୟାକେଟ କରିବା ପୂର୍ବରୁ ଏବଂ ପରେ ହାତକୁ ଭଲ ଭାବେ ସାବୁନରେ ଧୋଇବାକୁ ବିକ୍ରେତାଙ୍କୁ ପରାମର୍ଶ ଦିଆଯାଇଛି।



