ବ୍ରହ୍ମପୁର: ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଦାବି ଜୋର୍ଦାର୍ ହେବାରେ ଲାଗିଛି। ବିଭିନ୍ନ ସଂଗଠନଗୁଡ଼ିକ ତରଫରୁ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସେହିଭଳି ବ୍ରହ୍ମପୁର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଆସନ୍ତା ୧୨ ତାରିଖରୁ ବ୍ୟାପକ ଦସ୍ତଖତ ଅଭିଯାନ ଆରମ୍ଭ ହେବ । ଘରକୁ ଘର ବୁଲି ଲୋକଙ୍କ ଠାରୁ ଦସ୍ତଖତ ସଂଗ୍ରହ କରାଯିବ ବୋଲି ମଞ୍ଚର ସଭାପତି ତ୍ରିନାଥ ମହାରଣା ପ୍ରକାଶ କରିଛନ୍ତି। ଏନେଇ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ ବିମାନ ବନ୍ଦର ପ୍ରତିଷ୍ଠାରେ ହେଳା କରୁଥିବା ଯୋଗୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇଥିଲା। ସମସ୍ତ ପ୍ରକାର ଭିତ୍ତିଭୂମି ଥିବା ସତ୍ତ୍ବେ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁ ବିମାନ ବନ୍ଦର ପ୍ରତିଷ୍ଠା ହୋଇପାରୁନି ବୋଲି ମଞ୍ଚର ସଦସ୍ୟମାନେ ମତ ରଖିଥିଲେ। ଏଣୁ ବହୁ ସଂଖ୍ୟାରେ ଦସ୍ତଖତ ସଂଗ୍ରହ କରି ସେଗୁଡ଼ିକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଲଳିତ ମୋହନ ସାହୁ, ସନ୍ତୋଷ କୁମାର ମହାନ୍ତି, ପ୍ରଭାତ କୁମାର ମିଶ୍ର, ସମୀର କୁମାର ଆଚାର୍ଯ୍ୟ, ଦେବୀ ପ୍ରସାଦ ସାହୁ, ସୀମାଞ୍ଚଳ ପତି, ହରି ସିଂ, ଲିଙ୍ଗରାଜ ମହାପାତ୍ର, ଲକ୍ଷ୍ମୀନାରାୟଣ ବେହେରା, ଉପସଭାପତି ପ୍ରମୋଦ କୁମାର ସାହୁ, ହିମାଂଶୁ କୁମାର ପଟ୍ଟନାୟକ, ଶିବ ପ୍ରସନ୍ନ ମିଶ୍ର, ଟି.କାମେଶ୍ବର ରାଓ, ନୀଳାମ୍ବର ସାହୁ, ଏ.ଚିରଞ୍ଜିବୀ ଆଚାରୀ ପ୍ରମୁଖ ଭାଗନେଇଥିଲେ।
Popular Categories



