ଓଡ଼ିଆ ମାଟିରେ ତେଲୁଗୁ ଗାଁ
ମାଲକାନଗିରି: ରାଜ୍ୟ ସରକାର ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଶହଶହ କୋଟିର ଯୋଜନା କଥା କହୁଥିବାବେଳେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ବହୁ ଗ୍ରାମ। ମାଓବାଦୀ ଦମନ ପରେ ଦଶନ୍ଧି ଦଶନ୍ଧି ପରେ ଏହି ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ଚାଲିଥିବାବେଳେ ମାଳ ମାଳ ନେତା ଓ ମନ୍ତ୍ରୀଙ୍କ ସୁଅ ଛୁଟୁଛି ସ୍ୱାଭିମାନ ଅଞ୍ଚଳକୁ। ତେବେ ଏବେ ବି ଏଭଳି ବହୁ ଗ୍ରାମ ଅଛି ଯେଉଁଠି ମୌଳିକ ସୁବିଧା ସାତସପନ। ସ୍ୱାଭିମାନ ଅଞ୍ଚଳରେ ଏଭଳି ଗ୍ରାମ ଅଛି ଯେଉଁଗୁଡିକ ପଡୋଶୀ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି। ପଡୋଶୀ ଆନ୍ଧ୍ରର ଭୋଟର ତାଲିକାରେ ଏହି ଗ୍ରାମବାସୀଙ୍କ ନାମ ରହିଛି। ସେଥିପାଇଁ ଆନ୍ଧ୍ରପ୍ରଦେଶ ଏହି ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ଚକ୍ରାନ୍ତ ଆରମ୍ଭ କରିଛି।
କୋରାପୁଟ ଜିଲାର କୋଟିଆ ଭଳି ସ୍ୱାଭିମାନ ଅଞ୍ଚଳର ବହୁ ଗ୍ରାମ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲା ପାଡେରୁ ବ୍ଲକର ପେଦାବାଇଲି, ମୁଚିଙ୍ଗପୁଟ ଓ କୋରୁକୋଣ୍ଡା ପଞ୍ଚାୟତର ସୀମାନ୍ତରେ ରହିଥିବା ବେଳେ ସେଥିମଧ୍ୟରେ ଏକ ଗ୍ରାମ ହେଉଛି ଚିତାଙ୍ଗୁରୁ, ଯେଉଁଠି ସରକାରଙ୍କ ଟଙ୍କିକିଆ ଚାଉଳ ମିଳୁନାହିଁ,
ବିଦ୍ୟାଳୟ ନ ଥିବାରୁ ପିଲା ପାଠ ପଢ଼ିପାରୁନାହାନ୍ତି। ସେଠାରେ ବହୁ ବୃଦ୍ଧ ବୃଦ୍ଧା ଓ ବିଧବା ଅଛନ୍ତି ଯେଉଁମାନଙ୍କୁ ଭତ୍ତା ମିଳୁନାହିଁ। ଚିତାଙ୍ଗୁରୁ ଗ୍ରାମ ଓଡ଼ିଶାରେ ରହିଥିଲେ ହେଁ ଓଡ଼ିଶାର ଆଧାର କାର୍ଡ କିମ୍ବା ଭୋଟ ପରିଚୟ ପତ୍ର ଲୋକଙ୍କ ପାଖରେ ନାହିଁ। ଏହି କାରଣରୁ ଚଳିତ ଥର ଏହି ଗ୍ରାମର ପ୍ରାୟ ୪୦% ଲୋକ ଭୋଟ ଦେବାରୁ ବଞ୍ଚିତ ହେେବ। ଯେଉଁ କିଛି ଲୋକଙ୍କ ଭୋଟ କାର୍ଡ ଅଛି ସେମାନଙ୍କ ନାମ ଭୋଟର ତାଲିକାରେ ନାହିଁ। ଗ୍ରାମର କିଛି ଲୋକଙ୍କୁ ପ୍ରାୟ ୧୫ କିଲୋମିଟର ଦୂର ଡଲିଆମ୍ବ କିମ୍ବା ଧୂଳିପୁଟ ଯାଇ ଟଙ୍କିକିଆ ଚାଉଳ ଆଣିବାକୁ ପଡୁଛି। ଏହି ଗ୍ରାମର ପ୍ରାୟ ୯୦% ଲୋକ ତେଲୁଗୁ ଭାଷାଭାଷୀ। ସେମାନେ ନା ଓଡିଆ ବୁଝୁଛନ୍ତି ନା କହୁଛନ୍ତି ା କେବଳ ଚିତାଙ୍ଗୁରୁ ନୁହେଁ, ଆଖ ପାଖ ଅଞ୍ଚଳର ବହୁ ଗ୍ରାମବାସୀଙ୍କୁ ଆନ୍ଧ୍ରର ଲୋଭନୀୟ ପ୍ୟାକେଜ ଆକୃଷ୍ଟ କରୁଛି। ଓଡ଼ିଶାରେ ୫୦୦ଟଙ୍କା ବଦଳରେ ଆନ୍ଧ୍ରରେ ୧୫୦୦ ଟଙ୍କା ଭତ୍ତା ମିଳୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଗ୍ରାମରେ ଓଡ଼ିଶାରୁ ମାତ୍ର ଦୁଇଜଣ ଭତ୍ତା ପାଉଛନ୍ତି। ତେବେ ଧୂଳିପୁଟ ପଞ୍ଚାୟତରେ ଚଳିତଥର ଏମାନେ ନିର୍ବାଚନରେ ଅଂଶଗ୍ରହଣ କରିବେ ବୋଲି କହୁଥିବାବେଳେ ପଞ୍ଚାୟତ ନିର୍ବାଚନ ହେବା ପରେ ଥରୁଟିଏ ମଧ୍ୟ ଏହି ଗ୍ରାମବାସୀ କାହାକୁ ଭୋଟ ଦେଇନାହାନ୍ତି। ଆନ୍ଧ୍ର ଉପରେ ନିର୍ଭରଶୀଳ ଥିଲେ ମଧ୍ୟ ଓଡ଼ିଶା ପ୍ରତି ଏମାନଙ୍କ ରହିଛି ଅହେତୁକ ଆକର୍ଷଣ। କିନ୍ତୁ ସରକାର ଏହି ଅଞ୍ଚଳବାସୀଙ୍କ ଦୁଃଖ ଅଦ୍ୟାବଧି ବୁଝୁନାହାନ୍ତି ା ଆଧାର କାର୍ଡ କିମ୍ବା ପଡ଼ି କାର୍ଡ ନ ଥିବାରୁ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ। ଏହି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣ ପତ୍ର ମିଳିନାହିଁ ା ଜଙ୍ଗଲ ଜମି କଥା ନ କହିବା ଭଲ। ଚାଷ କାମ ନ ଥିବାରୁ ବାଧ୍ୟ ହୋଇ ଗଞ୍ଜେଇ ଚାଷ ଉପରେ ନିର୍ଭରଶୀଳ। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଗଞ୍ଜେଇ ଚାଷ ଉପରେ ନିର୍ଭରଶୀଳ। ସରକାରଙ୍କ ପକ୍ଷରୁ ଏହି ଗ୍ରାମବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ନ ଦେଲେ ଆଗାମୀ ଦିନରେ ଚିତାଙ୍ଗୁରୁ ଗ୍ରାମ ଆନ୍ଧ୍ରପ୍ରଦେଶର ଅକ୍ତିଆରକୁ ସମ୍ପୂର୍ଣ ଚାଲିଯିବାର ଆଶଙ୍କା ପ୍ରକାଶ ପାଇଛି।
ଓ
Comments are closed.