www.samajalive.in
Monday, December 8, 2025
27.1 C
Bhubaneswar

କେତେ ସୁରକ୍ଷିତ ଟ୍ରେନ୍‌ ଯାତ୍ରା ?

ରେଳସେବାରେ ବହୁମୁଖୀ ନିରାପତ୍ତା ବ୍ୟବସ୍ଥା ସମ୍ପୃକ୍ତ ଏବଂ ଏସବୁର ଉପଯୁକ୍ତ ପରିପାଳନ ଅପରିହାର୍ଯ୍ୟ। ବିଶେଷକରି ଟ୍ରେନ୍‌ ଚଳାଚଳ ବେଳେ ସାମାନ୍ୟ ତ୍ରୁଟିର ପରିଣତି ଭୟଙ୍କର ହେଉଥିବାରୁ ରେଳବାଇ ବିଭାଗ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଇଥାଏ। ଏହାସତ୍ତ୍ବେ ଭାରତରେ ନିୟମିତ ବ୍ୟବଧାନରେ ଛୋଟବଡ଼ ଦୁର୍ଘଟଣାମାନ ଘଟି ଧନଜୀବନ ହାନି ହେଉଛି। ଓଡ଼ିଶା ଭାରତର ଅନ୍ୟାନ୍ୟ ପ୍ରମୁଖ ରାଜ୍ୟଙ୍କ ତୁଳନାରେ ରେଳ ଯୋଗାଯୋଗ କ୍ଷେତ୍ରରେ ପଛୁଆ। ଏଠାରେ ଅପେକ୍ଷାକୃତ କମ୍‌ ରେଳପଥ ଥିବାରୁ ଟ୍ରେନ୍‌ ଚଳାଚଳ ମଧ୍ୟ କମ୍‌। ତେବେ କେତେକ ପ୍ରମୁଖ ଓ ପୁରୁଣା ରୁଟ୍‌ରେ ଏବେ ମାଲ ଓ ଯାତ୍ରୀ ପରିବହନର ଚାହିଦା ବଢ଼ିବାରୁ ଅଧିକ ଟ୍ରେନ୍‌ ଚଳାଚଳ କରୁଛି। ଆହୁରି ମଧ୍ୟ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ଥିବା କେତେକ ରେଳପଥ ଘାଟି ଓ ପାର୍ବତ୍ୟାଞ୍ଚଳ ଦେଇ ଯାଇଥିବାରୁ ସେସବୁ ପଥରେ ମଝିରେ ମଝିରେ ବାରମ୍ବାର ଦୁର୍ଘଟଣାମାନ ଘଟୁଛି। ଗତ ପାଞ୍ଚବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ୧୦ରୁ ଅଧିକ ଛୋଟବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟି ଅନେକ ଲୋକ ମୃତାହତ ହୋଇଛନ୍ତି। ଟ୍ରାକ୍‌ର ରକ୍ଷଣାବେକ୍ଷଣ, ତ୍ରୁଟିପୂର୍ଣ୍ଣ ସିଗ୍‌ନାଲିଂ, ଚାଳକଙ୍କ ଭୁଲ, ଦୁର୍ବଳ ରେଳପଥ ଆଦି କାରଣରୁ ଏଭଳି ଘଟଣାମାନ ଘଟୁଛି। କର୍ତ୍ତୃପକ୍ଷ ବିଭାଗୀୟ ତଦନ୍ତ କରି ରିପୋର୍ଟ ଦେଉଛନ୍ତି, ମୃତାହତଙ୍କୁ କ୍ଷତିପୂରଣ ଦିଆଯାଉଛି ଏବଂ ତା’ପରେ ସମସ୍ତେ ପୁରୁଣାକଥାକୁ ଭୁଲିଯାଉଛନ୍ତି ଏବଂ ସ୍ଥାୟୀ ପ୍ରତିକାର ହେଉନାହିଁ।
ଗୁରୁବାର ସକାଳେ କଟକ ନିକଟ ଟାଙ୍ଗୀଠାରେ ଯେଉଁ ରେଳ ଦୁର୍ଘଟଣା ଘଟିଲା ସେଥିରେ ୨୫ରୁ ଊର୍ଦ୍ଧ୍ବ ଆହତ ହୋଇଥିବାବେଳେ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୁମ୍ବଇରୁ ଭୁବନେଶ୍ବର ଆସୁଥିବା ଲୋକମାନ୍ୟ ତିଳକ ସୁପରଫାଷ୍ଟ ଟ୍ରେନ୍‌ ଏକା ଟ୍ରାକ୍‌ରେ ଛିଡ଼ା ହୋଇଥିବା ଏକ ମାଲଗାଡ଼ିକୁ ପଛରୁ ଧକ୍କା ଦେଇଥିଲା। ପ୍ରବଳ କୁହୁଡ଼ି ଯୋଗୁଁ ଯାତ୍ରୀ ଗାଡ଼ିର ବେଗ ମନ୍ଥର ଥିବାରୁ କ୍ଷୟକ୍ଷତି କମ୍‌ ହୋଇଥିବା ସ୍ପଷ୍ଟ। ଏଥିରେ ଯେ ମାନବିକ ତ୍ରୁଟି ରହିଛି ଏହା ଅନୁମାନ କରିବା କଷ୍ଟ ନୁହେଁ। ରେଳବାଇ ଏକ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିଓର ପାଳନ କରେ ଏବଂ ତଦନୁସାରେ ଟ୍ରେନ୍‌ ଚଳାଚଳ କରିଥାଏ। ଏହାସତ୍ତ୍ବେ ମାନବିକ ବା ଯାନ୍ତ୍ରିକ ତ୍ରୁଟିକୁ ସମୂଳେ ଏଡ଼ାଇଯିବା ସହଜ ନୁହେଁ। ଅଟୋମେଟିକ ସିଗ୍‌ନାଲିଂ, ଟ୍ରାକ୍‌ ପରିବର୍ତ୍ତନ ଓ ଆଣ୍ଟିଂ କୋଲିଜନ୍‌ ବ୍ୟବସ୍ଥା ରେଳବାଇ ପକ୍ଷରୁ ପ୍ରବର୍ତ୍ତନ କରାଯାଉଛି। ଓଡ଼ିଶାରେ ଏହାର ସ୍ଥିତି ଯେ ଭଲ ନୁହେଁ, ତାହା ବାରମ୍ବାର ଘଟୁଥିବା ଦୁର୍ଘଟଣାରୁ ପ୍ରମାଣିତ ହେଉଛି। ଟ୍ରେନ୍‌ ଭିତରେ ଯାତ୍ରୀଙ୍କ ସୁରକ୍ଷା, ଟ୍ରାକ୍‌ ରକ୍ଷଣାବେକ୍ଷଣ, ନିରପତ୍ତା ବ୍ୟବସ୍ଥା ଓ ଆଧୁନିକୀକରଣ, ଏସବୁ ଆବଶ୍ୟକ ଦକ୍ଷ ଲୋକଶକ୍ତି, କର୍ମଚାରୀ ଏବଂ ସାଧନ ଉପରେ ନିର୍ଭର କରୁଛି। ଭାରତୀୟ ରେଳବାଇର ମୋଟାମୋଟି ଆର୍ଥିକ ସ୍ଥିତି ସେ ଅଭାବ ପୂରଣ କରିବା ସ୍ଥିତିରେ ବୋଧହୁଏ ନାହିଁ। ରେଳବାଇର ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଏବେ ନ୍ୟୂନତମ କର୍ମଚାରୀରେ ଚାଲିଛି। ତେଣୁ ଦୁର୍ଘଟଣା ଘଟିବା ଓ ନିରାପତ୍ତା ବିପନ୍ନ ହେବା ଅସମ୍ଭବ ନୁହେଁ। ତଥାପି ରେଳବାଇକୁ ତା’ର ଦାୟିତ୍ବ ନିର୍ବାହ କରିବାକୁ ପଡ଼ିବ। ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ନିରାପତ୍ତା ପ୍ରତି ସଚେତନ ରହି କାମ କରନ୍ତୁ। ରାଜ୍ୟର ଜନପ୍ରତିନିଧିମାନେ ଏଥିପ୍ରତି ରେଳ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାର ଆବଶ୍ୟକତା ରହିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories