ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକରେ କ୍ରମାଗତ ଭାବେ ୩ଦିନ ହେଲା ଲାଗି ରହିଛି ଲଘୁଚାପ ବର୍ଷା। ଏହି ବର୍ଷା କ୍ରମାଗତ ଭାବେ ଲାଗି ରହୁଥିବାରୁ ବ୍ଳକବାସୀ ତଥା ଗରୀବ ଖଟିଖିଆ ତଥା ମଜୁରୀ ଶ୍ରେଣୀୟ ଲୋକମାନେ କାମ ଧନ୍ଦା ନ ପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୋହନା ବଜାରରେ ବିଭିନ୍ନ ପନିପରିବା ସମେତ ଖାଉଟି ସାମଗ୍ରୀର ଆହେତୁକ ମୂଲ୍ୟ ବୃଦ୍ଧି ଘଟିବାରେ ଲାଗିଛି। ଖାଉଟି ବିଭାଗ ସବୁ ଜାଣିଶୁଣି ନିରବଦ୍ରଷ୍ଟା ସାଜିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଗୁରୁବାର ମୋହନା ବ୍ଳକର ବିଭିନ୍ନ ପଞ୍ଚାୟତରେ କ୍ରମାଗତ ଭାବେ ବର୍ଷା ଲାଗି ରହିଛି। ବିଭିନ୍ନ ଅଞ୍ଚଳରେ ପ୍ରଭାହିତ ନଦୀ, ନାଳ, ଝରଣାରେ ବନ୍ୟାଜଳ ପ୍ରଭାହିତ ହେଉଛି। କେତେକ ଗ୍ରାମରେ ଲଗାଣ ବର୍ଷାରେ ଝାଟିମାଟି ଘର ଭାଙ୍ଗିପତି ଥିବା ଜଣାପଡିଛି ।
ଦୁର୍ଗମ ଅଞ୍ଚଳର ଲୋକେ ଲଗାଣ ବର୍ଷା ଯୋଗୁଁ ପଦାକୁ ବାହାରି ନ ପାରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ନପାରି ଦୁଃଖଦୁର୍ଦଶାରେ ରହିଥିବା ବିଭିନ୍ନ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଆଦିବାସୀ ଓ ଦଳିତ ବର୍ଗର ଲୋକେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି । ମୋହନାର ପ୍ରବାହିତ ହରଭଙ୍ଗୀ ଓ ଅଠରନଳା ନଦୀର ବନ୍ୟାଜଳ କୂଳ ଲଙ୍ଘୁଛି।ଲୋକେ ଏଭଳି ଲଘୁଚାପ ବର୍ଷା ହେବା ଫଳରେ ଆତଙ୍କିତ ଅଛନ୍ତି । ସ୍ଥାନୀୟ ପଞ୍ଚାୟତର ବିଭିନ୍ନ ସାହିର ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେବା ସହ ତ୍ରେନର ଦୂଷିତ ଜଳ ମଧ୍ୟ ଘର ଭିତରେ ଓ ରାସ୍ତାରେ ଲହଡି ଭାଙ୍ଗୁଛି। ଲଗାଣ ବର୍ଷରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଛି।



