ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶନିବାର ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ୩୩୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୦ କିମି ଲମ୍ବ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭୂମି ପୂଜନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୨୧୫ ନମ୍ବର ଜାତୀୟ ରାଜପଥର ରିମୁଳି-କୋଇଡ଼ା ଭାଗ (ନୂତନ ୫୨୦ ନଂ ଜାତୀୟ ରାଜପଥ)କୁ ୪ ଲେନ ବିଶିଷ୍ଟ କରିବା, ୨୧୫ ନଂ ଜାତୀୟ ରାଜପଥ(ନୂଆ ୫୨୦ ନଂ ଜାତୀୟ ରାଜପଥ)ର କୋଇଡ଼ା-ରାଜାମୁଣ୍ଡା ଭାଗକୁ ଚାରି ଲେନ ବିଶିଷ୍ଟ କରିବା ଏବଂ ୬ ନଂ ଜାତୀୟ ରାଜପଥ (ନୂତନ ୪୯ ନଂ ଜାତୀୟ ରାଜପଥ)ର ସିଙ୍ଗାରା-ବିଞ୍ଜାବାହାଲ ଭାଗକୁ ୪ ଲେନବିଶିଷ୍ଟ କରାଯିବା। ଏହି ପ୍ରକଳ୍ପଗୁଡ଼ିକ ଅଧୀନରେ ୪ଟି ବାଇପାସ, ୩ଟି ଫ୍ଲାଏଓଭର, ୧୧ଟି ବାହନ ଅଣ୍ଡରପାସ, ୧୨ଟି ବୃହତ ସେତୁ, ୫୦ଟି ସାଧାରଣ ସେତୁ ଏବଂ ୩୪ କିମି ସର୍ଭିସ ରୋଡ ରହିଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ଆନ୍ତଃରାଜ୍ୟ ସଡ଼କ ଯୋଗାଯୋଗରେ ସୁଧାର ଆସିପାରିବ ଏବଂ ରାଜ୍ୟର ଅନ୍ୟ ଅଂଶ ତଥା ବନ୍ଦରଗୁଡ଼ିକ ସହିତ ଖଣିଜସମୃଦ୍ଧ ଜିଲ୍ଲାଗୁଡ଼ିକର ସଂଯୋଗ ସ୍ଥାପନ ହୋଇପାରିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବା ସହିତ ଯାନବାହନ ଯାତାୟାତରେ ହେଉଥିବା ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି।
Popular Categories



