ନୂଆଦିଲ୍ଲୀ: କରୋନା ସମସ୍ୟା, ଲକ୍ଡ଼ାଉନ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂରେ ବାର୍ତାଳାପ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଗତ ୨ ତାରିଖରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଓ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ସମର୍ଥନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଦେଶରେ କରୋନା ସ୍ଥିତି ଅନ୍ୟ ଦେଶଗୁଡ଼ିକ ଅପେକ୍ଷା ନିୟନ୍ତ୍ରଣ ଥିବା କୁହାଯାଉଥିଲେ ହେଁ ବର୍ତମାନ ସୁଦ୍ଦା ୬୪୦ ଜଣଙ୍କର ମୃତ୍ୟୁ ଘଟି ସାରିଛି । ୧୯୯୮୪ ସଂକ୍ରମିତଙ୍କ ମଧ୍ୟରୁ ଏବେ ବି ୧୫ ହଜାରରୁ ଅଧିକ ସକ୍ରିୟ ରୋଗୀ ବିଭିନ୍ନ ଡ଼ାକ୍ତରଖାନାରେ ଭର୍ତି ହୋଇଛନ୍ତି, ଯଦିଓ ୩୮୬୯ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି । ଏପ୍ରିଲ ୧୪ ତାରିଖରେ ଲକ୍ଡ଼ାଉନ ଅବଧି ଶେଷ ହେବା ପରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅବଶ୍ୟ ଏପ୍ରିଲ ୨୦ ତାରିଖରୁ କିଛି କ୍ଷେତ୍ର ପାଇଁ କୋହଳ ମନୋଭାବ ପ୍ରଦର୍ଶନ କରିଛନ୍ତି ସରକାର । କିନ୍ତୁ କିଛି ରାଜ୍ୟରେ କେନ୍ଦ୍ର ମାର୍ଗଦର୍ଶିକାକୁ ଲକ୍ଡ଼ାଉନ ବେଳେ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଛି । କେରଳ, ପଶ୍ଚିମବଙ୍ଗ, ପଞ୍ଚାବ ଆଦି କେତେକ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ କେନ୍ଦ୍ର ଅସନ୍ତୋଷ ପ୍ରକାଶ କରିଛି । ତେଣୁ ଆସନ୍ତା ୨୭ ତାରିଖରେ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସ ଆଲୋଚନା ଗୁରୁତ୍ବ ବହନ କରୁଛି ।
ଏପ୍ରିଲ ୨୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ଆଲୋଚନା
Popular Categories



