www.samajalive.in
Monday, December 8, 2025
20.1 C
Bhubaneswar

ଆଜିଠାରୁ ଦେଶରେ କାର୍ଯ୍ୟକାରୀ ହେଲା ଖାଉଟି ସୁରକ୍ଷା ଆଇନ ୨୦୧୯

ନୂଆଦିଲ୍ଲୀ : ଖାଉଟି ସୁରକ୍ଷା ଆଇନ ୨୦୧୯ ସୋମବାରଠାରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି। ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶୱାନ କହିଛନ୍ତି ଯେ,କାର୍ଯ୍ୟକାରୀ ହୋଇଥିବା ଆଇନ ଦ୍ୱାରା ଖାଉଟିମାନେ ସଶକ୍ତ ହେବେ ଏବଂ ସେମାନଙ୍କର ଅଧିକାର ସୁରକ୍ଷିତ ହୋଇପାରିବ। ଏହି ଆଇନରେ ଖାଉଟିଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ବିଧି ବିଧାନ ରହିଛି। ସେଥିମଧ୍ୟରେ ଖାଉଟି ସୁରକ୍ଷା ପରିଷଦ, ଖାଉଟି ବିବାଦ ସମାଧାନ ଆୟୋଗ ବା କମିସନ, ମଧ୍ୟସ୍ଥ ବ୍ୟବସ୍ଥା, ଉତ୍ପାଦ ବା ଜିନିଷପତ୍ର ପାଇଁ ଉତ୍ପାଦନକାରୀଙ୍କୁ ଉତ୍ତରଦାୟୀ କରିବା ଆଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ କୌଣସି ଭେଜାଲ ବା ବିଷାକ୍ତ ସାମଗ୍ରୀ ପ୍ରସ୍ତୁତି ଏବଂ ଏହାର ବିକ୍ରିବଟା କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ବିରୋଧରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି।

ଶ୍ରୀ ପାଶୱାନ କହିଛନ୍ତି ଯେ ଏହି ଆଇନ ଅନୁସାରେ ଏକ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ବା ସିସିପିଏ ଗଠନ କରାଯିବ।  ସିସିପିଏ ଖାଉଟି ସୁରକ୍ଷା ଅଧିକାରର ଉଲ୍ଲଂଘନ ମାମଲାର ତଦନ୍ତ କରିବ। ଆବଶ୍ୟକସ୍ଥଳେ ଏସବୁ ମାମଲାର ବିଚାର କରି ଅଭିଯୁକ୍ତ ପକ୍ଷଙ୍କ ବିରୋଧରେ ଦଣ୍ଡବିଧାନ କରିପାରିବ। ଦ୍ରବ୍ୟର ଗୁଣମାନ ନେଇ ଆପତ୍ତି ଅଭିଯୋଗ ମିଳିଲେ ତାହାର ତଦନ୍ତ କରି ସତ୍ୟାସତ୍ୟ ଭିତ୍ତିରେ ଏହି ସଂସ୍ଥା ଅସୁରକ୍ଷିତ ସଂପୃକ୍ତ ସାମଗ୍ରୀ ବା ସେବାକୁ ପ୍ରତ୍ୟାହାର କରିନେବାକୁ ନିର୍ଦ୍ଦେଶ ଦେଇ ପାରିବେ। ଶ୍ରୀ ପାଶୱାନ କହିଛନ୍ତି ଯେ ଇ-କମର୍ସ ପ୍ଲାଟଫର୍ମଗୁଡିକରେ ଅସାଧୁ ବାଣିଜ୍ୟ କାରବାରର ନିରାକରଣ ପାଇଁ ଏହି ଆଇନରେ ବ୍ୟବସ୍ଥା ରହିଛି । କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ଗଠନ ଏବଂ ଇ-କମର୍ସରେ ଅସାଧୁ ବାଣିଜ୍ୟ କାରବାର ନିରାକରଣ ଆଇନ ସଂକ୍ରାନ୍ତ ଗେଜେଟ ବିଜ୍ଞପ୍ତି ଖୁବ୍‌ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି ।

- Advertisement -

ଏହି ଆଇନ ଅନୁସାରେ ପ୍ରତ୍ୟେକ ଇ-କମର୍ସ ସଂସ୍ଥାକୁ ନିଜର ରିଟର୍ଣ୍ଣ, ରିଫଣ୍ଡ, ଏକ୍ସଚେଞ୍ଜ, ୱାରେଣ୍ଟି, ଗ୍ୟାରେଣ୍ଟି, ଡେଲିଭରି, ସିପ୍‌ମେଣ୍ଟ, ପେମେଣ୍ଟର ମାଧ୍ୟମ, ଅଭିଯୋଗ ନିରାକରଣ ବ୍ୟବସ୍ଥା, ପେମେଣ୍ଟ ମେଥଡ, ପେମେଣ୍ଟ ମେଥଡର ନିରାପତ୍ତା, ଚାର୍ଜବ୍ୟାକ୍‌ ଅପ୍‌ସନ ଆଦି ସଂପର୍କରେ ସୂଚନା ଦେବାକୁ ପଡିବ। କେଉଁ ଦେଶରୁ ବା କେଉଁ ସ୍ଥାନରୁ ସେମାନେ ସାମଗ୍ରୀ ଓ ସେବା କିଣୁଛନ୍ତି ସେ କଥା ମଧ୍ୟ ସେମାନଙ୍କୁ ଦର୍ଶାଇବାକୁ ହେବ। ଏହା ଫଳରେ ଜିନିଷ କିଣିବା ପୂର୍ବରୁ ଗ୍ରାହକ ନିଜ ପସନ୍ଦ ଅନୁସାରେ ତାହା କିଣିପାରିବେ । ଶ୍ରୀ ପାଶୱାନ କହିଛନ୍ତି ଯେ ଇ-କମର୍ସ ପ୍ଲାଟଫର୍ମଗୁଡିକୁ ଖାଉଟିଙ୍କ ଅଭିଯୋଗ ଉପରେ ରସିଦ ଦେବା ବାଧ୍ୟତାମୂଳକ ହେବ । ସେମାନେ ୪୮ ଘଣ୍ଟା ମଧ୍ୟରେ ଏହି ଅଭିଯୋଗର ପ୍ରାପ୍ତିସ୍ୱୀକାର କରିବେ ଏବଂ ତ୍ରୁଟିପୂର୍ଣ୍ଣ ସାମଗ୍ରୀ ଓ ସେବା ପାଇଁ ପ୍ରାପ୍ତିସ୍ୱୀକାରର ଏକମାସ ମଧ୍ୟରେ ପ୍ରତିକାର ବ୍ୟବସ୍ଥା କରିବାକୁ ବାଧ୍ୟ।

ମନ୍ତ୍ରୀ ଶ୍ରୀ ପାଶୱାନ ଆହୁରି କହିଛନ୍ତି ଯେ ନୂଆ ଆଇନରେ ଖାଉଟି ବିବାଦ ସମାଧାନ ପ୍ରକ୍ରିୟାକୁ ସରଳ କରାଯାଇଛି। ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲାର ଶୁଣାଣି ହୋଇପାରିବ। ଅଭିଯୋଗ ଦାଖଲର ୨୧ ଦିନ ମଧ୍ୟରେ ଏହାର ଗ୍ରହଣଯୋଗ୍ୟତା ନେଇ କୌଣସି ନିଷ୍ପତ୍ତି ହୋଇନପାରିଲେ ତାହାକୁ ଆୟୋଗ ଗ୍ରହଣ କରିଛନ୍ତି ବୋଲି ବିଚାର କରାଯିବ। ଶ୍ରୀ ପାଶୱାନ କହିଛନ୍ତି ଯେ ଖାଉଟି ବିବାଦ ସମାଧାନ କମିସନ ନିୟମ ଅନୁସାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାମଲାରେ କୌଣସି ଫି ଲାଗିବ ନାହିଁ ।

କେନ୍ଦ୍ରୀୟ ଖାଉଟି ସୁରକ୍ଷା ପରିଷଦ ଆଇନ ଅନୁସାରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପରିଷଦ ଗଠିତ ହେବ। ଏହା ଖାଉଟି ବ୍ୟାପାରର ଏକ ପରାମର୍ଶଦାତା ମଣ୍ଡଳୀଭାବେ କାର୍ଯ୍ୟ କରିବ। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଏହାର ମୁଖ୍ୟଭାବେ କାର୍ୟ୍ୟ କରିବେ । ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଏହି ପରିଷଦର ଉପାଧ୍ୟକ୍ଷ ହେବେ । ସମାଜର ବିଭିନ୍ନ କ୍ଷେତ୍ରରୁ ୩୪ ଜଣ ଏହି ପରିଷଦର ସଦସ୍ୟଭାବେ ଅବସ୍ଥାପିତ ହେବେ । ପରିଷଦର କାର୍ୟ୍ୟକାଳ ୩ବର୍ଷ ରହିବ । ଏଥିରେ ମଧ୍ୟ ଦେଶର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଓ ଉତ୍ତର ପୂର୍ବାଞ୍ଚଳ ଏହି ୫ଟି ଭାଗରୁ ଦୁଇଜଣ ଲେଖାଏଁ ପ୍ରାଦେଶିକ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଦସ୍ୟଭାବେ ରହିବେ । କୌଣସି ଏକ ନିର୍ଦ୍ଦିଷ୍ଟ କାର୍ୟ୍ୟ ପାଇଁ ପରିଷଦର ସଦସ୍ୟମାନଙ୍କୁ ନେଇ କାର୍ୟ୍ୟକାରୀ ଗୋଷ୍ଠୀ ଗଠନ କରାଯାଇପାରିବ ।

ଶ୍ରୀ ପାଶୱାନ କହିଛନ୍ତି ଯେ ୧୯୮୬ରେ ପ୍ରଣୀତ ଖାଉଟି ସୁରକ୍ଷା ଆଇନରେ ନ୍ୟାୟ ପାଇଁ କେବଳ ଗୋଟିଏ ବାଟ ଥିଲା । ତାହା ବାହାରେ ଖାଉଟିମାନଙ୍କୁ ଅନ୍ୟ ବାଟରେ ନ୍ୟାୟ ମିଳିବା ବ୍ୟବସ୍ଥା ନଥିଲା। ପୁରୁଣା ବ୍ୟବସ୍ଥାରେ ବିବାଦ ସମାଧାନ ପାଇଁ ଦୀର୍ଘ ସମୟ ଲାଗୁଥିଲା। ବହୁ ପରୀକ୍ଷା ନିରୀକ୍ଷା ଓ ସଂଶୋଧନ ପରେ ଏହି ନୂଆ ଆଇନ ପ୍ରସ୍ତୁତ କରାଯାଇଛି। କେବଳ ପାରମ୍ପରିକ ବିକ୍ରେତା ନୁହନ୍ତି, ନୂଆ ଇ-କମର୍ସ ବେପାରୀ ଓ ପ୍ଲାଟଫର୍ମ କବଳରୁ ଖାଉଟିଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଆଇନ ଉଦ୍ଦିଷ୍ଟ। ସେ କହିଛନ୍ତି ଯେ ଏହି ଆଇନ ଦେଶରେ ଖାଉଟିଙ୍କ ଅଧିକାର ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗହଣ କରିବ ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories