www.samajalive.in
Monday, December 8, 2025
27.1 C
Bhubaneswar

କୋଭିଡ୍‌ ଟିକ ନେବାର ୩ ଦିନ ପରେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ!

ନୂଆପଡ଼ା: ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଜଣେ ସୁରକ୍ଷକର୍ମୀ କୋଭିଡ୍‌ ଟିକା ନେବାର ୩ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିବାକୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ଜିଲାମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକ ନିକଟରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ତାଙ୍କ ମୃତ ଶରୀର ବୁର୍ଲା ସ୍ଥିତ ଭିମସାର୍‌ରୁ ଆସି ନୂଆପଡ଼ାରେ ପହଞ୍ଚିବା ପରେ ସାଥୀ ସୁରକ୍ଷା କର୍ମୀ ଓ ତାଙ୍କ ପରିବାର ଲୋକେ କ୍ଷତିପୂରଣ ଦାବିରେ ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ କୋଠାର ମୁଖ୍ୟ ଦ୍ୱାର ସମ୍ମୁଖରେ ଧାରଣାରେ ବସିଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରିବାକୁ ଦେବୁ ନାହିଁ ବୋଲି ସେମାନେ ଅଡ଼ି ବସିଥିଲେ। ପରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର କୁମାର ଢୋଲକିଆ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସୂଚନା ମୁତାବକ, ସଦର ବ୍ଲକ ଟାନୱାଟ ପଞ୍ଚାୟତର ଦିଆନମୁଣ୍ଡା ଗ୍ରାମର ଗୁରୁପ୍ରସାଦ କେଉଁଟଙ୍କ ପୁଅ ନାନୁକରାମ କେଉଁଟ (୨୬) ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଆଉଟସୋର୍ସିଂ ସଂସ୍ଥା ଏଲଆଣ୍ଡକେ କମ୍ପାନୀ ମାଧ୍ୟମରେ ଗତ ୨ମାସ ହେବ ସୁରକ୍ଷାକର୍ମୀ ଭାବରେ ନିଯୁକ୍ତି ପାଇଥିଲେ। ଗତ ୨୩ ତାରିଖ ଦିନ ନାନୁକରାମ କରୋନା ଟିକା ଗ୍ରହଣ କରିଥିଲେ। ଏହା ପରେ ସେ ଅସୁସ୍ଥତା ଅନୁଭବ କରିଥିଲେ ଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିଥିବା ପରିବାର ଲୋକଙ୍କଠାରୁ ପ୍ରକାଶ। ଏହା ଭିତରେ ସେ କୌଣସି କାର୍ଯ୍ୟକୁ ଭୃକ୍ଷେପ ନକରି ନିଜ ଡ୍ୟୁଟି ଜାରି ରଖିଥିଲେ ଏବଂ ଗତ ୨୫ ତାରିଖରେ ଡ୍ୟୁଟି କରୁଥିଲା ବେଳେ ହାଠାତ ଗୁରୁତର ହୋଇ ପଡ଼ିଲେ। ଫଳରେ ସାଥୀ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ନାନୁକରାମଙ୍କର ରକ୍ତବାନ୍ତି ହେବା ସହ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ନୂଆପଡ଼ାରୁ ତାଙ୍କୁ ବୁର୍ଲାସ୍ଥିତ ଭିମସାର ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକର ତାଙ୍କୁ ବୁର୍ଲାନେଇ ସେଠାରେ ଭର୍ତ୍ତି କରାଇବାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ ଶରୀର ୨୬ ତାରିଖ ସନ୍ଧ୍ୟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ସାଥୀ ସୁରକ୍ଷା କର୍ମୀ ଓ ପରିବାର ଲୋକେ ଶବ ବ୍ୟବଚ୍ଛେଦ ନକରି ପ୍ରଥମେ ତାଙ୍କୁ କରୋନା ଯୋଦ୍ଧା ଘୋଷଣା କରି ତୁରନ୍ତ କ୍ଷତିପୂରଣ ଦେବାକୁ ଅଡ଼ି ବସିଥିଲେ। ଜିଲା ଗରିବ ସେନାର ଆବାହକ ରବି ମଙ୍ଗରାଜ ମଧ୍ୟ ସେମାନଙ୍କ ଦାବିକୁ ସମର୍ଥନ କରି ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ କୋଠାର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିରହିଥିଲେ। ଖବର ପାଇ ନୂଆପଡ଼ା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକ ତଥା ରବି ମଙ୍ଗରାଜଙ୍କ ସହ ଆଲୋଚନା କରିଥିଲେ। ବିଧାୟକ ଜିଲାପଳଙ୍କ ସହ ଆଲୋଚନା କରି ତୁରନ୍ତ ଜିଲା ରେଡକ୍ରସ ପାଣ୍ଠିରୁ ୨୫ ହଜାର ଓ ସଂପୃକ୍ତ ଆଉଟସୋର୍ସିଂ ସଂସ୍ଥାରୁ ୨୫ ହଜାର ଏପରି ମୋଟ ୫୦ହଜାର ଟଙ୍କାର ବ୍ୟବସ୍ଥା କରିବା ସହ ତାଙ୍କ ଭାଇକୁ ଉକ୍ତ ସଂସ୍ଥାରେ ଚାକିରି ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମଧ୍ୟ ଅନୁଦାନ ରାଶି ବ୍ୟବସ୍ଥା କରାଇଦେବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପରେ ପରିବାର ଲୋକେ ଶବ ବ୍ୟବଚ୍ଛେଦ କରାଇବାକୁ ରାଜି ହୋଇଥିଲେ। ଏ ସମ୍ପର୍କରେ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମର ମୁଖପାତ୍ର ତଥା ଅତିରିକ୍ତ ଜିଲାମୁଖ୍ୟ ଚିକିତ୍ସାଧିକାରୀ ଡା. ବିନୋଦବିହାରୀ ରଥଙ୍କୁ ପଚାରିବାରୁ ସେ କହିଲେ ଏହା କୋଭିଡ୍‌ ଟିକାଜନିତ ମୃତ୍ୟୁ ନୁହେଁ, ଏହା ରକ୍ତହିନତା କାରଣରୁ ହୋଇଛି। ରକ୍ତହିନତା କାରଣରୁ ତାଙ୍କର ରକ୍ତବାନ୍ତି ହୋଇଥିଲା ଓ ନୂଆପଡ଼ାରେ ପ୍ରାଥମିକ ଚିକିତ୍ସା ସମୟରେ ତାଙ୍କୁ ରକ୍ତ ମଧ୍ୟ ଦିଆଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ପଠାଯାଇଥିଲା। ସୂଚନାଯୋଗ୍ୟ, ନାନୁକରାମଙ୍କର ବିବାହଆସନ୍ତା ୧୯ ତାରିଖରେ ହେବାକୁ ସ୍ଥିର ହୋଇଥିଲା ଓ ତାଙ୍କର ନିର୍ବନ୍ଧ କାର୍ଯ୍ୟ ସମାପନ ହୋଇସାରିଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories