ମା’କୁ ଘରୁ ତଡିଲା ଚାକିରିଆ ପୁଅ ; ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇ ନ୍ୟାୟଭିକ୍ଷା କଲେ ୮୨ ବର୍ଷିୟା ବୃଦ୍ଧା

-ଭିସୁଟ କର୍ମଚାରୀଙ୍କ ଅମାନବିକତା

ବୁର୍ଲା : ପୁଅର ଜନ୍ମହେବା ଠାରୁ ଆରମ୍ଭ କରି ବର୍ଷ ବର୍ଷ ଧରି ପାଳି ପୋଶି ହାତ ଧରି ବାଟ ଚଲାଇବା ଶିକ୍ଷାଇଲେ। ପୁଅ ବଡ ହୋଇ ବୁର୍ଲା ସହରର ଏକ ସୁଖ୍ୟାତିନାମା ଶିକ୍ଷାନୁଷ୍ଠାନ ଭିସୁଟରେ ଚାକିରି ମଧ୍ୟ କଲା ମାତ୍ର ନିଜର ଜନ୍ମ କଲା ମାଆର ଯତ୍ନ ତଥା ମାଆଙ୍କ ପ୍ରତି ରହିଥିବା ତାର କର୍ତ୍ତବ୍ୟକୁ ସେ ସମ୍ପୁର୍ଣ୍ଣ ଭୁଲିଗଲା । ୮୨ ବର୍ଷିୟା ବୃଦ୍ଧାକୁ ଘରୁ ତଡି ଦେଲା ଚାକିରିଆ ପୁଅ। ନିରୁପାୟ ହୋଇ ବୃଦ୍ଧା ରୁଗଣା ମା’ ଜଣକ ନ୍ୟାୟ ପାଇଁ ଆଜି ସୋମବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱିତୀୟ ଥର ଦ୍ୱାରସ୍ତ ହୋଇଛନ୍ତି। ତେବେ ଯଦିବା ଘଟଣାର ସମାଧାନ ନ ହୁଏ ତେବେ ଭିସୁଟ ସମ୍ମୁଖରେ ଶେଷରେ ନିରୁପାୟ ହୋଇ ଅନଶନ କରିବି ବୋଲି ଆଖି ଢ଼ଳ ଢ଼ଳ ଅବସ୍ଥାରେ କହିଥିଲେ। ଘଟଣାଟି ବୁର୍ଲା ସହରର ପିଡ଼ବ୍ଲୁଡ଼ି କଲୋନୀର ନେପାଳି କଲୋନିରେ ରହୁଥିବା ବୃଦ୍ଧା ରୁକମଣି ସାହୁ (୮୨)ଙ୍କ କ୍ଷେତ୍ରରେ ଘଟିଛି। ସେପଟେ ବୃଦ୍ଧା ମାଆଁକୁ ଧମକ୍ ଦବାକୁ ପୁଅ ପଛାଉ ନାହାନ୍ତି ତୁ ଯାହାକୁ କହିବାର ଅଛି କହ ମୋର କେହି କିଛି କରିପାରିବେ ନାହିଁ ଏବଂ ମୁଁ କାହାକୁ ଡ଼ରେନାହିଁ ବୋଲି ସେ କହି ଚାଲିଛନ୍ତି। ସେପଟେ ବର୍ତ୍ତମାନ ନ୍ୟାୟାଳୟ ତରଫରୁ ଏଭଳି ଭାବରେ ନିଜର ଜନ୍ମକଲା ପୁଅଝିଅଙ୍କ ଦ୍ୱରା ଉପେକ୍ଷିତି ତଥା ବିତାଡ଼ିତ ବାପା ମା’ଙ୍କୁ ନ୍ୟାୟ ପ୍ରଦାନ କରାଯିବା କ୍ଷେତ୍ରରେ ଅନେକ ନିର୍ଦ୍ଦେଶନାମା ଜାରି ହୋଇଥିବା ଦୃଷ୍ଟାନ୍ତ ରହିଛି।

ଘଟଣାରୁ ପ୍ରକାଶ ବୁର୍ଲା ନେପାଲି କଲୋନିର ବୃଦ୍ଧା ରୁକମଣିଙ୍କ ଦୂଇଟି ପୁଅ । ବଡ ପୁଅ ବାସୁଦେବ ସାହୁ ଭିସୁଟ ସିଭିଲ ବିଭାଗରେ ଲାଇବ୍ରେରି ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟରତ ଏହିବା ସହିତ ବେପାର ମଧ୍ୟ କରୁଛନ୍ତି ଏବଂ ସେପଟେ ସାନ ପୁଅ ଚକ୍ରପାଣି ସାହୁ ବୁର୍ଲା ସହରର ପେଟ୍ରୋଲ ପମ୍ପ ଛକ ନିକଟରେ ଏକ ଛୋଟ ଚା’ ଦୋକାନ କରି ନିଜ ପରିବାରକୁ କୌଣସି ମତେ ଚଲାଉଛନ୍ତି। ତେବେ ଉଭୟ ପୁଅର ପରିବାର ଏବଂ ଛୁଆପିଲା ରହିଛନ୍ତି। ହେଲେ ଆଜକୁ ୨୫ ବର୍ଷ କାଳ ହେଲା ଉଭୟ ପୁଅଙ୍କ ମଧ୍ୟରେ ଜମି ଏବଂ ଘର ସମାନ ଭାଗବଣ୍ଟା ବୃଦ୍ଧା ମାଆ ରୁକ୍ମିଣୀ କରି ଦେଇଥିଲେ। ମାତ୍ର ବଡପୁଅ ବାସୁଦେବ ମାଆଙ୍କ କୌଣସି ସମସ୍ୟା ବିଷୟରେ କିଛି ବୁଝୁନାହାନ୍ତି । ଫଳରେ ସାନପୁଅ ଚକ୍ର ମଧ୍ୟ ନିଜର ସ୍ପଳ୍ପ ରୋଜଗାରରେ ମା’ଙ୍କୁ ପାଖରେ ରଖି ସମସ୍ତ ସେବା ଯତ୍ନ କରି ଆସୁଛନ୍ତି। ତେବେ ବୃଦ୍ଧା ମା’ ବଡପୁଅ ଘରକୁ ଯଦିବା ରହିବାକୁ ଗଲେ ମଧ୍ୟ ତାଙ୍କୁ ଘରୁ ତଡିଦେବା ସହିତ ତମକୁ ଘରେ ପୁରାଇ ଦେବି ନାହିଁ ଧମକ ଦେଉଛନ୍ତି। ଏପରିକି ମାଆ ପ୍ରତିବାଦ କଲେ ମୋର କଣ କରିବାର ଅଛି କରିବୁ ଯା, ମୋର କେହି କିଛି କରିପାରିବେ ନାହିଁ ବୋଲି ବାସୁଦେବ ଧମକ ମଧ୍ୟ ଦେଉଥିବା ମାଆ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅଭିଯୋଗ କହିଛନ୍ତି। ତେବେ ଯଦି ବାସୁଦେବ ତାଙ୍କ ସମସ୍ୟା ବୁଝିବାକୁ ଚାହୁଁ ନାହାନ୍ତି ତେବେ ମା’ଙ୍କ ଠାରୁ ଭାଗ ନେଇଥିବା ସମସ୍ତ ସମ୍ପତ୍ତି ଫେରାଇ ଦିଅନ୍ତୁ ନଚେତ ମୋର ଚଳିବା ପାଇଁ ଉପଯୁକ୍ତ ଖର୍ଚ୍ଚର ବ୍ୟବସ୍ତା ବଡ଼ପୁଅ ଦେଉ ବୋଲି ରୁକ୍ମିଣୀ ଦାବି କରିଛନ୍ତି। ଏହା ସହିତ ରୁକ୍ମିଣୀ ଜଣେ ରୋଗୀ ଏବଂ ମୋର ସାନପୁଅ ପକ୍ଷରେ ମତେ ପାଳିବା ତଥା ଚିକିତ୍ସା ଖର୍ଚ୍ଚ ବହନ କରି ତାଙ୍କର ଚାରିପ୍ରାଣୀ କୁଟୁମ୍ବର ଭରଣପୋଷଣ କରିବାରେ ବର୍ତ୍ତମାନର କରୋନା ସମୟରେ ଦୁର୍ବିସହ ହୋଇ ପଡ଼ିଛି ବୋଲି ରୁକ୍ମଣି କହିଛନ୍ତି। ବୃଦ୍ଧାବସ୍ଥାରୁ ରୁକ୍ମିଣୀଙ୍କ ସ୍ୱାସ୍ଥ୍ୟାବସ୍ତା ବାରମ୍ବାର ଖରାଫ ହେବା ମେଡ଼ିକାଲରେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଥିବା ଏବଂ ସାନପୁଅ ବର୍ତ୍ତମାନ କରୋନା ସ୍ଥିତିରେ ଅନେକ ଆର୍ଥିକ ସମାସ୍ୟା ଭୋଗ କରିଥିବା ମଧ୍ୟ ପ୍ରକାଶ କରିଛନ୍ତି। ଏପରିକି ସାନପୁଅର ଆର୍ଥିକ ଅସ୍ୱଚ୍ଛଳତାକୁ ହୃଦୟଙ୍ଗମ କରି ମାଆଁ ଘରୁ ଚାଲିଆସି ଆଉ ଘରକୁ ଯିବି ନାହିଁ ତତେ କଷ୍ଟଦେବି ନାହିଁ ବୋଲି କହି ଘର ବାହାରେ ବସିଯାଆନ୍ତି ପୁଣି ଚକ୍ର ତାଙ୍କ ସ୍ତ୍ରୀ ଏବଂ ପୁଅଝିଅ ବୁଝାସୁଝା କରି ବହୁବର୍ଷରେ ବୃଦ୍ଧାଙ୍କୁ ଘର ଭିତରକୁ ନେଇଥାନ୍ତି। ତେବେ ଜଣେ ଶିକ୍ଷିତ ହୋଇ ମଧ୍ୟ ବାସୁଦେବଙ୍କ ଏଭଳି କାର୍ଯ୍ୟକଳାପକୁ ସ୍ଥାନୀୟ ଅଞ୍ଚଳ ବାସି ନିନ୍ଦା କରିବା ସହିତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ତାଙ୍କ ମାଆ ରୁକ୍ମିଣୀ ବାଧ୍ୟ ହୋଇ ସମ୍ବଲପୁର ଜିଲ୍ଲାପାଲଙ୍କ କାର୍ଯ୍ୟାଳକୁ ଯାଇ ଦାବି କରିଛନ୍ତି। ଯଦିବା ସମାସ୍ୟାର ସମାଧାନ ନ ହୁଏ ମୁଁ ଅନଶନ କରିବାକୁ ମଧ୍ୟ ପଛାଇବି ନାହିଁ ବୋଲି ଦୃଢ଼ୋକ୍ତି କହିଛନ୍ତି। ରୁକ୍ମିଣୀ ଗତ ସେପ୍ଟେମ୍ବର ମାସ ୨୧ ତାରିଖ ଏବଂ ପୁଣି ଆଜି ନଭେମ୍ବର ମାସ ୨ ତାରିଖରେ ସମ୍ବଲପୁର ଜିଲ୍ଲାପାଳ ଦ୍ୱାରସ୍ତ ହୋଇ ନ୍ୟାୟଭିକ୍ଷା କରିଛନ୍ତି।

Comments are closed.