ଲମତାପୁଟ: ପୋଡୁ ଚାଷ ନାଁରେ ପାହାଡ଼ର ଜଙ୍ଗଲ ସଫା ହେଉଛି। ଲୋକଙ୍କୁ ହାତବାରିସ କରି କାଠ ମାଫିଆ ସକ୍ରିୟ ହେଉଛନ୍ତି। ମୂଲ୍ୟବାନ କାଠ ଚୋରି ହେଉଛି। ଔଷଧୀୟ ବୃକ୍ଷ ବଳି ପଡୁଛି। ଆନ୍ଧ୍ର ବନ ବିଭାଗ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏପରି ଚିତ୍ର ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଦେଖିବାକୁ ମିଳିଛି।
ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ମାଛକୁଣ୍ଡ ନଦୀ ପ୍ରବାହିତ ହେଉଛି। ଉକ୍ତ ନଦୀର ଓଡ଼ିଶା ପାର୍ଶ୍ବରେ ପ୍ରସିଦ୍ଧ ଡୁଡୁମା ଜଳପ୍ରପାତ ରହିଛି। ଦୈନିକ ହଜାର ହଜାର ପର୍ଯ୍ୟଟକ ଜଳପ୍ରପାତର ମନୋରମ ଦୃଶ୍ୟ ଉପଭୋଗ କରିବାକୁ ଆସୁଛନ୍ତି। ଓଡ଼ିଶା ରାଜ୍ୟ ଓ କୋରାପୁଟ ଜିଲା ପର୍ଯ୍ୟଟନ ବିଭାଗ ତରଫରୁ ପର୍ଯ୍ୟଟନକ୍ଷେତ୍ରର ମାନ୍ୟତା ଦେଇ ଡୁଡୁମା ଜଳପ୍ରପାତର ପାରିପାର୍ଶ୍ବକ ଉନ୍ନତି କରାଯାଉଛି। କିନ୍ତୁ ଉକ୍ତ ନଦୀର ଅପରପାର୍ଶ୍ବ ଆନ୍ଧ୍ର ପ୍ରଦେଶ ଅଧୀନ ପାହାଡ଼ରୁ ପୋଡୁ ଚାଷ ନାଁରେ ଗଛ କାଟି ଲୁଟ ହୋଇଛି।
ଆନ୍ଧ୍ର ବନ ବିଭାଗ ପୋଡୁ ଚାଷକୁ ପ୍ରଶ୍ରୟ ଦେଇ ଜଙ୍ଗଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ସେହି ପାହାଡ଼ରୁ ବହୁ ମୂଲ୍ୟବାନ କାଠ ଲୁଟ୍ ହେଉଛି। ବିଭିନ୍ନ ଚେରମୂଳି ଔଷଧୀୟ ବୃକ୍ଷ ନଷ୍ଟ ହେବାରେ ଲାଗିଛି। ସବୁଜିମାରେ ଭରି ରହିଥିବା ପାହାଡ଼ ସଫା ହେବାରେ ଲାଗିଛି। ଆନ୍ଧ୍ରର ବନ ବିଭାଗ ପ୍ରଶାସନ ଚୁପ୍ ହୋଇ ବସିଛି। ଫଳରେ ପର୍ଯ୍ୟଟନ କ୍ଷେତ୍ର ବୁଲି ଆସୁଥିବା ପର୍ଯ୍ୟଟକ ଉକ୍ତ ଲଣ୍ଡା ପାହାଡ଼କୁ ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଆନ୍ଧ୍ର ପକ୍ଷରୁ ଜାଣିଶୁଣି ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ଶୋଭା ଓ ପ୍ରଦୂଷଣ ନଷ୍ଟ କରିବାକୁ ଉଦ୍ୟମ ହେଉଛି।
ପାହାଡ଼ରେ ପୋଡୁଚାଷ କରିବାକୁ ପ୍ରଶୟ ଦିଆଯାଉଥିବା ଆଲୋଚନା ହେଉଛି। ଆନ୍ଧ୍ର ତରଫରୁ ନିଜ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କଠାରୁ ବିଭିନ୍ନ ଆଳରେ ଟିକସ ଆଦାୟ କରି ବିପୁଳ ରାଜସ୍ବ ଆଦାୟ କରୁଥିବା ବେଳେ ଓଡ଼ିଶାରେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ରାଜ୍ୟ ସରକାରଙ୍କ ମାଗଣା ପରିଦର୍ଶନ ବ୍ୟବସ୍ଥା ଆନ୍ଧ୍ରକୁ ଈର୍ଷା ପରାୟଣ କରୁଥିବା ଚର୍ଚ୍ଚା ହେଉଛି। ଲମତାପୁଟ ବନାଞ୍ଚଳ ଅଧିକାରୀ ଆନନ୍ଦ କିର୍ସାନୀଙ୍କୁ ପଚାରିବାରୁ ମାଛକୁଣ୍ଡ ଡୁଡୁମା ଜଳପ୍ରପାତ ନିକଟ ଓଡ଼ିଶା ପାର୍ଶ୍ବ ପାହାଡ଼ରେ ୫୦ ହେକ୍ଟର ଜଙ୍ଗଲ ସୃଷ୍ଟି କରିବାକୁ ବନ ବିଭାଗ ଗତ ୪ ବର୍ଷ ହେଲା ଲାଗି ପଡ଼ିଛି। ଚାରାରୋପଣ ଓ ରକ୍ଷଣାବେକ୍ଷଣ ଲାଗି ଅଦ୍ୟାବଧି ବନବିଭାଗ ୧୦ରୁ ୧୨ଲକ୍ଷ ଟଙ୍କା ବ୍ୟୟ କରି ସାରିଛି।
ଅପରପାର୍ଶ୍ୱ ଆନ୍ଧ୍ର ଅଧୀନ ପାହାଡ଼ର ସ୍ଥିତି ଦେଖି ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିବା ସ୍ବାଭାବିକ। ଉକ୍ତ ଅସନ୍ତୋଷ ଦୂର କରିବାକୁ ଓଡ଼ିଶା ବନବିଭାଗ ତରଫରୁ ଆମ ଅଞ୍ଚଳର ପାହାଡ଼କୁ ସୁନ୍ଦର କରିବାକୁ ଉଦ୍ୟମ ଜାରି ରହିଛି। ପରିବେଶ ସନ୍ତୁଳନ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ଫୁଲ, ଫଳ ଗଛ ରୋପଣ, ଅଲୋକୀକରଣ ସହ ବସିବା ଉଠିବା ବ୍ୟବସ୍ଥା, ପାନୀୟ ଜଳର ବ୍ୟବସ୍ଥା ଲାଗି ଆଗକୁ ବିଭିନ୍ନ କାର୍ଯ୍ୟ କରାଯିବ ବୋଲି ଶ୍ରୀ କିର୍ସାନୀ କହିଛନ୍ତି। ଏନେଇ ଆନ୍ଧ୍ର ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।



