କରାଚୀ : ଇସ୍ରୋର ଚନ୍ଦ୍ରଯାନ-୨ ମିଶନକୁ ବିଭିନ୍ନ ବିଦେଶୀ ଗଣମାଧ୍ୟମ ଓ ବିଦେଶୀ ମହାକାଶ ଗବେଷଣା କେନ୍ଦ୍ର ଭୂୟସୀ ପ୍ରଶଂସା କରିଛନ୍ତି। ତେବେ ପାକିସ୍ତାନର ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଫୱାଦ୍ ଚୌଧୁରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଇସ୍ରୋକୁ ସମାଲୋଚନା କରିବା ସହ ଥଟ୍ଟା କରିଛନ୍ତି। ଟ୍ୟୁଟରରେ ସେ ଉଲ୍ଲେଖ କରିଛନ୍ତି ଯେ, କୌଣସି ରାଜନେତା ନୁହେଁ, ସତେକି ଜଣେ ମହାକାଶଚାରୀଙ୍କ ପରି ମୋଦୀ ସାଟେଲାଇଟ୍ ଉପରେ ଭାଷଣ ଦେଉଛନ୍ତି। ୯ଶହ କୋଟି ଟଙ୍କା କ୍ଷତି ପାଇଁ ଲୋକସଭା ତାଙ୍କୁ ପ୍ରଶ୍ନ କରିବା ଆବଶ୍ୟକ’ବୋଲି ସେ ତାଙ୍କ ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି। ତାଙ୍କର ଏହି ଟ୍ବିଟ୍କୁ ପାକିସ୍ତାନବାସୀ ନିନ୍ଦା କରିବା ସହ ଦେଶର ବିଜ୍ଞାନର ଉନ୍ନତି ପାଇଁ ଫୱାଦ୍ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ତାଙ୍କୁ ବିଜ୍ଞାନ ବିଭାଗ ମନ୍ତ୍ରୀ ପଦରୁ ହଟାଇବାକୁ କେତେଜଣ ପାକିସ୍ତାନୀ ସେଦେଶର ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ନିକଟରେ ଦାବି କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଫୱାଦ୍ ନିଜ ଟ୍ବିଟ୍ରେ ସାଟେଲାଇଟ୍ର ବନାନ ଭୁଲ୍ କରିଛନ୍ତି। ୧୬ ସେପ୍ଟେମ୍ବର ୧୯୬୧ରେ ପାକିସ୍ତାନ ନିଜର ମହାକାଶ ଗବେଷଣା କେନ୍ଦ୍ର ‘ସୁପରକୋ’ ପ୍ରତିଷ୍ଠା କରିଥିଲା। ଏହାର ପ୍ରାୟ ୮ ବର୍ଷପରେ, ଅର୍ଥାତ୍ ୧୫ ଅଗଷ୍ଟ ୧୯୬୯ରେ ଇସ୍ରୋ ପ୍ରତିଷ୍ଠା ହୋଇଥିଲା। ଗଗନଯାନ, ମଙ୍ଗଳଯାନ ଓ ଚନ୍ଦ୍ରଯାନ ପରି ଏକାଧିକ ଅଭିଯାନ ଇସ୍ରୋ ସଫଳତାର ସହ ସମ୍ପନ୍ନ କରିଥିବାବେଳେ ଦେଶ-ବିଦେଶର ରେକର୍ଡ଼ ସଂଖ୍ୟକ ସାଟେଲାଇଟ୍ ମହାକାଶକୁ ପ୍ରେରଣ କରିଛି। ଏବେ ଆମେରିକା, ରୁଷ୍, ଜାପାନର ମହାକାଶ ଗବେଷଣା କେନ୍ଦ୍ରଗୁଡ଼ିକ ସହ ଇସ୍ରୋକୁ ତୁଳନା କରାଯାଉଛି। ତେବେ ପାକିସ୍ତାନର ‘ସୁପରକୋ’ ଏ ପର୍ଯ୍ୟନ୍ତ କୌଣସି କ୍ଷେତ୍ରରେ ସଫଳ ହୋଇ ପାରି ନାହିଁ। ସେହି ୧୯୬୧ ମସିହାରେ ପାକିସ୍ତାନର ମହାକାଶ ଅଭିଯାନ ଅଟକି ରହିଛି।
Popular Categories



