ନୂଆଦିଲ୍ଲୀ: ଯେତେ ଯାହା କଲେ ମଧ୍ୟ ପୁରୁଣା ରୋଗ ଛାଡ଼ିବାକୁ ଚୀନ ନାରାଜ । ନିମ୍ନମାନର ସାମଗ୍ରୀ ପ୍ରସ୍ତୁତି ଓ ବିକ୍ରି କରିବାରେ ଚୀନ କମ୍ପାନୀଗୁଡ଼ିକର ଯେଉଁ କୁଖ୍ୟାତି ରହିଛି ତାହା ଏବେ କରୋନା ମହାମାରୀ ସମୟରେ ବି ଅବ୍ୟାହତ ରହିଛି । ଭାରତକୁ ଯୋଗାଇଥିବା ପର୍ସେନାଲ ପ୍ରୋଟେକ୍ଟିଭ ଇକ୍ବିପମେଣ୍ଟ (ପିପିଇ) କିଟ୍ ଯୋଗାଣରେ ମଧ୍ୟ ଠିକ୍ ସେହି ଘଟଣା ଘଟିଛି ଏବଂ ଏହା ବ୍ୟବହାରିକ ମାନଦଣ୍ଡକୁ ପୂରଣ କରୁ ନାହିଁ ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଯେ ଚୀନରୁ ଆମଦାନୀ ହୋଇଥିବା ୬୩ ହଜାର ପିପିଇ କିଟ୍ ତାହା ଆବଶ୍ୟକୀୟ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି । ଏହା ପୂର୍ବରୁ ଗୁରୁବାର ମଧ୍ୟ ଅନୁରୂପ ଖବର ଗଣମାଧ୍ୟମକୁ ଆସିଥିଲା ଯେ ଚୀନ୍ କିଛି ଖରାପ ଗୁଣବତ୍ତା ସମ୍ପନ୍ନ ସାମଗ୍ରୀ ଭାରତକୁ ପଠାଇଛି । କିଛି ଘରୋଇ କମ୍ପାନୀ ଭାରତ ସରକାରଙ୍କୁ ପିପିଇ କିଟ୍ ଦାନ କରିଥିଲେ। ଏହାର ଯାଞ୍ଚ ବେଳେ ଏହି ସାମଗ୍ରୀ ମଧ୍ୟ ଚୀନରୁ ଆମଦାନୀ ହୋଇଥିବା ଜଣା ପଡ଼ିଥିଲା ।
ଇକୋନୋମିକ ଟାଇମ୍ସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏକକିଛି ଘରୋଇ ସଂସ୍ଥା ଭାରତ ସରକାରଙ୍କୁ ୧.୭ ଲକ୍ଷ ପିପିଓ ପ୍ରଦାନ କରିଥିଲେ। ଯେଉଁଥିରୁ ୫୦ ହଜାର ବ୍ୟବହାର ଉପଯୋଗୀ ପରୀକ୍ଷାରେ ବିଫଳ ହୋଇଥିଲା । ଏପରିକି ଦୁଇଟି ପର୍ଯ୍ୟାୟରେ ଆସିଥିବା ୧୦ହଜାର ଓ ୩୦ ହଜାର ପିପିଇ କିଟ୍ ମଧ୍ୟ ନିମ୍ନମାନର ସାବ୍ୟସ୍ତ ହୋଇଥିଲା। ଏହି ସାମଗ୍ରୀ ସବୁକୁ ସରକାରଙ୍କ ପକ୍ଷରୁ ଗ୍ବାଲିଅରର ଡ଼ିଫେନ୍ସ ରିସର୍ଚ୍ଚ ଏଣ୍ଡ ଡ଼େଭଲପମେଣ୍ଟ ଅର୍ଗାନାଇଜେସନ ଲାବ୍ରୋଟୋରୀରେ ପରୀକ୍ଷା କରାଯାଇଥିଲା ।



