www.samajalive.in
Tuesday, December 9, 2025
15.1 C
Bhubaneswar

୩ୟ ପର୍ଯ୍ୟାୟ ନିର୍ବାଚନ : ୪୧୭ ପ୍ରାର୍ଥୀ , ୯୨ଲକ୍ଷ ୫୬ହଜାରରୁ ଅଧିକ ଭୋଟର

-୩୮ କେନ୍ଦ୍ର ପରିଚାଳନା କରିବେ ମହିଳା, -ସଶସ୍ତ୍ର ପୁଲିସ ବାହିନୀର ପଇନ୍ତରା ଅବ୍ୟାହତ
-୧୦,୪୬୪ ମତଦାନ କେନ୍ଦ୍ର,-୩୯୫ ମାଜିଷ୍ଟ୍ରେଟ ନିୟୋଜିତ

ଭୁବନେଶ୍ବର : ମଙ୍ଗଳବାର ରାଜ୍ୟର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ବର ଆଦି ୬ଟି ଲୋକସଭା ଓ ଏହି ସମସ୍ତ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ୧୦ଟି ଜିଲା ଅନ୍ତର୍ଭୁକ୍ତ ଏହିସବୁ ନିର୍ବାଚନମଣ୍ଡଳୀରେ ୧୦ ହଜାର ୪୬୪ଟି ବୁଥ କରାଯାଇଛି। ପୂର୍ବାହ୍ନ ୫.୩୦ରେ ମକପୋଲ କରାଯାଇ ୭ଟାରୁ ମତଦାନ କାର୍ଯ୍ୟ ଆରମ୍ଭ ହେବ। ଏହି ଅଞ୍ଚଳରେ ୩୩% ଅର୍ଥାତ ୩୧୮୬ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ସେଥିରୁ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ସମ୍ବେଦନଶୀଳ ବୁଥରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏବଂ ଅନ୍ୟ ସ୍ଥାନରେ ଅପରାହ୍ଣ ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ଦିନକୁ ଦିନ ନିର୍ବାଚନୀ ହିଂସା ବଢ଼ୁଥିବା ଦୃଷ୍ଟିରୁ ଏହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଅଞ୍ଚଳରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ଜିଲାପାଳମାନଙ୍କ ନିର୍ଦେଶରେ ସେମାନେ ଆଜିଠାରୁ ସମ୍ବେଦନଶୀଳ ଅଞ୍ଚଳରେ ପଇନ୍ତରା ଅବ୍ୟାହତ ରଖିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।
ତୃତୀୟ ପର୍ଯ୍ୟାୟରେ ଲୋକସଭା ପାଇଁ ୬୧ ଏବଂ ବିଧାନସଭା ପାଇଁ ୩୫୬ ପ୍ରାର୍ଥୀ ଅଛନ୍ତି। ମୋଟ ୯୨ଲକ୍ଷ ୫୬ହଜାର ୯୨୨ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ୬୮,୪୨୨ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬୩,୫୭୦ ପୁରୁଷ ଏବଂ ୪,୮୫୨ ମହିଳା ପୋଲିଂ କର୍ମଚାରୀ ରହିଛନ୍ତି। ସେମାନେ ସନ୍ଧ୍ୟା ସୁଦ୍ଧା ଧାର୍ଯ୍ୟ ବୁଥରେ ସୁରକ୍ଷିତ ଭାବେ ପହଞ୍ଚି ସାରିଥିବା ସେ କହିଛନ୍ତି।


ଏଥର ୩୮ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ମହିଳା କର୍ମଚାରୀ ପରିଚାଳନା କରିବେ। ନିର୍ବାଚନ କାର୍ଯ୍ୟରେ ୩୯୫ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଛି। ଆଇନଶୃଙ୍ଖଳା ରକ୍ଷା ଓ ଶୃଙ୍ଖଳିତ ଭାବେ ନିର୍ବାଚନ ପରିଚାଳନା ନେଇ ୫୯୬ଟି ବୁଥ ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି। ୯୧୩ଟି ବୁଥରେ ୱେବ କାଷ୍ଟିଂ କରାଯିବା ସହ ୭୭୯ ବୁଥରେ ସିସି କ୍ୟାମେରା ବ୍ୟବସ୍ଥା ହୋଇଛି। ୩୭୨ ବୁଥରେ ଭିଡିଓଗ୍ରାଫି କରାଯିବ। ସେହିପରି ୨୬୦ ବୁଥରେ ଫଟୋ ଉତ୍ତୋଳନ ନେଇ ପଦକ୍ଷେପ ନିଆଯାଇଛି। ୮୫୮ଜଣ ମାଇକ୍ରୋ ଅବଜରଭର ନିୟୋଜିତ ହୋଇଥିବା ବେଳେ ସେକ୍ଟର ଅଫିସରଙ୍କ ପାଇଁ ଜିପିଏସ ଲାଗିଥିବା ୧୧୭୧ ଯାନ ବ୍ୟବସ୍ଥା କରାଯାଇଛି।
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧ଲକ୍ଷ ୫୮ହଜାର ୪୯୫ ଭିନ୍ନକ୍ଷମ ମତଦାତା ଅଛନ୍ତି। ୭୮୧୦ ବୁଥରେ ଦୃଷ୍ଟିହୀନଙ୍କ ପାଇଁ ବ୍ରେଲି ବାଲଟ ପେପର ଦିଆଯାଇଛି। ଭିନ୍ନକ୍ଷମ ଏବଂ ବୃଦ୍ଧବୃଦ୍ଧାଙ୍କୁ ସହାୟତା ପ୍ରଦାନ ନେଇ ୨୦ହଜାର ୭୭୮ ସ୍ବେଚ୍ଛାସେବୀ କାର୍ଯ୍ୟ କରୁଛନ୍ତି। ଭିନ୍ନକ୍ଷମ ମତଦାତାଙ୍କୁ ବୁଥକୁ ଆଣିବା ଓ ବୁଥରୁ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ୬୩୯୦ଟି ଗାଡ଼ିର ବ୍ୟବସ୍ଥା ହୋଇଛି। ମତଦାନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଯେପରି ସେମାନଙ୍କ ମତାଧିକାର ସାବ୍ୟସ୍ତ କରିପାରିବେ ସେନେଇ ୧୮,୭୯୬ ପୋଷ୍ଟାଲ ବାଲଟ ଦିଆଯାଇଛି।
ତୃତୀୟ ପର୍ଯ୍ୟାୟରେ ଲୋକସଭା ପାଇଁ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ନୀତେଶ ଗଙ୍ଗଦେବ, ପୂର୍ବତନ ସାଂସଦ ଶରତ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାଖ୍ୟା ପ୍ରସାଦ ସିଂହଦେଓ, ବିଧାୟକ ମହେଶ ସାହୁ, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ସାଂସଦ ପିନାକୀ ମିଶ୍ର, ସମ୍ବିତ ପାତ୍ର, ଭୁବନେଶ୍ବରରୁ ଅରୂପ ପଟ୍ଟନାୟକ, ଅପରାଜିତା ଷଡ଼ଙ୍ଗୀ, ଜନାର୍ଦ୍ଦନ ପତି ପ୍ରମୁଖ ଅଛନ୍ତି। ସେହିପରି ବିଧାନସଭା ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ନୃସିଂହ ଚରଣ ସାହୁ, ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ,, ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ସମୀର ଦେ, ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ମହେଶ୍ବର ମହାନ୍ତି, ବିଧାୟକ ସଞ୍ଜୟକୁମାର ଦାସବର୍ମା, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ମନ୍ତ୍ରୀ ପ୍ରଦୀପ ମହାରଥୀ, ବିଧାୟକ ଅରୁଣକୁମାର ସାହୁ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ଅଭିନେତ୍ରୀ ଅପରାଜିତା ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରେଶକୁମାର ରାଉତରାୟ,, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପ୍ରମୁଖ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ମଙ୍ଗଳବାର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories