ଅଭିଶପ୍ତ ଜୀବନ ବିତାଉଛନ୍ତି ଆଦିବାସୀ ଗ୍ରାମବାସୀ

ଗ୍ରାମକୁ ଆବାସ ଓ ରାସ୍ତା ପାଲଟିଛି ସାତସପନ; ଅନ୍ଧାରରେ କଟୁଛି ରାତି

ପାତ୍ରପୁର: ପାତ୍ରପୁର ବ୍ଳକରେ ଶତାଧିକ ଆଦିବାସୀ ଗ୍ରାମ ରହିଛି । ଏହିସବୁ ଆଦିବାସୀ ଗ୍ରାମ ମଧ୍ୟରୁ ଅର୍ଦ୍ଧାଧିକ ଗ୍ରାମ ଦୁର୍ଗମ ପାହାଡ଼ରେ ରହିଛି। ସରକାର ଆଦିବାସୀ ଲୋକଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନାରେ ଅର୍ଥ ବରାଦ କରି ଉନ୍ନୟନ ଜାରି ରଖିଛନ୍ତି। ତେବେ ଏବେ ସୁଦ୍ଧା କେତେକ ଗ୍ରାମର ଲୋକଙ୍କ ପାଖରେ ମୌଳିକ ସୁବିଧା ଠିକ ଭାବେ ପହଞ୍ଚି ନଥିବା ଅଭିଯୋଗ ହେଉଛି।

prayash

ପାତ୍ରପୁର ବ୍ଳକ ଆଙ୍କୁଲି ପଞ୍ଚାୟତ ଅଧୀନରେ ଲୁହାସିଙ୍ଗି ଗ୍ରାମ ରହିଛି। ଗ୍ରାମରେ କୋଡ଼ିଏରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରୁଛନ୍ତି। ଗ୍ରାମକୁ ରାସ୍ତାଟିଏ ନଥିବା ବେଳେ ଗୋଟିଏ ହେଲେ ପରିବାରର ଆବାସ ଘର ନାହିଁ। ଗ୍ରାମରେ ପୂର୍ବରୁ ଥିବା ସୋଲାର ଦୀର୍ଘ ଦିନ ହେଲା ଅଚଳ ହୋଇ ରହିଥିବା ଯୋଗୁଁ ଅନ୍ଧାରରେ ଲୋକମାନେ ରାତ୍ରୀ ଯାପନ କରୁଛନ୍ତି। ସେହିପରି ପାହାଡ଼ରୁ ପାଇପରେ ଆସୁଥିବା ପାଣି ପ୍ରକଳ୍ପ ଅଚଳ ହୋଇ ରହିବା ଫଳରେ ଲୋକମାନେ ପର୍ବତ ଚାଞ୍ଚଡାରେ ବହୁ କଷ୍ଟରେ ତଳକୁ ପ୍ରାୟ ତିନିଶହ ମିଟର ଓହ୍ଲାଇ ଏକ ପୁରୁଣା କୂଅରୁ ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ପଞ୍ଚାୟତର ତଳ ଅଂଶ ତାଡକା ସାହିଠାରେ ପଡିକାର୍ଡରେ ଜିନିଷ, ଭତ୍ତା ପ୍ରଭୃତି ମିଳିବା ସହ ବିଭିନ୍ନ କାର୍ଯ୍ୟ ସମ୍ପାଦନ ହେଉଛି। ଗ୍ରାମଠାରୁ ତାଡକା ସାହି ପ୍ରାୟ ଦଶ କିଲୋମିଟର ଦୂର। ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ଦୁଇଟି ପାହାଡ଼ ପାର ହୋଇ ତରମୁଣ୍ଡା ପହଞ୍ଚିବା ପରେ ପ୍ରାୟ ଦଶ କିଲୋମିଟର ପାଦରେ ଚାଲି ଚାଲି ତାଡକା ସାହି ଯାଇ ଭତ୍ତା, ପଡିକାର୍ଡରେ ଜିନିଷ ଆଣିବାକୁ ପଡୁଛି। ଗ୍ରାମରେ ସୋଲାର ମାଧ୍ୟମରେ ବିଜୁଳି ଯୋଗା ଯାଇଥିଲା । ଲୋକଙ୍କୁ ସୋଲାର ମାଧ୍ୟମରେ ବିଜୁଳି ଯୋଗାଯିବା ସହ ଦାଣ୍ଡରେ ବତୀ ଜଳୁଥିଲା। ଦୀର୍ଘ ଦିନ ହେଲା ତାହା ଅଚଳ ହୋଇ ରହିଛି, ଯାହାରି ଫଳରେ ଲୋକଙ୍କ ପାଇଁ ଭରସା ପାଲଟିଛି ଡିବିରି। ଗ୍ରାମଠାରୁ ଅଙ୍ଗନାୱାଡ଼ି କେନ୍ଦ୍ର, ବିଦ୍ୟାଳୟ ଦୂର ହୋଇଥିବା ଦୃଷ୍ଟିରୁ ପିଲାମାନେ ଏହାର ସୁଫଳ ପାଇ ପାରୁନାହାନ୍ତି। ଗ୍ରାମର ଦୁଇ ଜଣ ଛାତ୍ରୀ ତାଡକା ସାହି ଛାତ୍ରୀ ନିବାସରେ ରହି ପାଠପଢୁଛନ୍ତି। ଗ୍ରାମର ଲିଟୁ, ପିଣ୍ଟୁ, ସଂଗୀତା, ଲତା, ରେଣୁ, ରାଜା ପ୍ରମୁଖ ପିଲା ବିଦ୍ୟାଳୟକୁ ନଯାଇ ଘରେ ରହୁଥିବା ବେଳେ କିଛି ପିଲାଙ୍କ ବିଦ୍ୟାଳୟରେ ନାମ ଥିବା ସତ୍ତ୍ବେ ଦୂରତା ସହିତ ଜଙ୍ଗଲ ରାସ୍ତାରେ ହିଂସ୍ର ଜନ୍ତୁଙ୍କ ଭୟ ଯୋଗୁଁ ନଯାଇ ଛେଳି ଗାଈ ଜଗୁଛନ୍ତି । ଗ୍ରାମର ବିଧବା ହାଡ଼ିଆଣି କାର୍ଜି ବୃଦ୍ଧ ରାମ କାର୍ଜି ତାଙ୍କ ପତ୍ନୀ ଶଶୀକାର୍ଜିଙ୍କୁ ଭତ୍ତା ମିଳୁନାହିଁ। ଲୋକମାନେ ମୁଖ୍ୟତଃ ବଗଡ ଚାଷରୁ ଆଦାୟ ଫସଲ ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଚଳୁଛନ୍ତି। ଯାହାକୁ ଦେଖି ଗ୍ରାମର କିଛି ଯୁବକ ନିୟମିତ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ସରକାର ଏହି ଗ୍ରାମର ସମସ୍ୟାକୁ ଦୃଷ୍ଟିରେ ରଖି ରାସ୍ତା ସହିତ ଆବାସ ଯୋଜନାରେ ଘର ନିର୍ମାଣ କଲେ ଲୋକଙ୍କ ଦୁଃଖ ଦୂର ହୋଇପାରିବ ବୋଲି ସାଧାରଣରେ ଦାବି ହେଉଛି।

kalyan agarbati

Comments are closed.