ବ୍ୟାଙ୍କ ସେବା ପାଇଁ ଆନ୍ଧ୍ର ପାର

ପାତ୍ରପୁତ୍ର: ପାତ୍ରପୁର ବ୍ଲକର ଶତାଧିକ ଆଦିବାସୀ ଗ୍ରାମର ଲୋକମାନେ ଜଙ୍ଗଲ ପାହାଡ଼ ମଧ୍ୟରେ ବସବାସ କରୁଛନ୍ତି। ସେଥି ମଧ୍ୟରୁ ଆନ୍ଧ୍ରପ୍ରଦେଶ ସୀମାରେ ଥିବା ଦୁଇ ଆଦିବାସୀ ପଂଚାୟତର ତୁମ୍ବା ବୁରାତାଲର ୧୮ଗୋଟି ଗ୍ରାମର ଲୋକମାନେ ବ୍ୟାଙ୍କ ସେବା ପାଇଁ ଆନ୍ଧ୍ର ପଥ ପାର ହୋଇ ୪୦ରୁ ୬୦କିଲୋମିଟର ଯିବାକୁ ପଡୁଛି। ତୁମ୍ବା ଏବଂ ବୁରାତାଲ ପଂଚାୟତର ଆନ୍ଧ୍ର ସୀମାନ୍ତରେ ଏହିସବୁ ଗ୍ରାମ ଗୁଡିଖଳା ଡାବୁଥଳି, ଗୁଡିପଦର(ଲିଆ ବାଲି) ଲାଇଡା(ଜୟପୁର)ଅର୍ଜୁବା, ଅବାଣ୍ଡିଆ, ରମ୍ପା, ତାଳବାଡ, ସୋରଡା, ବଡ ଅଞ୍ଜାଗୁଲି, ସାନ ଅଞ୍ଜ।ଗୁଲି, ବାତରା ସାହି, ସଚର, ସାନ ଗାଁ, ବିଲୁଗାଁ, କାନ୍ତି ଗାଁ, କୁସମଳା, କପାଡ଼ିଆ, ରମ୍ପା ପ୍ରଭୃତି ରହିଛି। ସମସ୍ତ ଗ୍ରାମର ଲୋକମାନେ ବ୍ୟାଙ୍କ ସେବା ପାଇବାକୁ ହେଲେ ଆନ୍ଧ୍ର ପାର୍ଶ୍ୱରେ ଦୁଇଟି ନଦୀ ପାର ହୋଇ ପ୍ରାୟ ୪୦ରୁ ୬୦ କିଲୋମିଟର ଯିବାକୁ ପଡୁଛି। ସରକାର ଆବାସ ଯୋଜନାରେ ଅର୍ଥ ପ୍ରଦାନଠାରୁ ଆରମ୍ଭ କରି ନରେଗା ପ୍ରାପ୍ୟ ଭତ୍ତା ସହିତ ବିଭିନ୍ନ ସହାୟତା ବ୍ୟାଙ୍କ ଜରିଆରେ ପ୍ରଦାନ କରୁଛନ୍ତି। ଏହି ଆଦିବାସୀ ଗ୍ରାମର ଲୋକମାନେ ବ୍ୟାଙ୍କ ସେବା ପାଇଁ ପାତ୍ରପୁର ବ୍ଲକ ଜରଡ଼ା କିମ୍ବା ଚିକିଟି ବ୍ଲକ କଳବାଡ଼ ଯିବାକୁ ପଡୁଛି। ଜରଡା ବ୍ୟାଙ୍କ ପ୍ରାୟ ୪୦ କିଲୋମିଟର ହୋଇଥିବା ବେଳେ ଚିକିଟି ୬୦ କିଲୋମିଟର ଦୂର ପଡୁଛି। ଏହି ଅଞ୍ଚଳର ଆଦିବାସୀମାନେ ମୁଖ୍ୟତଃ ଜଙ୍ଗଲ ବଗଡ଼ରେ ପୋଡ଼ୁଚାଷ କରି ଫସଲ ଆଦାୟ ସହିତ ପ୍ରକୃତିର ବରଦାନ ବିଭିନ୍ନ ବୃକ୍ଷ ହରିଡା, ବହାଡା, ମହୁଲ, ଟୁଲ, ତେନ୍ତୁଳି ପ୍ରଭୃତି ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି। ତେବେ ପଥ ସହିତ ପାଣି କଷ୍ଟ ଅତିଷ୍ଠ ହେବା ଯୋଗୁଁ ଗ୍ରୀଷ୍ମପ୍ରବାହ ବେଳେ ପାନୀୟ ଜଳ ସଂଗ୍ରହ ପାଇଁ ନାକେଦମ ହେବାକୁ ପଡୁଥିଲା। ଯାହାକୁ ଦେଖି ୩୦ ବର୍ଷ ମଧ୍ୟରେ କେତେକ ଗ୍ରାମର ଲୋକମାନେ ଦୁର୍ଗମ ଗ୍ରାମ ଛାଡି ପାହାଡ଼ ତଳ ନଦୀ କୂଳରେ ପୂର୍ବ ନାମରେ ଗ୍ରାମ କରି ଏବେ ବସତି ସ୍ଥାପନ କରିଛନ୍ତି।

prayash

ବ୍ୟାଙ୍କ କାର୍ଯ୍ୟ ପାଇଁ ଗ୍ରାମରୁ ଯିବା ବେଳେ ପ୍ରଥମେ ଆନ୍ଧ୍ର କଳିଙ୍ଗ ଦଳା ଆନିକଟ ତଳ ନଦୀ ପାର ହୋଇ ଆନ୍ଧ୍ର କୁରୁଡାଲ ପହଞ୍ଚିବା ପରେ ଆନ୍ଧ୍ର ପଥ ପନ୍ଦର କିଲୋମିଟର ଅତିକ୍ରମ ପରେ ଆନ୍ଧ୍ର ପଙ୍କାଳ ନିକଟରେ ଅନ୍ୟ ଗୋଟିଏ ନଦୀ ପାର ହୋଇ ଓଡ଼ିଶା ସୀମାରେ ପହଞ୍ଚି ଯିବାକୁ ପଡୁଛି। ପଙ୍କାଳ ନିକଟ ନଦୀରେ ଅଧିକା ପାଣି ଥିଲେ ଆନ୍ଧ୍ରର କଳିଙ୍ଗଦଳା ଆନିକଟ ତଳ ଦେଇ ଏକ ନଦୀ ପାରହୋଇ ଆନ୍ଧ୍ର ଜାତୀୟ ରାଜପଥ ଦେଇ ଅଧିକା ପନ୍ଦର କିଲୋମିଟର ପଥ ଅତିକ୍ରମକରିବାକୁ ପଡୁଛି। ଯାହାକି ଲୋକମାନଙ୍କ ଦୁଇ ଦିନ ବିତି ଯାଉଛି। ଆନ୍ଧ୍ର ସୀମା ପରେ ନଦୀ ପାର ହୋଇ ଗୁଡିଖଳା ଗ୍ରାମ ପାର୍ଶ୍ୱ ଦେଇ ସମସ୍ତ ଗ୍ରାମର ଲୋକମାନେ ନିଜ ଗ୍ରାମକୁ ଯାତାୟାତ କରନ୍ତି। ତେବେ ପାହାଡ଼ ଉପରେ ଥିବା କୁସମଳା ବିଲୁଗାଁ ସାନଗାଁ ମଇଁଶିଖତ ବଡ ସଚର ପ୍ରଭୃତି କେତେକ ଗ୍ରାମର ଲୋକମାନେ ଦୁର୍ଗମ ପାହାଡ଼ ଉପରେ ରହିଥିବା ବେଳେ ଗ୍ରାମକୁ ରାସ୍ତାଟିଏ ନିର୍ମାଣ ହୋଇ ପାରିନାହିଁ। ବିଭିନ୍ନ ସମୟରେ ରୋଗୀ ଗର୍ଭବତୀଙ୍କୁ ଦୋଳାରେ ବୋହି ପାହାଡ଼ ତଳ ପର୍ଯ୍ୟନ୍ତ ଆଣି ଡାକ୍ତର ଖାନା ଯିବାକୁ ପଡୁଛି। ବ୍ୟାଙ୍କ ସେବାର ଏହି ଅସୁବିଧା ଯୋଗୁଁ ମନରେଗା ଭଳି ଯୋଜନାରେ ପାହାଡ଼ ରାସ୍ତା ନିର୍ମାଣ ହୋଇ ପାରୁ ନଥିବା ଅଭିଯୋଗ ହେଉଛି। ଅଂଚଳରେ ତିନୋଟି ପ୍ରାଥମିକ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ କୁସମଳା ଏବଂ ଗୁଡିପଦରରେ ପକ୍କାଘର ନଥିବାରୁ ଝାଟି ମାଟିରେ ଚାଲିଛି। ଏପରିକି ପିଲାମାନେ ବିଭିନ୍ନ ସମୟରେ ଗଛମୂଳେ ବସି ପାଠ ପଢ଼ୁଥିବା ଅଭିଯୋଗ ହେଉଛି। କେତେକ ଅଙ୍ଗନବାଡ଼ି କେନ୍ଦ୍ର ଘର ନିର୍ମାଣ ହୋଇ ପାରି ନଥିବା ବେଳେ ପିଲାଙ୍କ ଶିକ୍ଷାଦାନଠାରୁ ଯାବତୀୟ ସୁବିଧା ଠିକ ଭାବେ ମିଳୁ ନଥିବା ଅଭିଯୋଗ ହେଉଛି। ଏହି ଗ୍ରାମ ମଧ୍ୟରୁ ଗୁଡିଖଳା ଗ୍ରାମଟି ପାତ୍ରପୁର ବ୍ଲକ ସହିତ ଗଜପତି ଜିଲ୍ଲା ରାୟଗଡ ଆନ୍ଧ୍ର ପ୍ରଦେଶ ମଞ୍ଜୁସ। ମଣ୍ଡଳ ଅଧୀନରେ ରହିଛି। ଲୋକମାନେ ତିନି ସ୍ଥାନରେ ଭୋଟ ଦେବା ସହିତ ବିଭିନ୍ନ ସୁବିଧା ପାଉଛନ୍ତି। ଗ୍ରାମ ନିକଟରେ ରାୟଗଡ ବ୍ଲକ ପକ୍ଷରୁ ନଦୀରେ ଏକ କଲଭର୍ଟ ନିର୍ମାଣ ପରେ ଏବେ ଜଳଭଣ୍ଡାର ତଳ ଅଂଶରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପକ୍କା ପୋଲ ନିର୍ମାଣ ପାଇଁ ମାଟି ପରୀକ୍ଷା ସହ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ଅଞ୍ଚଳର ସମସ୍ତ ଗ୍ରାମକୁ ରାସ୍ତା ସଂଯୋଗ ସହିତ ପଥରେ ରାସ୍ତାରେ ପଡୁଥିବା ନଦୀରେ ପୋଲ ନିର୍ମାଣ କରାଗଲେ ଲୋକଙ୍କ ଦୁଃଖ ଦୂର ହୋଇପାରିବ।

kalyan agarbati

Comments are closed.