ଖଣି ଦୁର୍ନୀତି ମାମଲା ଭିଜିଲାନ୍ସ କୋର୍ଟରେ ହାଜର ହେଲେ ଚମ୍ପୁଆର ପୂର୍ବତନ ବିଧାୟକ
କେନ୍ଦୁଝରଗଡ଼: ଯୋଡା ଖଣିକ୍ଷେତ୍ର ଅଧୀନ ବି.ଡି.ପଟ୍ଟନାୟକ କଳାପର୍ବତ ଖଣି ଦୁର୍ନୀତି ମାମଲାରେ ଚମ୍ପୁଆର ପୁର୍ବତନ ବିଧାୟକ ଜିତୁ ପଟ୍ଟନାୟକ ଶନିବାର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ କେନ୍ଦୁଝରଙ୍କ କୋର୍ଟରେ ହାଜର ହୋଇଥିବା ଦେଖିବାକୁ ମିଳିଛି। ବି.ଡି.ପଟ୍ଟନାୟକ କଳାପର୍ବତ ଖଣିରୁ ୧୩୦.୩୯କୋଟି ଟଙ୍କାର ଖଣିଜ ସମ୍ପଦ ଚୋରି ହୋଇଥିବା ନେଇ ୧୭ ନଭେମ୍ବର ୨୦୦୯ରେ ଭିଜିଲାନ୍ସ କେସ ନଂ ୧୯/୨୦୧୧ ଯୋଗେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ କେନ୍ଦୁଝରଙ୍କ କୋର୍ଟରେ ୧୩(୨), ୧୩(୧) (ଡି) ପି.ସି .ଆକ୍ଟ, ୩୭୯, ୪୨୦, ୪୧୧, ୧୨୦(ବି) ଆଇପିସି ଏବଂ ୨୧ଏମଏମଡିଆର ଆକ୍ଟ ସେକ୍ସନ ୩ (ଏ) ଏଫ.ସି ଆକ୍ଟ ଯୋଗେ ୧୫ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ୨୬ ମାର୍ଚ୍ଚ ୨୦୧୩ରେ ଚାର୍ଜସିଟ୍ ଦାଖଲ ପରେ ୧୧ ଜୁନ ୨୦୧୩ ରେ କୋର୍ଟ ମାମଲାକୁ ବିଚାରଯୋଗ୍ୟ ଗ୍ରହଣ କରି ପକ୍ଷମାନଙ୍କୁ କୋର୍ଟରେ ହାଜର ପାଇଁ ନୋଟିସ ଜାରି କରିଆସିଛନ୍ତି। ଏହି ମାମଲାରେ ମୋଟ ୧୫ଜଣ ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ଶନିବାର ୧୪ଜଣ ଓକିଲଙ୍କ ଜରିଆରେ ହାଜର ହୋଇଥିବା ବେଳେ ମାମଲାର ଅନ୍ୟତମ ଅଭିଯୁକ୍ତ ଚମ୍ପୁଆର ପୁର୍ବତନ ବିଧାୟକ ଜିତୁ ପଟ୍ଟନାୟକ କୋର୍ଟରେ ହାଜର ହୋଇଥିବା ଦେଖିବାକୁ ମିଳିଥିଲା।
ତେବେ ସେ ଏହି ମାମଲାରେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଏବଂ ଦାଖଲ ହୋଇଥିବା ଚାର୍ଜଫ୍ରେମରୁ ତାଙ୍କ ନାମକୁ ବାଦ୍ ଦେବା ପାଇଁ ମାନ୍ୟବର କୋର୍ଟଙ୍କ ନିକଟରେ ପୂର୍ବରୁ ଆବେଦନ କରିଥିବା ଡିସଚାର୍ଜ ପିଟିସନର ଆଜି ଶୁଣାଣୀ ପାଇଁ ଧାର୍ଯ୍ୟ ହୋଇଥିଲା। ତେବେ ଏହି ମାମଲାର ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିବା ସ୍ପେଶାଲ ପି.ପି କୌଣସି କାରଣରୁ ଅନୁପସ୍ଥିତ ଥିବାରୁ ଏହାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ୧୬ତାରିଖକୁ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି।