ମୁମ୍ବଇ: କାରଗିଲ୍ ଯୁଦ୍ଧ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଶେରଶାହ’କୁ ସିନେପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ର ପରମବୀର ଚକ୍ରରେ ସମ୍ମାନିତ ଦିବଙ୍ଗତ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନ କାହାଣୀ ଦେଖିବାକୁ ମିଳିବ। ସିଦ୍ଧାର୍ଥ ମାଲହୋତ୍ରା ଏଥିରେ କ୍ୟାପ୍ଟେନ ବିକ୍ରମ ବତ୍ରା ଭୂମିକାରେ ଅଭିନୟ କରିଛନ୍ତି। କାରଗିଲ ବିଜୟ ଦିବସକୁ ଦୃଷ୍ଟିରେ ରଖି ରବିବାର ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି। ଟ୍ରେଲରରେ କ୍ୟାପ୍ଟେନ ବତ୍ରାଙ୍କ ଭୂମିକା ଉପରେ ଗୁରୁତ୍ବ ଦିଆଯାଇଛି। ସିଦ୍ଧାର୍ଥଙ୍କ ଆକ୍ସନ ଅବତାର ମଧ୍ୟ ଟ୍ରେଲରରେ ଦେଖିବାକୁ ମିଳିଛି। ଖାକି ପୋଷାକରେ ସିଦ୍ଧାର୍ଥ ଦେଶଭକ୍ତି ଭରା ଡାଏଲଗ୍ କହୁଥିବା ଦେଖିବାକୁ ମିଳିଛି। ଟ୍ରେଲରକୁ ଲୋକେ ଖୁବ୍ ପସନ୍ଦ କରୁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ୧୯୯୯ ମସିହାରେ କାରଗିଲ ଯୁଦ୍ଧରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ କ୍ୟାପଟେନ ବିକ୍ରମ। ତାଙ୍କର ଏହି ବଳିଦାନର କାହାଣୀକୁ ନେଇ ଫିଲ୍ମକୁ ପ୍ରସ୍ତୁତ କରାଯାଇଛି। ଏଥିରେ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଅନ୍ତିମ ଲଢେଇର କିଛି ଦୃଶ୍ୟ ଦର୍ଶାଇ ଟ୍ରେଲରକୁ ଏକ ଉତ୍କଣ୍ଠାପୂର୍ଣ୍ଣ ତଥା ଅନିଶ୍ଚିତତାର ମୋଡ଼ ଦିଆଯାଇଛି। ‘ଶେରଶାହ’ ଆସନ୍ତା ଅଗଷ୍ଟ ୧୨ ତାରିଖରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡ଼ିଓରେ ମୁକ୍ତିଲାଭ କରିବ। ବିଷ୍ଣୁବର୍ଦ୍ଧନଙ୍କ ଦ୍ବାରା ନିର୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଭାର ଧର୍ମା ପ୍ରଡକ୍ସନ ଏବଂ କାସ୍ ଏଣ୍ଟରନେଟନମେଣ୍ଟ ବହନ କରିଛନ୍ତି।


