ନୂଆଦିଲ୍ଲୀ : ଦୀର୍ଘ ୨ମାସରୁ ଅଧିକ ସମୟ ଧରି ବନ୍ଦ ରହିବା ପରେ ସୋମବାର ଅର୍ଥାତ ଆସନ୍ତାକାଲିଠାରୁ ଧର୍ମପୀଠ, ମଲ୍, ରେସ୍ତୋରାଁ, ହୋଟେଲ୍ ଓ ଅଫିସ୍ସବୁ ଖୋଲିବ। ଏଥିପାଇଁ ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ପ୍ରସ୍ତୁତ ହୋଇଛନ୍ତି। ଅନ୍ୟପକ୍ଷରେ ଏହିସବୁ ସ୍ଥାନଗୁଡ଼ିକୁ ଖୋଲିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗତ ୪ ତାରିଖରେ ନିର୍ଦ୍ଧାରିତ ପରିଚାଳନା ପଦ୍ଧତି (ଏସ୍ଓପି)ଜାରି କରିଥିଲେ।
ଏହି ମାର୍ଗଦର୍ଶିକା ଅନୁଯାୟୀ ମଲ୍, ରେସ୍ତୋରାଁ ଓ ଧାର୍ମିକସ୍ଥଳୀଗୁଡ଼ିକୁ ଯିବାବେଳେ ସମସ୍ତ କର୍ମଚାରୀ, ଶ୍ରମିକ ଓ ଧର୍ମଗୁରୁ ତଥା ପୂଜକମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ। ଏଥିମଧ୍ୟରେ ଅତିକମରେ ୬ ଫୁଟର ଶାରୀରିକ ଦୂରତା ରକ୍ଷାକରିବା ଏବଂ ମୁହଁକୁ ଘୋଡାଇ କରି ରଖିବା ଆଦି ଅନ୍ତର୍ଭୁକ୍ତ। କାଶିବା ଓ ଛିଙ୍କିବା ସମୟରେ ପାଟି ଓ ନାକକୁ ଟିସୁ ଓ କପଡ଼ାରେ ଭଲ ଭାବରେ ଢ଼ାଙ୍କିବା ଏବଂ ବ୍ୟବହୃତ ଟିସୁ ଓ କପଡ଼ାକୁ ଯତ୍ନର ସହ ବାହାରେ ଫିଙ୍ଗିବା ଆଦିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଏହି ମାର୍ଗଦର୍ଶିକାରେ କୁହାଯାଇଛି।

ସମସ୍ତ ବ୍ୟକ୍ତି ନିଜର ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହିତ କୌଣସି ଅସୁସ୍ଥତା ଅନୁଭବ କଲେ ସେ ସଂପର୍କରେ ତୁରନ୍ତ ରାଜ୍ୟ କିମ୍ବା ଜିଲ୍ଲା ହେଲ୍ପ୍ ଲାଇନକୁ ସୂଚନା ଦେବା ପାଇଁ ମଧ୍ୟ କୁହାଯାଇଛି। ଭୋଜନାଳୟ ଭିତରେ ଖାଇବା ପରିବର୍ତ୍ତେ ଖାଦ୍ୟ ସାମଗ୍ରୀ ଘରକୁ ନେବାକୁ ଗ୍ରାହକମାନଙ୍କୁ ପ୍ରୋତ୍ସାହିତ କରିବା ସକାଶେ ସବୁ ରେସ୍ତୋରାଁକୁ କୁହାଯାଇଛି। ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି,ଗର୍ଭବତୀ ମହିଳା ଓ ୧୦ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଧାର୍ମିକସ୍ଥଳୀକୁ ନ ଯିବା ପାଇଁ ଏହି ମାର୍ଗଦର୍ଶିକାରେ ପରାମର୍ଶ ଦିଆଯାଇଛି। ବଡ଼ବଡ଼ ସମାବେଶକୁ ପୂର୍ବଭଳି ନିଷିଦ୍ଧ କରାଯାଇଛି।



