ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦିନ କୁ ଦିନ ବୁଲା କୁକୁର ମାନଙ୍କ ଆତଙ୍କ ବଢ଼ି ଚାଲିଛି। ହଜାର ହଜାର ସଂଖ୍ୟାରେ ନିଗମ ଅଞ୍ଚଳରେ ବୁଲା କୁକୁର ମାନେ ସବୁ ଅଞ୍ଚଳରେ ମୁକ୍ତ ବିଚରଣ କରୁଥିବା ବେଳେ ସେମାନଙ୍କର ଆର୍ତକିତ ଆକ୍ରମଣରେ ପ୍ରତ୍ୟହ ବହୁ ଲୋକ ଆହତ ହୋଇ କୁକୁରା କାମୁଡାର ଯନ୍ତ୍ରଣା ସହ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ନିଗମବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସତ୍ୱେ କୌଣସି ସୁଫଳ ମିଳୁ ନାହିଁ। ଏ ସର୍ମ୍ପକରେ ବୁଲା କୁକୁର ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ନିଯୁକ୍ତ ପ୍ରାଣୀଧନ ବିଭାଗର ଉପ ନିର୍ଦ୍ଦେଶକ ଡା. ହାଡିବନ୍ଧୁ ଭୋଇଙ୍କ ପଚରାଯିବାରୁ ସେ କହିଛନ୍ତି ଯେ, ବୁଲା କୁକୁର ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ନିୟମିତ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ନଗର ନିଗମର ସହାୟତାରେ ଚାଲୁ ରହିଥିବା ବେଳେ କରୋନା ସଙ୍କଟ ଯୋଗୁଁ ଗତ ମାର୍ଚ୍ଚ ମାସରୁ ଏହା ବନ୍ଦ ରହିଥିଲା।
ତେବେ ଅନଲକ ୧.୦ ଜୁନ ପହିଲାରୁ ଆରମ୍ଭ ହେବା ପରେ ପୁର୍ନବାର ଆରମ୍ଭ ହୋଇଛି। ଗୋଟିଏ କୁକୁରର ବନ୍ଧ୍ୟାକରଣ ଓ ରେବିଜ ନ ହେବା ପାଇଁ ପ୍ରତିଷେଧାତ୍ମକ ଟିକାକରଣ ପାଇଁ ସାଧାରଣତଃ ୫ ରୁ ୭ ଦିନ ପର୍ଯ୍ୟନ୍ତ ସମୟ ଲାଗି ଥାଏ। ଏହି କାର୍ଯ୍ୟରେ ନିଗମର ଡକ କ୍ୟାଚେର ଯାନ ଓ କର୍ମଚାରୀ ମାନେ ସ୍ୱତନ୍ତ୍ର ଭାବରେ ନିଗମର ବିଭିନ୍ନ ଅଞ୍ଚଳରୁ ନିୟମିତ ଭାବରେ ଏକ ସଙ୍ଗରେ ପ୍ରାୟ ୨୦ଟି ପର୍ଯ୍ୟନ୍ତ ବୁଲା କୁକୁର ଥରୁଟିଏରେ ଧରି ପ୍ରାଣୀଧନ ବିଭାଗର ବୁର୍ଲା ସ୍ଥିତ ଚିକିତ୍ସା କେନ୍ଦ୍ରକୁ ଆଣିଥାନ୍ତି। ସେହି କୁକୁର ମାନଙ୍କୁ ଏକ ବଡ କୋଠରୀରେ ରଖାଯାଇ ବିଭିନ୍ନ ପ୍ରକ୍ରିୟା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ ବନ୍ଧ୍ୟାକରଣ ଅସ୍ତ୍ରୋପଚାର, ରେବିଜ ଟିକାକରଣ ଓ ଅନ୍ୟାନ୍ୟ ପ୍ରତିଷେଧାତ୍ମକ ପନ୍ଥା ଗ୍ରହଣ କରାଯାଇଥାଏ। ଏହି ପ୍ରକ୍ରିୟାରେ ପ୍ରାୟ ୫ ରୁ ୭ ଦିନ ଲାଗୁଥିବା ବେଳେ ନିଗମ ଅଞ୍ଚଳରେ ଭିତ୍ତିଭୂମିର ଅଭାବରୁ ଏକ ସଙ୍ଗରେ ମାତ୍ର ୨୦ଟି ପର୍ଯ୍ୟନ୍ତ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇ ପାରୁଛି। ଫଳରେ ଏକ ମାସରେ ପ୍ରାୟ ୧୦୦ଟି ପର୍ଯ୍ୟନ୍ତ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇ ପାରୁଛି। ଆମର କୁକୁର ମାନଙ୍କର ଚିକିତ୍ସାଗତ ପକ୍ଷ ରହିଥିବା ବେଳେ ନିଗମର ଭିତ୍ତିଭୂମି ଯୋଗାଇ ଦେବାର ଦାୟିତ୍ୱ ରହିଛି।
ଯଦି ନିଗମ ତରଫରୁ ଥରୁଟିଏରେ ପ୍ରାୟ ୧୦୦ଟି କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ଆବଶ୍ୟକ ଭିତ୍ତିଭୂମି ଯଥା କୁକୁର ରଖିବା କେନ୍ଦ୍ର, ଅସ୍ତ୍ରୋପଚାର କେନ୍ଦ୍ର ଆଦି ଯୋଗାଇ ଦିଆଯାଏ ତାହା ହେଲେ ଏହି କାର୍ଯ୍ୟ ଆହୁରୀ ଶିଘ୍ର କରାଯାଇ ପାରିବ। ପ୍ରାୟ ଦୁଇ ବର୍ଷ ମଧ୍ୟରେ (କରୋନା ଲକ ଡାଉନ ସମୟ ବ୍ୟତିତ) ଏ ପର୍ଯ୍ୟନ୍ତ ପ୍ରାୟ ୧୯ ଶହ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଇ ସାରିଛି। ସମ୍ବଲପୁର ସହରର ପ୍ରମୁଖ ମାର୍ଗ ଯଥା, ଭିଏସଏସ ମାର୍ଗ, ସାକ୍ଷୀପଡାରୁ ଜାତୀୟ ରାଜପଥ ମାର୍ଗ, ମୋଦିପଡାରୁ ଅଇଁଠାପାଲି ଛକ, ଫାର୍ମ ରୋଡ, ଧନୁପାଲି ରାସ୍ତା ଆଦିରେ ରହିଥିବା ବୁଲା କୁକୁର ମାନଙ୍କ ବନ୍ଧ୍ୟାକରଣ କରାଯାଇଥିବା ବେଳେ ନିୟମିତ ଭାବରେ ଏହି କାର୍ଯ୍ୟ ଜାରି ରହିଛି। ଶୁକ୍ରବାର ୧୫ ଟି କୁକୁରଙ୍କ ବନ୍ଧ୍ୟାକରଣ ଓ ଟିକାକରଣ କରାଯାଇ ସାରିଥିବାରୁ ସେମାନଙ୍କୁ ଯେଉଁ ଅଞ୍ଚଳରୁ ଧରା ଯାଇଥିଲା, ପୁର୍ନବାର ସେହି ଅଞ୍ଚଳରେ ଛଡା ଯିବ। ଜନତାଙ୍କ ସୁରକ୍ଷାକୁ ଧ୍ୟାନରେ ରଖାଯାଇ ରାତ୍ର ପ୍ରାୟ ୩ଟାରୁ ସକାଳ ୫ଟା ମଧ୍ୟରେ ବୁଲା କୁକୁର ମାନଙ୍କୁ ଧରା ଯାଉଛି। ଏହା ଏକ ନିୟମିତ ପ୍ରକ୍ରିୟା ଅଟେ। ନିଗମ ଅଞ୍ଚଳ ବହୁଗୁଣିତ ହୋଇଥିବାରୁ ଭିତ୍ତିଭୂମିର ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ଉପ ନିର୍ଦ୍ଦେଶକ ଡା. ଭୋଇ କହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ବିଭାଗୀୟ ସମନ୍ୱୟ ଓ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ନିଗମ ଅଞ୍ଚଳରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ି ଚାଲିଛି। ଏଣୁ ଜନତାଙ୍କ ବୃହତ୍ତର ସ୍ୱାସ୍ଥ୍ୟ ଓ ଜୀବନ ସୁରକ୍ଷାକୁ ଧ୍ୟାନ ଦେଇ ତୁରନ୍ତ ବିଭାଗ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ବୁଲା କୁକୁରଙ୍କ ଦୌରାତ୍ମ୍ୟକୁ ନିୟନ୍ତ୍ରଣ କରିବା ପାଇଁ ନିଗମବାସୀ ଦାବି କରୁଛନ୍ତି।



