ମାଲକାନଗିରି: ଆଦିବାସୀ ଛାତ୍ରୀଙ୍କୁ ଅସଦ୍ଆଚରଣ ଅଭିଯୋଗରେ ମାଲକାନଗିରି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁତି ପ୍ରସାଦ ପଣ୍ଡା ଗିରଫ ହୋଇଛନ୍ତି। ହଷ୍ଟେଲର ଜଣେ ଆଦିବାସୀ ଛାତ୍ରୀଙ୍କ ସହ ଅସଦ୍ ଆଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ସାମାଜିକ ବିଜ୍ଞାନ ଶିକ୍ଷକ ବିଭୁତି ପ୍ରସାଦ ପଣ୍ଡା ୫ ଜଣ ଛାତ୍ରଛାତ୍ରୀଙ୍କୁୁ ନେଇ ଜାତୀୟ କ୍ରୀଡା ଉତ୍ସବରେ ଯୋଗଦେବା ଲାଗି ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଚଳନ୍ତା ଟ୍ରେନ୍ ଭିତରେ ଜଣେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା ଯୌନ ନିର୍ଯାତନା ଦେଇଥିଲେ ।
ଯାହାର ଫୋଟୋ ଭାଇରାଲ ହେବା ପରେ ଗାଁ ଲୋକେ ବିଦ୍ୟାଳୟରେ ପହଞ୍ଚି ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।
ଏହାପରେ ସେଠାରେ ମାଲକାନଗିରି ଆଦର୍ଶ ଥାନା ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ସମୟରେ ସଂପୃକ୍ତ ଶିକ୍ଷକ ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ବୌଦ୍ଧ ଜିଲାରେ ଜଣେ ସମ୍ପର୍କୀୟଙ୍କ ଘରେ ପ୍ରଧାନ ଶିକ୍ଷକ ବିଭୁତି ପ୍ରସାଦ ପଣ୍ଡା ଲୁଚି ରହିଥିବା ଖବର ପାଇ ମାଲକାନଗିରି ପୁଲିସ ସେଠାକୁ ଯାଇଥିଲା । ଗତକାଲି ଶିକ୍ଷକଙ୍କୁ ଗିରଫ କରି ପୁଲିସ ମାଲକାନଗିରି ଆଣିଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ମାଲକାନଗିରି ଆଦର୍ଶ ଥାନା ଅଧିକାରି ରିଗାନ୍ କିଣ୍ଡୋ ।
Comments are closed.