ଆଜି ରାଜ୍ୟବ୍ୟାପୀ ଅଭିଭାବକ-ଶିକ୍ଷକ ବୈଠକ

ପିଲାଙ୍କୁ ନ ଆଣିବାକୁ ଅନୁରୋଧ

‘ଅବକାଶ ଗୃହକାର୍ଯ୍ୟ’କୁ ପ୍ରୋତ୍ସାହିତ କରିବେ ଅଭିଭାବକ

prayash

ଭୁବନେଶ୍ବର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ରାଜ୍ୟ ସରକାର ଶୁକ୍ରବାରଠାରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ଖରାଛୁଟି ଘୋଷଣା କରିଛନ୍ତି। ମାତ୍ର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଶୁକ୍ରବାର ଚଳିତ ଶିକ୍ଷାବର୍ଷ ୨୦୨୩-୨୪ର ପ୍ରଥମ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହେବ। ସକାଳ ୬ଟା୩୦ରୁ ଏହା ଆରମ୍ଭ ହୋଇଛି ଏବଂ ୧୦ଟା୩୦ ପର୍ଯ୍ୟନ୍ତ ଚାଲିବ। ଏଥିରେ ସମସ୍ତ ଅଭିଭାବକ, ଏସଏମ୍‌ସି, ଏସଏମ୍‌ଡିସିର ସଭ୍ୟ ଓ ସଭ୍ୟାମାନେ ଯୋଗଦାନ କରିବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଅଭିଭାବକମାନେ ଛାତ୍ରଛାତ୍ରୀଙ୍କୁ ବୈଠକକୁ ନ ଆଣିବାକୁ କୁହାଯାଇଛି।
ଚଳିତବର୍ଷ ରାଜ୍ୟ ସରକାର ଆଗୁଆ ଛୁଟି ଘୋଷଣା କରିଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା କାର୍ଯ୍ୟରେ ନିୟୋଜିତ ରଖିବାକୁ ପ୍ରଥମ ଥର ପାଇଁ ପ୍ରାଥମିକରୁ ମାଧ୍ୟମିକ ସ୍ତରର ପିଲାମାନଙ୍କ ନିମନ୍ତେ ‘ଅବକାଶ ଗୃହକାର୍ଯ୍ୟ’ ଆରମ୍ଭ ହେବ। ଏ ସମ୍ପର୍କରେ ବୈଠକରେ ଅଭିଭାବକମାନଙ୍କୁ କୁହାଯିବ। ଗ୍ରୀଷ୍ମ ଅବକାଶରେ ପିଲାମାନେ ସେମାନଙ୍କର ଅଭିଭାବକମାନଙ୍କର ସହାୟତାରେ ଏହି ଗୃହକାର୍ଯ୍ୟଗୁଡ଼ିକୁ ସମ୍ପାଦନ କରିବେ। ଅଭିଭାବକ ପିଲାମାନଙ୍କୁ ଏହି ‘ଅବକାଶ ଗୃହ କାର୍ଯ୍ୟ’ ସମ୍ପାଦନ କରିବାକୁ ପ୍ରୋତ୍ସାହିତ କରିବେ। ଯାହାଫଳରେ ପିଲାମାନେ ଖରାଛୁଟିକୁ ଉପଭୋଗ କରିବା ସହ ପାଠ୍ୟପୁସ୍ତକ ସହ ସଂଯୁକ୍ତ ହୋଇ ରହିବେ। ଏହି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଜିଲାସ୍ତରରେ ହେଲ୍ପ ଡେସ୍କ ତଥା କଲ୍ ସେଣ୍ଟର ପ୍ରଚଳନ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଜିଲାସ୍ତରରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦ୍ୱାରା ପରିଚାଳିତ ହେବ। ଛାତ୍ରଛାତ୍ରୀ ‘ଅବକାଶ ଗୃହକାର୍ଯ୍ୟ’ ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ, ସେମାନେ ସଂପୃକ୍ତ ହେଲ୍ପ ଡେସ୍କ ତଥା କଲ୍ ସେଣ୍ଟରକୁ ଫୋନ୍‌ କରି ସହାୟତା ନେଇ ପାରିବେ। ସେମାନଙ୍କର ସମସ୍ତ ସମସ୍ୟାକୁ ଦକ୍ଷ ଓ ବିଷୟଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସମାଧାନ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.