‘ଗୁଲାବ୍‌’ରେ ଜନ୍ମ ହେଲେ ୪୧ ଶିଶୁ

ବ୍ରହ୍ମପୁର : ସାମୁଦ୍ରିକ ଝଡ଼ ‘ଗୁଲାବ୍‌’ ପାଇଁ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ତରଫରୁ ଅନେକ ପ୍ରତିଶେଧକମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଆସନ୍ନ ପ୍ରସବାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ଜିଲାବ୍ୟାପୀ ମୋଟ ୭୦୯ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର ପାଇଁ ଲକ୍ଷ୍ୟ ରଖାଯାଇଥିଲା । ସେଥିରୁ ଶେଷ ସୂଚନା ମିଳିବା ସୁଦ୍ଧା ୨୪୧ଜଣ ଗର୍ଭବତୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଥିମଧ୍ୟରୁ ୪୧ଜଣ ଗର୍ଭବତୀ ସନ୍ତାନ ଜନ୍ମ ଦେଇଛନ୍ତି। ସାନଖେମୁଣ୍ଡି ବ୍ଲକର ସର୍ବାଧିକ ୧୬ଜଣ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିବା ବେଳେ ସେଥିରୁ ୭ଜଣଙ୍କ ପ୍ରସବ ହୋଇଛି । ସେହିଭଳି ସୋରଡ଼ା ବ୍ଲକରେ ୮ରୁ ୫ଜଣ, ଶେରଗଡ଼ ବ୍ଲକରେ ୧୪ରୁ ୩ଜଣ, ପୁରୁଷୋତ୍ତମପୁର ବ୍ଲକରେ ୧୩ରୁ ୪ଜଣ, ପୋଲସରା ବ୍ଲକରେ ୭ରୁ ୪ଜଣ, ପାତ୍ରପୁର ବ୍ଲକରେ ୧୦ରୁ ଜଣେ, ଜଗନ୍ନାଥପ୍ରସାଦ ବ୍ଲକରେ ୧୭ରୁ ଜଣେ, ଗଞ୍ଜାମ ବ୍ଲକରେ ୨୧ରୁ ୫ଜଣ, ବୁଗୁଡ଼ା ବ୍ଲକରେ ୫ରୁ ଜଣେ, ବେଲଗୁଣ୍ଠା ବ୍ଲକରେ ୯ରୁ ୪ଜଣ, ବେଗୁନିଆପଡ଼ା ବ୍ଲକରେ ୧୧ଜଣ ସ୍ଥାନାନ୍ତର ହୋଇଥିବା ବେଳେ ୪ଜଣ ସନ୍ତାନ ଜନ୍ମ ଦେଇଛନ୍ତି । ବ୍ରହ୍ମପୁର ମହାନଗର ଅଞ୍ଚଳରେ ୫ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨ଜଣ ସନ୍ତାନ ପ୍ରସବ କରିଛନ୍ତି । ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ଏବଂ ପ୍ରସବ ସହ ଅନ୍ୟାନ୍ୟ ସହାୟତା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଥିଲା ।

Comments are closed.