ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ୧୪ ଟି ଜିଲାକୁ ଲକ୍ ଡାଉନ ଘୋଷଣା କରାଯାଇଛି। ଲକ୍ ଡାଉନ୍ ଘୋଷଣା କରାଯାଇଥିବା ଜିଲା ଏବଂ ସହରାଞ୍ଚଳରେ ବ୍ୟାଙ୍କ ଗୁଡିକ ସକାଳ ୧୦ଟାରୁ ଅପରାହ୍ନ ୨ ଟା ଯାଏଁ ଖୋଲା ରଖିବାକୁ ରାଜ୍ୟ ସରକାର ନିର୍ଦେଶାନାମା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦେଶାନାମା ଅନୁଯାୟୀ ଲକ୍ ଡାଉନ ଘୋଷଣା କରାଯାଇଥିବା ଅଞ୍ଚଳମାନଙ୍କରେ ସମସ୍ତ ବ୍ୟାଙ୍କ ସକାଳ ୧୦ ଟାରୁ ଖୋଲି ଅପରାହ୍ନ ୨ ଯାଏ ଖୋଲାରହିବ। କୌଣସି ପରିସ୍ଥିତିରେ ବ୍ୟାଙ୍କ ଗୁଡିକ କାର୍ଯ୍ୟ ଦିବସ କିମ୍ବା ସରକାରଙ୍କ ପକ୍ଷରୁ ନିଦ୍ଧାରିତ ସମୟ ପୂର୍ବରୁ ବ୍ୟାଙ୍କ ବନ୍ଦ ନକରିବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର।
ଏଥି ସହିତ ବ୍ୟାଙ୍କ ଗୁଡିକ ନିଜର ସୁବିଧା ଅନୁସାରେ ଦୁଇ ଜଣରୁ କମ୍ ଏବଂ ୭ ଜଣରୁ ଅଧିକ କର୍ମଚାରୀ ନିୟୋଜନ କରିପାରିବେ ନାହିଁ।ଏଟିଏମ ଗୁଡ଼ିକ କାର୍ଯ୍ୟକ୍ଷମ ରଖିବା ସହ ସର୍ବଦା ନଗଦ ଟଙ୍କା ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ବ୍ୟାଙ୍କ ଗୁଡିକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନଗଦ ଅର୍ଥ ପଠାଗଲାବେଳେ ପୁଲିସ୍ ସୁରକ୍ଷା ଦିଆଯିବା ସହିତ ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜର ନିର୍ଦ୍ଧାରିତ ଫର୍ମରେ ସିଲ୍ ଓ ଦସ୍ତଖତ ଥିବା ପାସ୍ କର୍ମଚାରୀଙ୍କୁ ପ୍ରଦାନ କରିବେ ଓ ସେମାନେ ନିଜର ପରିଚୟ ପତ୍ର ପୁଲିସକୁ ଦେଖାଇବେ।
ଏଥି ସହିତ ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କୁ ମୋବାଇଲ ବ୍ୟାଙ୍କି, ଇଣ୍ଟରନେଟ ବ୍ୟାଙ୍କି ଆଦି ବ୍ୟବହାର ପାଇଁ ଉତ୍ସାହିତ କରିବେ। ବ୍ୟାଙ୍କଗୁଡ଼ିକ ଏହି ଅବଧି ମଧ୍ୟରେ ନଗଦ ଜମା/ଉଠାଣ, ଏନଇଏଫଟି, ଚେକ୍ କ୍ଲିୟରିଂ, ସରକାରୀ ଟ୍ୟାକ୍ସ ସଂଗ୍ରହ ଆଦି ନିୟମିତ କାର୍ଯ୍ୟ ଜାରି ରଖିବେ। ବୀମା କମ୍ପାନୀଗୁଡ଼ିକ ମଧ୍ୟ ସରକାରଙ୍କ ଏହି ନିୟମ ମାନିବେ। ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବୀମା କମ୍ପାନୀଗୁଡ଼ିକର କାର୍ଯ୍ୟକୁ ତଦାରଖ କରିବ।



