www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଆ ଧାଈଙ୍କ ଶବ ସତ୍କାର କଲେ ଗମ୍ଭୀର

ବ୍ୟାସନଗର (ଚିନ୍ତାମଣି ପାଢ଼ୀ) : ଦିଲ୍ଲୀରେ ଜଣେ ଓଡ଼ିଆ ଧାଈଙ୍କ ଶବ ସତ୍କାର କରି ନିଜର ମହାନତା ପ୍ରଦର୍ଶନ କରିଛନ୍ତି ବିଶିଷ୍ଟ କ୍ରିକେଟ ତାରକା ତଥା ସାଂସଦ ଗୌତମ ଗମ୍ଭୀର। କରୋନା ମହାମାରୀ ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକ୍‍ଡାଉନ୍‍ ବ୍ୟବସ୍ଥା। ଏଭଳି ପରିସ୍ଥିତିରେ ଦିଲ୍ଲୀରେ ପ୍ରାଣ ହରାଇଥିବା ଏହି ମହିଳାଙ୍କ ମୃତଦେହ ଓଡ଼ିଶା ଆସି ପାରିଲାନି। ଜନ୍ମମାଟି ଓ ପରିବାର ଲୋକଙ୍କ ନିକଟରେ ଶବ ପହଞ୍ଚାଇବା ପାଇଁ ସବୁ ଚେଷ୍ଟା ବିଫଳ ହେବାପରେ ଦିଲ୍ଲୀରେ ସଂପୃକ୍ତ ମହିଳାଙ୍କ ଶବ ସତ୍କାର କରି ଗମ୍ଭୀର ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଗୌତମଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରହି ତାଙ୍କ ପିଲାଙ୍କ ଯତ୍ନ ନେଉଥିବା ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦର କୁସୁନପୁର ଗ୍ରାମର କୁଳମଣି ପାତ୍ରଙ୍କ ବଡ଼ଝିଅ ସରସ୍ୱତୀଙ୍କର ଆଠ ଦିନ ତଳେ ଦେହ ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ରାଜେନ୍ଦ୍ରନଗରରେ ଥିବା ଗଙ୍ଗାରାମ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମଧୁମେହ ଓ ରକ୍ତଚାପ ନିୟନ୍ତ୍ରଣ ନ ହେବାରୁ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇ ମଙ୍ଗଳବାର ସକାଳ ୬ଟାରେ ପ୍ରାଣହାନି ଘଟିଥିଲା। ପୂର୍ବରୁ ଗୌତମଙ୍କ ପକ୍ଷରୁ ସରସ୍ୱତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ତାଙ୍କ ପରିବାରକୁ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଥିବା ବେଳେ ମଙ୍ଗଳବାର ସକାଳେ ତାଙ୍କ ମୃତ୍ୟୁ ଖବର ଦିଆଯାଇଥିଲା।

ସମାଜସେବୀ ସରସ୍ବତୀ ପାତ୍ର

ଏହାପରେ ମୃତଦେହକୁ ଓଡ଼ିଶା ପଠାଇ ପରିବାରକୁ ହସ୍ତାନ୍ତର କରିବା କରିବା ପାଇଁ ଗମ୍ଭୀର ସମସ୍ତ ଉଦ୍ୟମ କରି ବିଫଳ ହୋଇଥିଲେ। ଏନେଇ ଗୌତମ ଗମ୍ଭୀରଙ୍କ କାର୍ଯ୍ୟାଳୟ ତରଫରୁ ସରସ୍ୱତୀଙ୍କ ଗ୍ରାମର ୱାର୍ଡମେମ୍ବର ପ୍ରମୋଦ କୁମାର ବେହେରା, କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍‍ ନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯାଜପୁର ଲୋକସଭା ସାଂସଦ ଶର୍ମିଷ୍ଠା ସେଠୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ତେବେ ଲକ୍‍ଡାଉନ ପାଇଁ ଏହା କୌଣସି ପରିସ୍ଥିତିରେ ସମ୍ଭବ ହେବନାହିଁ ବୋଲି ସମସ୍ତଙ୍କ ତରଫରୁ ଜଣାଇ ଦିଆଯିବାପରେ ତାଙ୍କ ମୃତଦେହକୁ କିପରି ଘରକୁ ପଠାଯିବ ସେ ନେଇ ଯାଜପୁରର ଜଣେ ମାନବାଧିକାର କର୍ମୀ ବିଶ୍ୱନାଥ ପାତ୍ରଙ୍କ ସହ ଗୌତମ ଗମ୍ଭୀରଙ୍କ କାର୍ଯ୍ୟାଳୟ ଯୋଗାଯୋଗ କରିଥିଲା। ଗୌତମ ଗମ୍ଭୀରଙ୍କ କାର୍ଯ୍ୟାଳୟ ଓ ସରସ୍ୱତୀଙ୍କ ପରିବାର ମଧ୍ୟରେ ସେତୁ ଭଳି କାର୍ଯ୍ୟ କରି ମାନବାଧିକାର କର୍ମୀ ଶ୍ରୀ ପାତ୍ର ଏନେଇ ସୁକିନ୍ଦା ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଶେଷରେ ଗୌତମ ଗମ୍ଭୀର ଫାଉଣ୍ଡେସନ୍‍ ତରଫରୁ ମୃତଦେହକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଓଡ଼ିଶା ପଠାଇବାକୁ ସ୍ଥିର କରାଯାଇଥିବାବେଳେ ସଡକ ପଥରେ ଏହା ସମୟ ସାପେକ୍ଷ ହେବବୋଲି କୁହାଯାଇ ପରିବାର ପକ୍ଷରୁ ସେଠାରେ ସରସ୍ୱତୀଙ୍କ ଶବ ସତ୍କାର କରିଦେବାକୁ ସମ୍ମତି ପ୍ରଦାନ କରାଯାଇଥିଲା। ଏହାପରେ ହିନ୍ଦୁ ରୀତିନୀତି ଅନୁଯାୟୀ ଦିଲ୍ଲୀରେ ଗୌତମଙ୍କ ହାତରେ ସରସ୍ୱତୀଙ୍କ ଶବ ସତ୍କାର କରାଯାଇଥିଲା। ଶବ ସତ୍କାର ସମୟର ଫଟୋ ଓ ଭିଡିଓ ପରିବାର ଲୋକଙ୍କୁ ପଠାଯାଇଥିବାବେଳେ ଗୌତମ ଜଣେ ଓଡିଆ ମହିଳାଙ୍କ ଶବ ସତ୍କାର କରି ନିଜର ମଣିଷପଣିଆକୁ ସାର୍ଥକ କରିଛନ୍ତିବୋଲି ପରିବାର ଲୋକଙ୍କ ନିକଟରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି। କେଉଁ ଜନ୍ମରେ ସେ ମୋ ପାଇଁ କ’ଣ ଥିଲେ କେଜାଣି, ଏ ଜନ୍ମରେ ମୋ ଘରେ ରହି ମୋ ପିଲାଙ୍କ ଯତ୍ନ ନେବା ସହ ଏଠାରେ ଶେଷ ନିଶ୍ୱାସ ତ୍ୟାଗ କଲେ ଓ ଶେଷରେ ମୋରି ହାତରେ ତାଙ୍କର ଶବ ସତ୍କାର ଭଳି ମହାନ କାର୍ଯ୍ୟକୁ କରିବାକୁ ସୁଯୋଗ ଦେଇଥିବାରୁ ସବୁଦିନ ପାଇଁ ମୁଁ ସରସ୍ୱତୀଙ୍କ ନିକଟରେ ଋଣୀ ହୋଇ ରହିଲି ବୋଲି ତାଙ୍କ ପରିବାରକୁ କହିଛନ୍ତି। ଏଥି ସହିତ ସରସ୍ୱତୀଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଏଭଳି ପରିସ୍ଥିତିରେ ଭଗବାନ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ ଓ ଅସୀମ ଧୈର୍ଯ୍ୟ ପ୍ରଦାନ କରନ୍ତୁବୋଲି ଗୌତମ ନିଜର ଶୋକ ବାର୍ତ୍ତାରେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ବ୍ୟାସନଗର ଅଞ୍ଚଳରେ ସ୍ୱର୍ଗତ ସରସ୍ୱତୀ ଜଣେ ଆଗ ଧାଡିର ସମାଜସେବୀ ଭାବେ କାର୍ଯ୍ୟ କରୁଥିଲେ। ଅବହେଳିତ ଓ ନିଷ୍ପେଷିତ ଶ୍ରେଣୀ ଲୋକଙ୍କ ପାଇଁ ବହୁବାର ଆନ୍ଦୋଳନର ନେତୃତ୍ୱ ନେଇଥିବାରୁ ତାଙ୍କୁ ୨୦୧୩ ମସିହା ବ୍ୟାସ ସରୋବର ମହୋତ୍ସବରେ ବ୍ୟାସନଗର ପୌର ପରିଷଦର ସବୁଠୁ ମର୍ଯ୍ୟାଦାଜନକ ‘ବ୍ୟାସଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ପରେ ଜଣେ ମାନବାଧିକାର କର୍ମୀଙ୍କ ସହ ଯୋଗାଯୋଗ କରି ସରସ୍ୱତୀ ଗୌତମ ଗମ୍ଭୀରଙ୍କ ଘରେ ୬ବର୍ଷ ଧରି ଜଣେ ଧାଈଭାବେ ନିଯୁକ୍ତି ପାଇଥିଲେ। ସେଠାରେ ସେ ଗୌତମଙ୍କ ପିଲାମାନଙ୍କର ସମସ୍ତ ଯତ୍ନ ନେବା ସହିତ ପରିବାରର ଜଣେ ସଦସ୍ୟାଭାବେ ଗଣା ହେଉଥିଲେ। ଗୌତମ ଗମ୍ଭୀରଙ୍କ ଏଭଳି କାର୍ଯ୍ୟକୁ ସରସ୍ୱତୀଙ୍କ ପରିବାର ଓ ବ୍ୟାସନଗର ସହରବାସୀଙ୍କ ତରଫରୁ ଭୂୟସୀ ପ୍ରଶଂସା କରାଯିବା ସହିତ ତାଙ୍କଭଳି ଜଣେବ୍ୟକ୍ତି ନିଜେ ଶବ ସତ୍କାର କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତିବୋଲି ମତପ୍ରକାଶ ପାଇଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories