www.samajalive.in
Monday, December 8, 2025
27.1 C
Bhubaneswar

ବିପଦରେ ମହାନଦୀ: ପ୍ରଦୂଷଣ ରୋକିବ ଗଙ୍ଗା ଭଳି ଦୀର୍ଘସୂତ୍ରୀ ଯୋଜନା

ସମ୍ବଲପୁର: ଦୀର୍ଘବର୍ଷ ହେଲା ରାଜନୈତିକ ପଶାପାଲିରେ ପେଶି ହେଉଛି ମହାନଦୀ।ଛତିଶଗଡ଼ ସରକାରଙ୍କ ଯୋଗୁଁ ଦିନକୁ ଦିନ ମହାନଦୀ ଶୁଖିବାରେ ଲାଗିଥିବା ସହ ଏହାର ଜଳ ବିଷାକ୍ତ ହେବାରେ ଲାଗିଛି। ସମ୍ବଲପୁର ଗସ୍ତରେ ରାଜସ୍ବମନ୍ତ୍ରୀ ସୁ​ରେଶ ପୂଜାରୀ ମହାନଦୀରେ ପ୍ରଦୂଷଣ ରୋକିବାକୁ ପ୍ରତିବଦ୍ଧତା ଜାହିର କରିଛନ୍ତି, କିନ୍ତୁ ଜଳସମ୍ପଦ ବିଭାଗ ଏହି ପ୍ରତିବଦ୍ଧତା ଏବେ ସୁଦ୍ଧା ପ୍ରଦର୍ଶନ କରିନାହିଁ। ଜଳସମ୍ପଦ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ନୂଆଁଖାଇ ସମୟରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସମ୍ବଲପୁରରେ ନଦୀପାର୍ଶ୍ବ ବିକାଶ (ରିଭରଭ୍ୟୁ ଡେଭଲପମେଣ୍ଟ) ଏବଂ ହୀରାକୁଦ ସେଚାଞ୍ଚଳର କେନାଲ ନବୀକରଣ ଉପରେ କହିଥିଲେ।

କିନ୍ତୁ ମହାନଦୀର ସୁରକ୍ଷା ଓ ଜଳପ୍ରଦୂଷଣ ରୋକିବା ଦିଗ​ରେ କିଛି କହି ନ ଥିଲେ। ଦୁଇଦିନ ତଳେ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ମହାନଦୀକୁ ନେଇ ଆନ୍ତଃଜିଲା ସମନ୍ବୟ ବୈଠକ ଆୟୋଜନ ହେବ ବୋଲି କହିବା ପରେ ଓଡ଼ିଶାବାସୀ ଆଶ୍ବସ୍ତ ହୋଇଛନ୍ତି ା କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ଆସିବା ପରେ ଦେଶର ବୃହତ୍ତମ ନଦୀ ଗଙ୍ଗାନଦୀ ପୁନର୍ଜୀବନ ଅଭିଯାନ ଆରମ୍ଭ ହୋଇଛି, ଓଡ଼ିଶାରେ ମଧ୍ୟ ଏବେ ବିଜେପି ସରକାର ଆସିବା ପରେ ରାଜ୍ୟର ବୃହତ୍ତମ ନଦୀ ମହାନଦୀର ପୁନର୍ଜୀବନ ଅଭିଯାନ ହେବ ବୋଲି ଓଡ଼ିଶାବାସୀ ଆଶା ବାନ୍ଧିଛନ୍ତି।

- Advertisement -

ଶିଳ୍ପ ବର୍ଜ୍ୟଜଳ ହୀରାକୁଦ ଜଳଭଣ୍ଡାରେ ମିଶି ଏକପ୍ରକାର ମହାନଦୀକୁ ପ୍ରଦୂଷିତ କରୁଛି।ସେହିପରି ହୀରାକୁଦ ଜଳଭଣ୍ଡାର ତ​‌େ​‌ଳ ସମ୍ବଲପୁର ସହର ଦେଇ ୮କିଲୋମିଟର ଭିତରେ ବିଭିନ୍ନ କଳକାରଖାନା, ଚାଉଳ କଳ, ସରକାରୀ ଓ ଘରୋଇ ଡାକ୍ତରଖାନା ଆଦିରୁ ଅଶୋଧିତ ବର୍ଜ୍ୟଜଳ ସିଧାସଳଖ ମହାନଦୀରେ ମିଶୁଛି। ଫଳରେ ସମ୍ବଲପୁରରେ ମହାନଦୀ ପାଣି ପିଇବା ତ ଦୂରର କଥା ଶୌଚ ଯୋଗ୍ୟ ନୁହେଁ ବୋଲି କିଛିବର୍ଷ ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଦେଇଥିଲା। ଏଥିପାଇଁ ଦାୟୀ ସଂସ୍ଥା ଗୁଡିକର ନାମ ମଧ୍ୟ ଉଲ୍ଲେଖ କରିଥିଲା। କିନ୍ତୁ ତତ୍‌କାଳୀନ ସରକାର ଉକ୍ତ ରିପୋର୍ଟକୁ ଶୀତଳଭଣ୍ଡାରରେ ପକାଇ ଦେଇଥିଲେ।

ବିଭିନ୍ନ ଶିଳ୍ପସଂସ୍ଥା​‌ ଏବଂ ଡାକ୍ତରଖାନା ବର୍ଜ୍ୟଜଳ ପରିଷ୍କାର ପ୍ରକଳ୍ପ ବସାଉନାହାନ୍ତି, ଖର୍ଚ୍ଚ ବଞ୍ଚାଇବା ପାଇଁ ଅଶୋଧିତ ପାଣି ମହାନଦୀକୁ ଛାଡ଼ି ଦେଉଛନ୍ତି। ଫଳରେ ମହାନଦୀ ପାଣିରେ ବିଭିନ୍ନ ପ୍ରକାରର ବିଷାକ୍ତ ଧାତୁ ଏବଂ ଦୂଷିତ ପଦାର୍ଥ ସୀସା, ପାରଦ, କ୍ୟାଡମିୟମ, ତମ୍ବା ଏବଂ ଆର୍ସେନିକ ଆଦି ବ୍ୟାପକ ମାତ୍ରାରେ ରହୁଛି। ଏହି ପଦାର୍ଥ ପାଣିର ଗୁଣ ନଷ୍ଟକରି ମାନବ ସ୍ୱାସ୍ଥ୍ୟରେ ତୀବ୍ର କୁପ୍ରଭାବ ପକାଉଛି। ଲୋକେ ମହାନଦୀ ଜଳକୁ ବ୍ୟବହାର କରି ଯକୃତ, ବୃକ୍‌କ ସହ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି।

ମହାନଦୀକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ସରକାରୀ ନିର୍ଦେଶ କିମ୍ବା ପରାମର୍ଶ ଅପେକ୍ଷା ଗଙ୍ଗା ପୁନର୍ଜୀବନ ଅଭିଯାନ ଭଳି ଦୀର୍ଘସୂତ୍ରୀ ଯୋଜନା ପ୍ରଣୟନର ଆବଶ୍ୟକତା ଥିବା ସଚେତନବର୍ଗ ମତବ୍ୟକ୍ତ କରିଛନ୍ତି। ଏ ଦିଗରେ ନୂଆରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରି​‌େ​‌ବ ବୋଲି ରାଜ୍ୟବାସୀ ଆଶାପୋଷଣ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories