- ଚାରିଆଡେ ବଢିଚାଲିଛି କୁକୁଡା ମଡକ; ଥମିବାର ନାଁ ଧରୁନି
- ସରକାରୀ କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ରର ୩୪୮୪ ଚିଆଁକୁ ମରାଗଲା
ପିପିଲି:ପିପିଲି ଓ ସତ୍ୟବାଦୀରେ ବାର୍ଡ-ଫ୍ଲୁ କୁ ନେଇ ସାରା ରାଜ୍ୟ ଏବେ ଚିନ୍ତାରେ। ବାର୍ଡ-ଫ୍ଲୁ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ପ୍ରାଣୀ ସଂପଦ ବିଭାଗ ଜୋରଦାର ପ୍ରୟାସ ଚଳାଇଥିଲେ ମଧ୍ୟ ସମଗ୍ର ପିପିଲି ଅଞ୍ଚଳରେ କୁକୁଡା ମଡକ ଥମିବାର ନାଁ ଧରୁନି। ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ବାର୍ଡ-ଫ୍ଲୁ ର ହଟ୍ସ୍ପଷ୍ଟ ପାଲଟିଥିବା ପିପିଲି ଅଞ୍ଚଳର ବିଭିନ୍ନ କୁକୁଡା ଫାର୍ମରେ ଦୈନିକ ଶହ ଶହ ସଂଖ୍ୟାରେ କୁକୁଡା ମଡକ ହେଉଛି। ଯାହାକି ସମସ୍ତଙ୍କର ଚିନ୍ତା ବଢାଇଦେଇଛି। କୁକୁଡାମରା ଓ କୁକୁଡା ଫାର୍ମ ବିଶୋଧନ କାର୍ଯ୍ୟରେ ପିପିଲିରେ ନିୟୋଜିତ ପ୍ରାଣୀ ସଂପଦ ବିଭାଗ ରାପିଡ୍ ରେସ୍ପନ୍ସ ଟିମ୍ (ଆର୍ଆର୍ଟି)ର ୨ଜଣ ସଦସ୍ୟଙ୍କର ସ୍ୱାବ୍କୁ ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଯାଇଛି।
ଅଦ୍ୟାବଧି ସେମାନଙ୍କ ରିପୋର୍ଟ ଆସିନଥିବା ବେଳେ ଜ୍ୱରରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଜଣେ ସଦସ୍ୟଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରସ୍ଥ ସଂଗରୋଧ (ଆଇସୋଲେସନ) କୋଠରୀରେ ରଖାଯାଇଛି। ଏହି କୁକୁଡା ମଡକ ଯୋଗୁଁ ପିପିଲି, ସତ୍ୟବାଦୀ, ଡେଲାଙ୍ଗ ଓ ନିମାପଡା ଅଞ୍ଚଳର କୁକୁଡାଚାଷୀଙ୍କ ମଧ୍ୟରେ ହାହାକାର ପଡିଥିବା ବେଳେ ଶତାଧିକ ଚାଷୀଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ସୂଚନା ମିଳିଛି। ପିପିଲି ଓ ସତ୍ୟବାଦୀ ପରେ କୁକୁଡା ମଡକ ବୃଦ୍ଧି ପାଇଥିବା ନିମାପଡା ଓ ଡେଲାଙ୍ଗ ଅଞ୍ଚଳରୁ କୁକୁଡାଙ୍କ ନମୁନାକୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୋପାଳ ସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଫର ହାଇ ସିକ୍ୟୁରିଟି ଆନିମଲ ଡିଜିଜେସ୍
(ଏନ୍ଆଇଏଚ୍ଏସ୍ଏଡି)କୁ ପଠାଯାଇଥିବା ସଂପର୍କରେ ପ୍ରାଣୀ ସଂପଦ ବିକାଶ ବିଭାଗ, କଟକର ଅତିରିକ୍ତ ନିର୍ଦ୍ଦେଶକ (ରୋଗ ନିୟନ୍ତ୍ରଣ) ଡାକ୍ତର ଜଗନ୍ନାଥ ନନ୍ଦ ସୂଚନା ଦେଇଛନ୍ତି। ଏହି ଭୂତାଣୁ ଜନିତ ସଂକ୍ରମଣକୁ ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସଜାଗ ରହିଥିବା ବେଳେ ପିପିଲିର ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଆଶାକର୍ମୀ ମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି। କୁକୁଡା ସଂସ୍ପର୍ଶରେ ଆସି ଜ୍ୱରରେ ଆକ୍ରାନ୍ତ ହେଲେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ଖବର ଦେବା ପାଇଁ ସମସ୍ତଙ୍କୁ ସଚେତନ କରାଯାଉଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ପିପିଲିରେ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି।
ପିପିଲି ଓ ସତ୍ୟବାଦୀ ଅଞ୍ଚଳରେ ବାର୍ଡ-ଫ୍ଲୁ ଚିହ୍ନଟ ହେବାପରେ ଗତ ୨୪ ତାରିଖ ଠାରୁ ଏହି ଦୁଇଟି ବ୍ଳକରେ ରାଜ୍ୟ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ କୁକୁଡା ମରା ଅଭିଯାନ ଚାଲୁରହିଛି। ସତ୍ୟବାଦୀ ବ୍ଳକ ଅଞ୍ଚଳରେ ମଙ୍ଗଳବାର ସୁଦ୍ଧା ୧୪୭୮୭ଟି କୁକୁଡାଙ୍କୁ ମରାଯାଇଥିବା ବେଳେ ବୁଧବାର ଦିନ ୧୮ଟି ବାରି ଅଗଣାରେ ଥିବା ଦେଶୀ କୁକୁଡାଙ୍କୁ ମରାଯାଇ ମାଟିରେ ପୋତାଯାଇଛି। ସେହିପରି ପିପିଲି ବ୍ଲକର ସଂକ୍ରମିତ ଅଞ୍ଚଳରୁ ମଙ୍ଗଳବାର ସୁଦ୍ଧା ୧୪୧୨୪ଟି କୁକୁଡାଙ୍କୁ ମରାଯାଇଥିବା ବେଳେ ବୁଧବାର ଦିନ ଗୋଟିଏ ଫାର୍ମରୁ ୧୨୬୧ଟି ବ୍ରଏଲର କୁକୁଡା ଓ କେତେକ ଘରୁ ୫୩ଟି ଦେଶୀ କୁକୁଡାଙ୍କୁ ମରାଯାଇଛି। ପିପିଲି ପ୍ରାଣୀ ଚିକିତ୍ସାଳୟ ପରିସରରେ ଥିବା ଜିଲା କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ରରୁ ୩୪୮୪ଟି କୁକୁଡା ଚିଆଁକୁ ମରାଯାଇ ମାଟିରେ ପୋତାଯାଇଥିବା ସଂପର୍କରେ ପ୍ରାଣୀ ସଂପଦ ବିକାଶ ବିଭାଗ, କଟକର ଅତିରିକ୍ତ ନିର୍ଦ୍ଦେଶକ (ରୋଗ ନିୟନ୍ତ୍ରଣ) ଡାକ୍ତର ଜଗନ୍ନାଥ ନନ୍ଦ ସୂଚନା ଦେଇଛନ୍ତି।
ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ କୁ ନିୟନ୍ତ୍ରଣ କରିବାକୁ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଜୋରଦାର ପ୍ରୟାସ ଚାଲିଥିବା ବେଳେ ଏବେ ପରିସ୍ଥତି ବେକାବୁ ହୋଇଛି। ସଂକ୍ରମଣ ପରିଧି ଅଞ୍ଚଳ ବାହାରେ ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ଶତାଧିକ କୁକୁଡା ଫାର୍ମରେ ଦୈନିକ ଶହ ଶହ ସଂଖ୍ୟାରେ କୁକୁଡା ମଡକ ହେଉଛି। ଲୋକେ ମଲା କୁକୁଡାଙ୍କୁ ଜରି ଅଖାରେ ଭର୍ତ୍ତି କରି ଏଣେତେଣେ ଫୋପାଡି ଦେଉଥିବା ଯୋଗୁଁ ପରିବେଶ ଦୂଷିତ ହେଉଥିବା ଖବର ହସ୍ତଗତ ହୋଇଛି।
ଗତ ଜୁନ୍ ମାସରୁ ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ କୁକୁଡା ମଡକ ଆରମ୍ଭ ହୋଇଥିବା ବେଳେ ପ୍ରାଣୀ ସଂପଦ ବିଭାଗର ଦାୟିତ୍ୱହିନତା ଯୋଗୁଁ ଏଭଳି ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିବା ପୋଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମ, ଓଡିଶା ର ରାଜ୍ୟ ସଂପାଦକ ପ୍ରଦ୍ୟୁମ୍ନ ପରିଡା ଗୁରୁତର ଅଭିଯୋଗ କରିଛନ୍ତି। ପିପିଲି, ଡେଲାଙ୍ଗ, ସତ୍ୟବାଦୀ ଓ ନିମାପଡା ଅଞ୍ଚଳରେ ଥିବା ଶତାଧିକ କୁକୁଡା ଫାର୍ମରେ ହଜାର ହଜାର ସଂଖ୍ୟାରେ କୁକୁଡା ମରୁଥିବା ଯୋଗୁଁ ଚାଷୀକୂଳ ଭୟଭିତ ହୋଇପଡିଛନ୍ତି। କୁକୁଡା ଚାଷ ଉପରେ ନିର୍ଭର କରୁଥିବା ଚାଷୀର ଆର୍ଥିକ ମେଣୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ସମସ୍ତ କୁକୁଡା ଚାଷୀଙ୍କର ତାଲିକା
ପ୍ରସ୍ତୁତ କରାଯାଇ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସରକାରୀ ସହାୟତା ଯୋଗାଇ ଦେବାକୁ ଶ୍ରୀପରିଡା ଦାବି କରିଛନ୍ତି। ମଲା କୁକୁଡାଙ୍କୁ ଏଣେତେଣେ ନଫୋପାଡି ସେଗୁଡିକୁ ମାଡିରେ ପୋତିବା ସହ ଫାର୍ମକୁ ବିଶୋଧନ କରିବାକୁ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
ତେବେ ପିପିଲି ଓ ସତ୍ୟବାଦୀରେ ବାର୍ଡ-ଫ୍ଲୁ କିଭଳି ବ୍ୟାପିଲା ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବାର୍ଡ-ଫ୍ଲୁର ଉତ୍ସକୁ ଖୋଜି ବାହାର କରିବା ଏବେ କଷ୍ଟକର ବ୍ୟାପାର ହୋଇଛି। ସଂକ୍ରମଣକୁ ରୋକିବା ଏବେ ବଡ ଚ୍ୟାଲେଞ୍ଜ ହୋଇଛି। କୁକୁଡା ଚାଷର ହବ୍ କୁହାଯାଉଥିବା ପିପିଲି ଅଞ୍ଚଳରେ ଛୋଟ ବଡ କରି ୧ ହଜାରରୁ ଉର୍ଦ୍ଧ ଫାର୍ମ ରହିଛି। ବିଭିନ୍ନ ଇଣ୍ଟିଗ୍ରେସନ କଂପାନୀ ପକ୍ଷରୁ ଏଠାରେ ଅଧିକାଂଶ କୁକୁଡା ଫାର୍ମକୁ କୁକୁଡା ଚିଆଁ, ଦାନା ଓ େଔଷଧ ପ୍ରଦାନ କରାଯାଇ କୁକୁଡାକୁ ବାହାରେ ବିକ୍ରୀ କରାଯାଇଥାଏ।
ସଂକ୍ରମିତ କୁକୁଡା ଫାର୍ମରୁ ବଳକା ଦାନାକୁ ଅନ୍ୟ ଫାର୍ମକୁ ସ୍ଥାନାନ୍ତର କରାଯିବା ଦ୍ୱାରା ଓ କୁକୁଡା ବୋହିବା କାର୍ଯ୍ୟରେ ନିୟୋଜିତ ଗାଡି ବିଭିନ୍ନ ଫାର୍ମକୁ ଯିବାଆସିବା କରିବା ଦ୍ୱାରା ଏହି ସଂକ୍ରମଣ ବ୍ୟାପିଥାଇପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ ଗତ କିଛି ଦିନ ଭିତରେ ସଂକ୍ରମିତ ଅଞ୍ଚଳରୁ କୁକୁଡା ନେବା ଆଣିବାରେ ବ୍ୟବହାର ହୋଇଥିବା ଗାଡିକୁ ବିଶୋଧନ କରାଯିବା ସହ ତାହାର ଚାଳକ ଓ କୁକୁଡା କାଟୁଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ପରିସରଭୁକ୍ତ ହେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ତେବେ କୁକୁଡାଙ୍କ ସଂସ୍ପର୍ଶରେ ଆସି ଅଦ୍ୟାବଧି ପିପିଲି ଅଞ୍ଚଳର କୌଣସି ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ ହୋଇନଥିବା ସଂପର୍କରେ ପିପିଲି ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ (ବିପିଏଚ୍ଓ) ଡାକ୍ତର ବିନୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।
ଗୋଟିଏ ଫାର୍ମରେ ୪ଦିନରେ ମଲେ ୨୧୭୨ କୁକୁଡା
ପିପିଲି ନିକଟବର୍ତ୍ତି ନୂଆଶାସନ ଗ୍ରାମର ସନ୍ତୋଷ କୁମାର ନାୟକଙ୍କ ବ୍ରଏଲର ଫାର୍ମରୁ ଗତ ୩ଦିନ ମଧ୍ୟରେ ୧୫୩୨ଟି କୁକୁଡା ମରିଥିବା ବେଳେ ବୁଧବାର ସକାଳେ ୬୪୦ଟି କୁକୁଡା ମରିଥିଲେ। ମଲା କୁକୁଡାଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଇବା ସହ ମଲାକୁକୁଡାଙ୍କୁ ପୋତିବା ପାଇଁ ସେ ପ୍ରାଣୀ ସଂପଦ ବିଭାଗର ଏଲ୍ଆଇଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଫୋନ୍ କରି ଜଣାଇଥିଲେ। ତେବେ କୌଣସି କର୍ମଚାରୀ ତାଙ୍କ ଫାର୍ମରେ ପହଞ୍ôଚନଥିଲେ। ମଲା କୁକୁଡାଙ୍କୁ ମାଟିରେ ପୋତିଦେବାକୁ ତାଙ୍କୁ ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ ପରାମର୍ଶ ଦେବା ପରେ ସେ ସେଗୁଡିକୁ ମାଟିରେ ପୋତି ଦେଇଥିଲେ। ୮ହଜାର କ୍ଷମତାସଂପନ୍ନ ତାଙ୍କ ଫାର୍ମରେ ଦୈନିକ କୁକୁଡା ମଡକ ବୃଦ୍ଧି ପାଉଥିବା ଯୋଗୁଁ ସେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିବା ସହ ଏଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।
ଏ ସଂପର୍କରେ ପ୍ରାଣୀ ସଂପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରେ ସେ କହିଥିଲେ ଯେ, ଜିଲାର ୨ଟି ସ୍ଥାନରେ ବାର୍ଡ-ଫ୍ଲୁ ଚିହ୍ନଟ ହେବା ପରେ ଆମେ ନାକେଦମ ହେଲୁଣି, ତେଣୁ ଅନ୍ୟ ସମସ୍ତ କୁକୁଡା ମଡକ ସ୍ଥାନରୁ ନମୁନା ପଠାଇ ଆମେ ବୋଝ ମୁଣ୍ଡାଇବାକୁ ଚାହୁଁନୁ। ଆଉ ୧୦ରୁ ୧୫ ଦିନ ମଧ୍ୟରେ ଉକ୍ତ ଫାର୍ମ ଗୁଡିକରୁ ସମସ୍ତ କୁକୁଡା ମରିଯିବେ। ତେଣୁ ଉକ୍ତ ଫାର୍ମ ଗୁଡିକୁ ନିଜ ଉଦ୍ୟମରେ ବିଶୋଧନ କରି ୩ମାସ ପର୍ଯ୍ୟନ୍ତ ସେଠାରେ କୁକୁଡା ଚାଷ ବନ୍ଦ କରିବାକୁ ପରାମର୍ଶ ଦେବା ସହ ଯଦି ଆବଶ୍ୟକ ହୁଏ ତେବେ ଆମେ ବିଭାଗ ପକ୍ଷରୁ ସେମାନଙ୍କୁ ବ୍ଲିଚିଂ ଓ ଚୁନ ଯୋଗାଇଦେବୁ ବୋଲି ସେ କହିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଏହି ମନ୍ତବ୍ୟ ପରେ ବାର୍ଡ-ଫ୍ଲୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଏବେ ସବୁଠାରୁ ବଡ ଚିନ୍ତାର କାରଣ ପାଲଟିଛି।



