ଡେସ୍କ: କୃଷି ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରସାଦ ସ୍ବାଇଁ ଅଲିଭ୍ ରିଡଲେ କଇଁଛ ସଂରକ୍ଷଣ ପାଇଁ ଲାଗୁ ହୋଇଥିବା ନିଷେଧାଦେଶ ସମୟରେ ଜୀବିକା ସୁଦୃଢ଼ କରିବା ପାଇଁ ‘ଅଲିଭ୍ ରିଡଲେ କଇଁଛ ସଂରକ୍ଷଣ ପାଇଁ ମାଛ ଧରା ନିଷେଧ ସମୟରେ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଜୀବିକା ସହାୟତା’ ଯୋଜନା ଅଧୀନରେ ମତ୍ସ୍ୟଜୀବୀ ପରିବାରମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟ ୧୫୦୩୭ ମତ୍ସ୍ୟଜୀବୀ ପରିବାର ଏହି ସୁବିଧା ପାଇଛନ୍ତି।
ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୋଟ ୧୫ ହଜାର ୩୭ଟି ମତ୍ସ୍ୟଜୀବୀ ପରିବାରକୁ ୧୫ ହଜାର ଟଙ୍କା ହିସାବରେ ୨୨ କୋଟି ୫୫ ଲକ୍ଷ ୫୫ ହଜାର ଟଙ୍କା ଜୀବିକା ସହାୟତା ପ୍ରଦାନ କରିଥିଲେ। ଏଥିରେ ଜଗତସିଂହପୁରରୁ ୪୨୩, କେନ୍ଦ୍ରାପଡ଼ାରୁ ୬୭୭୩, ପୁରୀରୁ ୩୪୫୦, ଗଞ୍ଜାମରୁ ୩୬୩୮ ଓ ଭଦ୍ରକ ଜିଲ୍ଲାର ୭୫୩ ପରିବାର ଅଲିଭ ରିଡଲେ କଇଁଛ ସଂରକ୍ଷଣ ପାଇଁ ମାଛ ଧରା କଟକଣା ଯୋଗୁଁ ପ୍ରଭାବିତ ହେଉଛନ୍ତି।
କୃଷି ଭବନଠାରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ମାଛ ଧରିବା ନିଷେଧ ସମୟରେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ସେମାନଙ୍କ ଜୀବିକା ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅଲିଭ୍ ରିଡଲେ କଇଁଛ ସଂରକ୍ଷଣ ପାଇଁ ସରକାର ମାଛ ଧରା ନିଷେଧ ଅବଧିରେ ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କୁ ଜୀବିକା ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ରାଜ୍ୟ ଯୋଜନା ଆରମ୍ଭ କରିଛନ୍ତି।
ସେ କହିଛନ୍ତି, ବିଭିନ୍ନ ମଞ୍ଚରେ ମତ୍ସ୍ୟଜୀବୀଙ୍କ ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମୟ ସମୟରେ ଜୀବିକା ସହାୟତା ବୃଦ୍ଧି କରିଛନ୍ତି। ୨୦୧୭-୧୮ରେ ଏହି ରାଶିକୁ ୭୫୦୦/- ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଗତ ବର୍ଷ ଏହି ରାଶିକୁ ପୁଣି ଥରେ ୧୫,୦୦୦/- ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଚଳିତ ବର୍ଷ ଭଦ୍ରକ ଜିଲ୍ଲାର ୧୫୦୩୭ ମତ୍ସ୍ୟଜୀବୀ ପରିବାର ମଧ୍ୟରୁ ୭୫୩ ଟି କ୍ଷତିଗ୍ରସ୍ତ ପରିବାରକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।



