ନୂଆ ବିଜେପି ସରକାରକୁ ପୁରିଲା ୬ ମାସ: କିଛି ପୂରଣ ହୋଇଛି ପ୍ରତିଶ୍ରୁତି, ବାକି ଅଛି ଅନେକ
ଭୁବନେଶ୍ୱର: ଇତିମଧ୍ୟରେ ମୋହନ ସରକାରଙ୍କୁ ୬ ମାସ ପୁରିଛି। ସେ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ସେ ପୂରଣ କରିଛନ୍ତି କି ଏଭଳି ପ୍ରଶ୍ନ ଏବେ ଅନେକଙ୍କ ମନରେ ସୃଷ୍ଟି ହୋଇଛି। ଡିସେମ୍ବର ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ୬ ମାସ ପୂରଣ କରିଛି । ୨୦୨୪ ଜୁନ୍ ୧୨ ତାରିଖରେ ମୋହନ ଚରଣ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ଭିତରେ ମୋହନଙ୍କ ନେତୃତ୍ୱାଧୀନ ନୂଆ ବିଜେପି ସରକାରକୁ ୬ ମାସ ପୂରିଛି। ନିର୍ବାଚନ ବେଳେ ବିଜେପି ଅନେକ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା।
ରାଜ୍ୟରେ ନୂଆ ବିଜେପି ସରକାର ଗଠନ ହେଲାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ପୁରୀ ଶ୍ରୀମନ୍ଦିରର ୪ ଦ୍ବାର ଖୋଲିଥିଲେ। ଏହାପରେ ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ପ୍ରଦାନ କରଯାଇଛି। ଓଡ଼ିଆ ଅସ୍ମିତା ଆଉ ଓଡିଆ ଭାଷାରେ ସରକାରୀ କାର୍ଯ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା, ଆଇଟି ସେକ୍ଟରରେ ଉନ୍ନତି, ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ଏବଂ କାଳିଆ ଯୋଜନାରୁ ସିଏମ କିଷାନ ଯୋଜନା ଆଦି ମୋହନ ସରକାରଙ୍କ ସଫଳତା ବୋଲି କୁହାଯାଉଛି ।
ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି) ସରକାରକୁ କ୍ଷମତାଚ୍ୟୁତ କରି ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଢ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ସରକାର କ୍ଷମତାକୁ ଆସିବାର ୬ ମାସ ପୁରିଥିବା ବେଳେ ଓଡ଼ିଶାରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଖାଲି ପଡ଼ିଛି । ଦଳ ଓ ସଂଗଠନ ପାଇଁ ଦୀର୍ଘବର୍ଷ ଧରି କଠିନ ପରିଶ୍ରମ କରିଥିବା ଆଗଧାଡ଼ିର ନେତାମାନେ ନିଜ ଦଳର ସରକାରରେ ପଦପଦବୀ ପାଇବେ ବୋଲି ରଖିଛନ୍ତି।
ନୂଆ ବର୍ଷରୁ ବିଜେପି ରାଜ୍ୟ ସଭାପତି ପରିବର୍ତ୍ତନ ନେଇ ସୂଚନା ଦିଆଯାଇଥିବା ବେଳେ ଖାଲି ପଡ଼ିଥିବା ବିଭିନ୍ନ ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦବୀ ସମେତ ଜିଲ୍ଲା ଯୋଜନା ବୋର୍ଡ, ପଶ୍ଚିମଓଡ଼ିଶା ବିକାଶ ପରିଷଦ, ରାଜ୍ୟ ମହିଳା ଆୟୋଗ, ଲୋକାୟୁକ୍ତ ସଦସ୍ୟ ଓ ଅଧ୍ୟକ୍ଷ, ରାଜ୍ୟ ନିର୍ବାଚନ କମିଶନ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକ ପୂରଣ ହୋଇପାରିନାହିଁ । ଦଳ ଭିତରେ ଏହାକୁ ନେଇ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲେ ମଧ୍ୟ ୨୦୨୫ ଜାନୁୟାରୀରେ ଦଳର ସାଂଗଠନିକ ନିର୍ବାଚନ ସରିବା ପୂର୍ବରୁ ଏସବୁ ରାଜନୀତିକ ନିଯୁକ୍ତି ମିଳିନପାରେ ବୋଲି ଚର୍ଚ୍ଚା ହେଉଛି ।
ଇତି ମଧ୍ୟରେ ଦୁଇ ଜଣ ରାଜ୍ୟସଭା ସାଂସଦ ବିଜେଡିରୁ ଇସ୍ତଫା ଦେଇଛନ୍ତି ଓ ଉଭୟଙ୍କ ମଧ୍ୟରୁ ଜଣେ ବିଜେପି ଟିକଟରେ ରାଜ୍ୟସଭାକୁ ଯାଇଛନ୍ତି। ଅନ୍ୟଜଣେ ଏକମାତ୍ର ପ୍ରାର୍ଥୀଭାବେ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ରହିଛନ୍ତି ଏବଂ ସେ ଜିତିବା ନିଶ୍ଚିତ। ଏହାକୁ ନେଇ ବିଜେପି ଶିବିରରେ ଅସନ୍ତୋଷ ଲାଗି ରହିଥିବା ସୂଚନା ମିଳିଛି।
ରାଜ୍ୟରେ ପ୍ରଥମ ଥର ବିଜେପି ସଂଖ୍ୟାଗରିଷ୍ଠତା ହସଲାକରି କ୍ଷମତାକୁ ଆସିବା ପରେ ବିଭିନ୍ନ ସରକାରୀ ପଦପଦବୀରେ ରାଜନୈତିକ ନିଯୁକ୍ତି ପାଇଁ ଦଳର ଆଗଧାଡ଼ିର ନେତାମାନେ ବେଶ୍ ଉତ୍ସୁକ ହୋଇପଡ଼ିଥିଲେ । କିନ୍ତୁ ବିଜେପି ସରକାର ଗଠନକୁ ୬ ମାସ ପୁରିଗଲାଣି, ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନି । କେବଳ କ୍ଷମତାକୁ ଆସିବା ପରେ ପୂର୍ବ ସରକାରରେ ଏସବୁ ପଦବୀରେ ରାଜନୈତିକ ନିଯୁକ୍ତି ପାଇଥିବା ବିଜେଡି ସମର୍ଥିତ ନେତାମାନଙ୍କୁ ହଟାଇ ଦିଆଯାଇଛି ।
ଦଳରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ କେଉଁମାନଙ୍କୁ ସରକାରୀ ପଦପଦବୀରେ ଥଇଥାନ କରାଯିବ ତା’ର ତାଲିକା ପ୍ରସ୍ତୁତି ଚାଲିଥିବା ବେଳେ ଦୀର୍ଘବର୍ଷ ଧରି ସଂଗଠନ ସହ ଜଡ଼ିତ ଥିବା ବରିଷ୍ଠ ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯିବାକୁ ଯୋଜନା ରହିଛି। ଯେଉଁ କିଛି ନେତା ଅନ୍ୟ ଦଳ ଛାଡି ବିଜେପିର ମଙ୍ଗ ଧରିଛନ୍ତି ସେମାନଙ୍କ ମଧ୍ୟରୁ ପ୍ରଭାବଶାଳୀ ନେତାଙ୍କୁ ମଧ୍ୟ ଥଇଥାନ କରାଯିବ। ଦଳର ମହିଳା ଓ ଯୁବ ମୋର୍ଚ୍ଚାର ଆଗଧାଡ଼ିର ନେତାମାନେ ନିଜ ନିଜସ୍ତରରେ ଲବି ଜୋରଦାର ଜାରି ରଖିଥିବା ଜଣାପଡିଛି। ରାଜ୍ୟ ସରକାରରେ କାହାକୁ ଥଇଥାନ କରାଯିବ ସେ ନିଷ୍ପତ୍ତି ମୋହନ ସରକାର ନୁହେଁ ବରଂ ସଂଗଠନସ୍ତରରେ ନିଆଯିବ ବୋଲି ଚର୍ଚ୍ଚା ହେଉଛି।
ତେବେ ବର୍ତ୍ତମାନ ମଧ୍ୟ ଅନେକ ପ୍ରତିଶ୍ରୁତି ପୂରଣ କରିନାହାନ୍ତି ମୋହନ ସରକାର। ସେଥିମଧ୍ୟରୁ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ହୋଇନାହିଁ, ୮୦ ବର୍ଷରୁ ଅଧିକ ବୟସ୍କ ୩୫୦୦ ଟଙ୍କା ପାଇନାହାନ୍ତି, ହଜାର ହଜାର ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଟଙ୍କା ପାଇନାହାନ୍ତି, ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ବିଜୁଳି ଛାଡ଼ ପ୍ରତିଶ୍ରୁତି ପୂରଣ ହୋଇନାହିଁ, ଓଡ଼ିଶାକୁ ଦାଦନ ମୁକ୍ତ ପାଇଁ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ। ତେବେ ୨୦୨୫ ନୂଆ ବର୍ଷରୁ ବିଜେପି ସାଙ୍ଗଠନିକ ସ୍ତରରେ ପରିବର୍ତ୍ତନ ହେବା ପରେ ମୋହନ ସରକାର ଏସବୁ ପୂରଣ କରିବେ କି ନାହିଁ ତାହା ଦେଖିବାକୁ ବାକି ରହିଛି।
Comments are closed.