ଭୁବନେଶ୍ବର : ଆସନ୍ତାକାଲି (ସୋମବାର)ଠାରୁ ଶ୍ରେଣୀ ଗୃହରେ (ଅଫ୍ଲାଇନ)ରେ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ। ଶ୍ରେଣୀ ଗୃହ ପାଠପଢା ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୩୦ଟା ପର୍ଯ୍ୟନ୍ତ ଚାଲିବ; କିନ୍ତୁ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ। ଉଭୟ ସଞ୍ଚାର (ଅନଲାଇନ) ଏବଂ ଅଫ୍ଲାଇନ ପାଠପଢା ଜାରି ରହିବ। ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କ ପାଖରୁ ଅନୁମତି ନେଇ ବିଦ୍ୟାଳୟ ଆସିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ରହିଛି।
ରାଜ୍ୟରେ ଦୀର୍ଘ ୨୦ ମାସ ପରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ବିଦ୍ୟାଳୟ। ଏ ସମ୍ବନ୍ଧରେ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପୂର୍ବରୁ ବିଭାଗ ପକ୍ଷରୁ ଆର୍ଦଶ ବିଦ୍ୟାଳୟ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ପ୍ରକଳ୍ପ ନିର୍ଦେଶକ, ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିୟମାବଳି ଜାରି କରାଯାଇଥିଲା। ବିଦ୍ୟାଳୟ ଖୋଲିଲେ ସୁଦ୍ଧା ପୂର୍ବଭଳି ଅନ୍ଲାଇନ୍(ସଞ୍ଚାର ଜରିଆରେ)ପାଠପଢା ଚାଲିବ। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟରେ ଆସନ୍ତାକାଲି(ସୋମବାର)ଠାରୁ ପାଠପଢା ଆରମ୍ଭ ହେବ। ଛାତ୍ରାବାସ ଓ ଛାତ୍ରୀନିବାସ କରୋନା କଟକଣା ମଧ୍ୟରେ ଖୋଲିବ। ଛାତ୍ରାବାସରେ ରହିବାକୁ ଚାହୁଁଥିବା ପିଲା ସେମାନଙ୍କ ଅଭିଭାବକଙ୍କ ପାଖରୁ ଲିଖିତ ଅନୁମତି ପତ୍ର ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। ଛାତ୍ରାବାସ ପରିସରକୁ ନିୟମିତ ସଫେଇ ସହ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ। ଥର୍ମାଲ ସ୍କ୍ରିନିଂ, ତୁଣ୍ଡି ପିନ୍ଧିବା ଓ ହାତକୁ ବିଶୋଧନ କରିବା ଭଳି କରୋନା କଟକଣା ଅନୁପାଳନ କରିବେ କର୍ମଚାରୀ ଓ ଅନ୍ତେବାସୀ।
ତେବେ ପ୍ରଥମ ଦିନରେ ପାଠପଢ଼ା ହେବନାହିଁ। କେବଳ ପିଲାଙ୍କ ସହ ଆଲୋଚନା କରିବେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି । ୨୭, ୨୮ ଓ ୨୯ ତାରିଖରେ ସ୍ୱତନ୍ତ୍ର ପରୀକ୍ଷା ଜରିଆରେ ଛାତ୍ରଛାତ୍ରୀଙ୍କ ଶିକ୍ଷାସ୍ତର ଆକଳନ କରାଯିବ। ବିଦ୍ୟାଳୟ ଖୋଲିବାର ପ୍ରଥମ ଦୁଇଦିନ ୨୫ ଓ ୨୬ ତାରିଖରେ ପିଲାଙ୍କ ମଧ୍ୟରେ ଆଲୋଚନା, ତର୍କ, ସଙ୍ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା ହେବ। ସର୍ବୋପରି ବିଦ୍ୟାଳୟରେ ଏକ ଭୟମୁକ୍ତ ବାତାବରଣ ସୃଷ୍ଟି ପାଇଁ ପ୍ରଚେଷ୍ଟା କରାଯିବାକୁ ନିର୍ଦେଶ ରହିଛି। ସେହିପରି ୨୭ରେ ଓଡ଼ିଆ, ୨୮ରେ ଗଣିତ ଓ ୨୯ ତାରିଖରେ ଇଂରାଜୀ ବିଷୟରେ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶ ଗ୍ରହଣ କରିବେ। ପରୀକ୍ଷା ସମୟ ସୀମା ମାତ୍ର ୧ ଘଣ୍ଟା ରହିଛି। ଯେଉଁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁ ନ ଥିବେ ପ୍ରଧାନ ଶିକ୍ଷକ ବା ଅନ୍ୟ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଘରକୁ ପ୍ରଶ୍ନପତ୍ର ପଠାଇ ପରୀକ୍ଷା କରାଇବେ। ପ୍ରତ୍ୟେକ ଛାତ୍ରର ଫଳାଫଳ ଲିପିବଦ୍ଧ କରାଯିବ। କୌଣସି ଶିକ୍ଷକ ଓ ଛାତ୍ରଛାତ୍ରୀ ଥଣ୍ଡା କାଶ ଜନିତ ରୋଗରେ ପୀଡ଼ିତ ଥିଲେ ସେମାନଙ୍କୁ ବିଦ୍ୟାଳୟରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଯେଉଁ ସ୍ଥାନରେ କରୋନା ସଂକ୍ରମଣ ଅଧିକ ଥିବ ସେହି ସ୍ଥାନ ଗୁଡ଼ିକର ବିଦ୍ୟାଳୟ ଖୋଲିବା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଜିଲାପାଳମାନେ ନେଇପାରିବେ ବୋଲି କୁହାଯାଇଛି।
ଆଜିଠୁ ଅଷ୍ଟମ ବିଦ୍ୟାର୍ଥୀଙ୍କ ଶ୍ରେଣୀଗୃହ ପାଠପଢ଼ା
Popular Categories



