www.samajalive.in
Tuesday, December 9, 2025
15.1 C
Bhubaneswar

ସହରଠୁ ପାଖ, ବିକାଶଠୁ ଦୂରରେ ୭ ଗାଁ

ଫୁଲବାଣୀ/ବାଲିଗୁଡ଼ା :  ଦାବି ପୂରଣ ପାଇଁ ୨୦ ବର୍ଷ ଧରି ୭ ଖଣ୍ଡ ଗ୍ରାମବାସୀ ଦାବି କରି ଆସୁଛନ୍ତି । ଆଜି ପର୍ଯ୍ୟନ୍ତ କାହା କାନକୁ ଡାକ ଶୁଭୁନି। ନାନାଦି ସମସ୍ୟାରେ ଜୀବନ ଅତିବାହିତ କରୁଥିବା ଅଞ୍ଚଳବାସୀ ଭଗବାନଙ୍କ ଉପରେ ନିଜର ଭାଗ୍ୟ ଛାଡି ଦେଇଛନ୍ତି। ଲୋକଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନ ପାଖରେ ଖବର ଥିଲେ ମଧ୍ୟ ଦୁର୍ଗମ ଅଞ୍ଚଳ ଯୋଗୁ କେହି ବାସ୍ତବ ସମସ୍ୟା ପରଖିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। କେବଳ ଏ ପ୍ରକଳ୍ପରେ ରାସ୍ତା ନିର୍ମାଣ ଓ ସେ ପ୍ରକଳ୍ପରେ ପୋଲ ନିର୍ମାଣ ହେବ କହି ଭୁଆଁ ବୁଲାଇ ଚାଲିଛନ୍ତି। ରାସ୍ତା ନଥିବାରୁ ଯନ୍ତ୍ରଣାଦାୟକ ଜୀବନ ବିତାଉଛନ୍ତି। ପରିସ୍ଥିତିରେ ପଡ଼ି ବିନା ନାବିକରେ ଦଦରା କାଠ ଡଙ୍ଗାରେ ଲୋକେ ନାବିକ ସାଜିଛନ୍ତି। ସମୟ ବଦଳିଛି କିନ୍ତୁ, ବଦଳି ନାହିଁ ସେମାନଙ୍କର ଭାଗ୍ୟ। ଭୋଟ ମଧ୍ୟ ଦେଉଛନ୍ତି, ପ୍ରତିଶ୍ରୁତି ମଧ୍ୟ ପାଉଛନ୍ତି କିନ୍ତୁ ତାହ ପ୍ରତିଶ୍ରୁତିରେ ହିଁ ରହି ଯାଉଛି। ଆମେ ଯେଉଁ ଗ୍ରାମ କଥା କହୁଛୁ ତାହା ସହରଠୁ ପାଖ ହୋଇଥିଲେ ହେଁ କିନ୍ତୁ ବିକାଶ ଠାରୁ ଢେର ଦୂରରେ। ଏଭଳି ଦୃଶ୍ୟ କୌଣସି ଅପହଞ୍ଚ ଅଞ୍ଚଳ ନୁହେଁ, ବରଂ କନ୍ଧମାଳ ଜିଲା ବାଲିଗୁଡ଼ା ସଦରମହକୁମାଠାରୁ ମାତ୍ର ୧୨ କିଲୋମିଟର ଦୂରରେ ରହିଥିବା ୭ ଗ୍ରାମର ବାସ୍ତବିକ ଦୁଃଖ।
କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଳକର କୁଟିକିଆ ପଞ୍ଚାୟତ ଅନ୍ତର୍ଗତ କାଟାଳପାଙ୍ଗା , ଲାଇନପାଲି, ଗାଜୁରପଡ଼ା , ଡ଼ମପଡ଼ା , ଗାଜୁରପଡ଼ା , ଡ଼ଲରପାଙ୍ଗା , ଜିଡ଼ିଙ୍ଗିପାଙ୍ଗା ଗ୍ରାମରେ ପ୍ରାୟ ୨ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ଏହିସବୁ ଗଁାବାସୀ ପ୍ରତିଟି କାମରେ ବାଲିଗୁଡ଼ା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏହିସବୁ ଗଁାର ବିକାଶରେ ଅନ୍ତରାୟ ସାଜିଛି ଖଡଗନଦୀର ଶାଖା ଲାଇନପାଲି ନଦୀ। ପ୍ରତ୍ୟେକ ଦିନ ଗଁାବାସୀ ଦଦରା ଡଙ୍ଗାକୁ ନିଜେ ଚଳାଇ ବାଲିଗୁଡ଼ା ବଜାରକୁ ଆସିଥାନ୍ତି। ବର୍ଷକ ୧୨ ମାସ ଏହି ନଦୀରେ ଜଳ ପ୍ରବାହିତ ହେଉଥିବା ଯୋଗୁ ଲୋକେ ଦେଶୀଡଙ୍ଗା ଆଶ୍ରାରେ ଚଳପ୍ରଚଳ କରୁଛନ୍ତି। ପୂର୍ବରୁ ନାବିକ ଡ଼ଙ୍ଗା ଚଳାଇ ଲୋକଙ୍କୁ ନଦୀ ପାର କରାଉଥିଲା। ଲୋକେ ଏହା ବଦଳରେ ତାଙ୍କୁ ପାରିଶ୍ରମିକ ବି ଦେଉଥିଲେ। କିନ୍ତୁ ୧୦ ବର୍ଷ ତଳେ ନଦୀରେ ବନ୍ୟାଜଳ ହଠାତ୍‍ ବୃଦ୍ଧି ପାଇବାରୁ ଡଙ୍ଗାଟି ଭାସି ଯାଇଥିଲା। ପରବର୍ତ୍ତୀ ସମୟରେ ଗଁାବାସୀ ଚାନ୍ଦା କରି ଏକ କାଠ ଡଙ୍ଗା ନିର୍ମାଣ କରିଥିଲେ। ବର୍ଷା ଦିନେ ଅକାତ କାତ ପାଣିରେ ବିନା ନାଉରିଆରେ ଡଙ୍ଗା ଚଳାଇବା କାଠିକର ପାଠ ହୋଇପଡୁଛି। ଏହି କାରଣରୁ ଲୋକେ ୨ କିଲୋମିଟର ବଦଳେ ୨୫ କିଲୋମିଟର ଦୂର ସାଉଟିକିଆ ଓ ସିନ୍ଦିରିଗାଁ ପଞ୍ଚାୟତ ଦେଇ ବାଲିୁଡାକୁ ଯାତାୟତ କରୁଛନ୍ତି। ବର୍ଷାଦିନେ ଏହିସବୁ ଗ୍ରାମବାସୀ ରୋଜଗାର ଓ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହୁଛନ୍ତି ବୋଲି କହିଛନ୍ତି ଗ୍ରାମର ପ୍ରମୋଦ ମଲିକ ଓ ଉଦୟନାଥ ମଲିକ। ପ୍ରତ୍ୟେକ ଦିନ ୨୫ କିଲୋମିଟର ଯାତାୟତ କରିବା ବେଳେ ଗୁରୁତର ରୋଗୀ ଠିକ୍‍ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିନପାରି ମୃତ୍ୟୁବରଣ କରିଛନ୍ତି ବୋଲି କହିଛନ୍ତି କିସି ମଲିକ। ୭ଟି ଗ୍ରାମ ମଧ୍ୟରୁ କାଟାଲପାଙ୍ଗା ଗ୍ରାମରେ ୨୦ଟି ପରିବାର ରହୁଛନ୍ତି। ଆଜି ପର୍ଯ୍ୟନ୍ତ ଉକ୍ତ ଗଁାବାସୀ ଦେଖି ନାହାନ୍ତି ବିଜୁଳି ଆଲୁଅ। ସନ୍ଧ୍ୟା ହୋଇଗଲେ ଗାଁ ଘନ ଅନ୍ଧାର ସହ ବନ୍ୟଜନ୍ତୁଙ୍କ ଭୟ। ବାଧ୍ୟ ହୋଇ ଲୋାକ ତାଟି କବାଟ ପକାଇ ରହୁଛନ୍ତି। ମୁଖ୍ୟତଃ ରାସ୍ତା ସହିତ ପୋଲ ନିର୍ମାଣ ହୋଇନଥିବା ଯୋଗୁ ବିଜୁ ପକ୍କାଘର, ବାର୍ଦ୍ଧକ୍ୟ ଭତ୍ତା ଭଳି ସରକାରଙ୍କର ବହୁ ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ରହିଛନ୍ତି । ମାସନାଗୁଡ଼ା ଠାରୁ ପ୍ରାୟ ୩ କିଲୋମିଟର ନଦୀ ତୋଠ ପର୍ଯ୍ୟନ୍ତ ଗତ ୨୦ ବର୍ଷ ତଳେ ବ୍ଳକ ପ୍ରଶାସନ ପକ୍ଷରୁ ମାଟି ପକାଯାଇ ରାସ୍ତା ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ଉକ୍ତ ରାସ୍ତାରେ ଚାଲି ଚାଲିଯିବା ବି ଅସମ୍ଭବ । ବର୍ଷ ବର୍ଷ ଧରି ଉକ୍ତ ରାସ୍ତାରେ ମାଟି ଡାଲାଏ ମଧ୍ୟ ପଡ଼ିନି। ରାସ୍ତା ସମସ୍ୟାରୁ ଏହିସବୁ ଗଁାକୁ ରୋଗୀବୁହା ଯାନ ଯାଇପାରେନି। ଏହି ୭ଟି ଗ୍ରାମର ଅଧିବାସୀଙ୍କ ପାଇଁ ଏବେ ମଧ୍ୟ ଖଟିଆ ହିଁ ସାହା ଭରସା। ପୋଲ ଓ ରାସ୍ତା ନିର୍ମାଣ ପାଇଁ ୨୦ ବର୍ଷ ହେଲା ଦାବି ହୋଇ ଆସୁଛି ବୋଲି କହିଛନ୍ତି ବୁଦ୍ଧଦେବ ମଲିକ , ଗାଇଟା ମଲିକ ଓ ଅନ୍ୟମାନେ।
ବର୍ଷ ବର୍ଷ ଧରି ବିନା ନାବିକରେ କାଠ ଡଙ୍ଗାରେ ଯାତାୟାତ କରୁଥିବା ୭ ଖଣ୍ଡ ଗାଁର ଲୋକେ ଏକ ଯନ୍ତ୍ରଚାଳିତ ଡଙ୍ଗା ଅନ୍ତତଃ ପକ୍ଷେ ଯୋଗାଇ ଦେବାକୁ ଦାବି କରି ଥକି ଗଲେଣି। ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ୫ ଥର  ଗ୍ରାମବାସୀ ଲିଖିତ ଓ ମୌଖିକ ଭାବେ ଜଣାଇଛନ୍ତି। ସହରଠୁ ପାଖ ଓ ବିକାଶ ଠାରୁ ବୂରରେ ରହୁଥିବା ଏହି ୭ ଗ୍ରାମବାସୀଙ୍କ ଜୀବନ ଓ ଜୀବିକା ଆଜି ଅସୁରକ୍ଷିତ ହୋଇପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories