ଭବାନୀପାଟଣା: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଥିବାବେଳେ ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ସଲପାଙ୍ଗ ବୁଥ୍ ଜନଶୂନ୍ୟ ଥିବା ଦେଖିବାକୁ ମିଳିଛି। ଏଠାକାର ଅଞ୍ଚଳବାସୀ ଭୋଟ୍ ବର୍ଜନ କରିଛନ୍ତି। ଏହି ବୁଥ୍ରେ ସଲପାଙ୍ଗ, ବଣ୍ଡମା, କୁଟୁରୁସରୁ, ଖଜୁରଗୁଡ଼ା, କଟଲାଙ୍ଗ ଆଦି ଗାଁର ୪୭୨ ଜଣ ଭୋଟର ଅଛନ୍ତି। ତେବେ ସଲପାଙ୍ଗ ଗାଁରେ ପିଡିଏସ ସେଣ୍ଟର ପ୍ରତିଷ୍ଠା ଏବଂ ଅନ୍ୟ ଗାଁଗୁଡ଼ିକରେ ବିଦ୍ୟୁତ ସଂଯୋଗ, ପାନୀୟ ଜଳ, ପୋଖରୀ ଏବଂ ପଂଚାୟତ ମହକୁମାକୁ ରାସ୍ତା ନଥିବା କାରଣରୁ ଭୋଟ୍ ବର୍ଜନ କରିଥିବା ସେମାନେ କହିଛନ୍ତି।
ଯୁଗସାଏପାଟଣା ପାହାଡ ଉପରେ ରହୁଥିବା ଏସବୁ ଗାଁର ଲୋକେ ସରକାରୀ ଚାଉଳ ଆଣିବାକୁ ଗାଡ଼ି ଭଡ଼ା କରି ପ୍ରାୟ ୬୦ କିମି ଦୂର ପଞ୍ଚାୟତ ମହକୁମାକୁ ଆସୁଛନ୍ତି। ଏଣୁ ଚାଉଳ କିଲୋ ପିଛା ପ୍ରାୟ ୧୦୦ ଟଙ୍କା ପଡ଼ୁଥିବା ସେମାନେ ଅଭିଯୋଗ କରିଛନ୍ତି। ଲାଞ୍ଜିଗଡ ବ୍ଲକର ବେନଗାଁ ବଜାର ଉପରେ ସେମାନେ ନିର୍ଭର କରୁଛନ୍ତି। କୌଣସି କାମ ପାଇଁ ପଂଚାୟତ ମହକୁମା ଆସିବାକୁ ଗାଡି ଭଡା କରି ଆସି ଫେରିବାକୁ ସେମାନଙ୍କୁ ଦିନଟିଏ ଲାଗି ଯାଉଛି। ଏଣୁ ଗାଁରୁ ପଂଚାୟତ ମହକୁମା ଏବଂ ସଲପାଙ୍ଗ ଆଖପାଖ ଗାଁକୁ ପକ୍କା ରାସ୍ତା, ବିଦ୍ୟୁତ୍ ଯୋଗାଣ, ବିଶୁଦ୍ଧ ପାନୀୟ ଜଳ, ଏପରିକି ପୋଖରୀଟିଏ ଖୋଲିବାକୁ ଏ ସବୁ ଗାଁ ଲୋକେ ଦୀର୍ଘଦିନରୁ ଦାବି କରିଆସୁଥିଲେ। ହେଲେ ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନେବାରୁ ଆଜି ଲୋକେ ଭୋଟ୍ ବର୍ଜନ କରିଥିବା ସରପଞ୍ଚ ବାସୁଦେବ ନାଏକ ‘ସମାଜ’କୁ କହିଛନ୍ତି। ଭୋଟ୍ ବର୍ଜନ ଖବର ପାଇ ସଦର ବିଡିଓ ଚନ୍ଦନ କୁମାର ଭୋଇ, ପିଏଆଇଟିଡିଏ ରାମକୃଷ ଗଣ୍ଡ, ଏବିଡିଓ ଶ୍ରୀଧର ପଣ୍ଡା ପ୍ରମୁଖ ଏକ ପ୍ରଶାସନିକ ଅଧିକାରୀଙ୍କ ଦଳ ଗାଁକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ। ଏହା ସତ୍ତ୍ୱେ ଲୋକେ ଭୋଟଦାନରୁ ବିରତ ରହିଥିବା ଜଣାପଡ଼ିଛି।



