ପିପିଲି:ପିପିଲିର ଦିବଂଗତ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ସାନଭାଇ ପ୍ରଣୟ କ଼ୁମାର ମହାରଥୀ (ବଦୁ)ଙ୍କର ୬୪ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ପରଲୋକ ଘଟିଛି। ସେ କରୋନା ସଂକ୍ରମିତ ହେବା ପରେ ଗତ ୧୦ ତାରିଖରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୧୩ ତାରିଖରେ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ୨୬ ତାରିଖରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ଆଜି ସକାଳେ ତାଙ୍କ ପରଲୋକ ଘଟିଥିଲା।
ଦିବଂଗତ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ସାନଭାଇ ପ୍ରଣୟ କ଼ୁମାର ମହାରଥୀ ଜଣେ ମିଷ୍ଠଭାଷି, ପରୋପକାରୀ ଓ ଅତ୍ୟନ୍ତ ମେଳାପି ପ୍ରକୃତିରେ ବ୍ୟକ୍ତି ହୋଇଥିବା ବେଳେ ପିପିଲି ନିର୍ବାଚନମଣ୍ଡଳୀର ଅନେକ ସାଂସ୍କୃତିକ, ସାମାଜିକ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ରହି ସମାଜସେବାରେ ନିୟୋଜିତ ଥିଲେ। ତାଙ୍କ ପରଲୋକରେ ସମଗ୍ର ନିର୍ବାଚନମଣ୍ଡଳୀରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ସତ୍ୟନଗର ସ୍ଥିତ ଶ୍ମଶାନରେ ତାଙ୍କ ଶେଷଦର୍ଶନ କରିଥିଲେ। ସେ ଜଣେ ଭଲ ଚାଷୀ ହୋଇଥିବା ବେଳେ ନଡିଆଚାଷରେ ସେ ବେଶ୍ ସଫଳତା ହାସଲ କରିଥିଲେ। ଏଥିପାଇଁ ନାରିକେଳ ଉନ୍ନୟନ ବୋର୍ଡ ପକ୍ଷରୁ ୨୦୧୬ ମସିହା ସେପ୍ଟେମ୍ବର ୨ ତାରିଖରେ ବିଶ୍ୱ ନାରିକେଳ ଦିବସ ପାଳନ ଅବସରରେ ତାଙ୍କୁ ଜାତୀୟ ପୁରଷ୍କାର ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ସଫଳ କୃଷକଭାବେ ସେ ଏକାଧିକ ଥର ସମ୍ମାନିତ ହୋଇଛନ୍ତି। ତାଙ୍କର ଦୁଇପୁତ୍ର ଥିବା ବେଳେ ସାନପୁଅ ସାକ୍ୟ ପ୍ରତାପ ମୁଖାଗ୍ନି ଦେଇଥିଲେ।



