ଲଡୁଗାଁ: କୋକସରା ବ୍ଲକରେ ରହିଥିବା ଯେ କୌଣସି ବିଦ୍ୟାଳୟରେ ସମସ୍ୟା କିମ୍ବା ଅଭିଯୋଗ ପାଇଁ ଯେ କେହି କୋକସରା ମୁଖ୍ୟାଳୟ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ଆସିଥାନ୍ତି। କିନ୍ତୁ ମୁଖ୍ୟାଳୟର ମୁଖ୍ୟ ସମସ୍ୟା କିଏ ବୁଝିବ ? ଦାୟୀ କିଏ ରହିବ ? କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ରହିଛି। ଆଉ ବର୍ଷାହେଲେ କାର୍ଯ୍ୟାଳୟ ସମ୍ମୁଖରେ କୃତ୍ରିମ ନଦୀର ଭ୍ରମ ସୃଷ୍ଟି କରୁଛି। ଏହି ପରିବେଶରେ ସବୁଦିନ କୁନି କୁନି ପିଲାମାନେ ପାଠ ପଢିବାକୁ ଯାଉଛନ୍ତି। ପରିସରରେ ବିଭିନ୍ନ ସମୟରେ ବର୍ଷା ମାସରେ ଅସରାଏ ବର୍ଷା ହେଲେ ସ୍କୁଲ ପରିସରରେ ପାଣି ଜମୁଥିବାରୁ ଶ୍ରେଣୀଗୃହକୁ ଯିବା ପାଇଁ ପିଲାମାନଙ୍କୁ ନାକେଦମ ହେବାକୁ ପଡ଼ୁଛି। ଏ ନେଇ ‘ସମାଜ’ ପ୍ରତିନିଧିଙ୍କ ପାଖକୁ ଆସି ଜଣେ ସଚେତନ କୁନି ଛାତ୍ରୀ ଖବର ପ୍ରସାରଣ କରିବା ପାଇଁ ନିବେଦନ କରିଥିଲେ। ଏଭଳି ଦୃଶ୍ୟ ଏବେ ଅଭିଭାବକ ମହଲରେ ଉଦ୍ବେଗ ସୃଷ୍ଟି କରିଛି। ଯେଉଁଭଳି ପରିବେଶ ରହିଛି ସେଥିରେ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଦେଖା ଦେଇଛି।
ସ୍କୁଲ ଏକ ମନ୍ଦିର, ମନ୍ଦିର ପରିସରରେ ଯଦି ଏଭଳି ପରିବେଶ ଏହା ନିଶ୍ଚିତ ଭାବରେ ପିଲାଙ୍କ ମନରେ କୁସଂସ୍କାର ଜନ୍ମନେବା ନିଶ୍ଚିତ ସ୍ୱାଭାବିକ କଥା। ଆଜକୁ ଦୀର୍ଘ ଦିନ ଧରି ବର୍ଷା ହେଉଥିବା ଓ ଏଭଳି ପାଣି ଜମିଥିବା ନେଇ ବ୍ଲକ ଅଧିକାରୀ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ଦୃଷ୍ଟି ନ ପଡ଼ିବା ଦୁଃଖ ଓ ପରିତାପର ବିଷୟ। ତେବେ କୁନି ଛାତ୍ରଛାତ୍ରୀଙ୍କ ନଜରରେ ଏଭଳି ସମସ୍ୟା ଦେଖାଦେଉଛି, ଅଥଚ ଅଧିକାରୀମାନଙ୍କ ନିତିଦିନିଆ ରାସ୍ତା ହୋଇଥିବାବେଳେ କେମିତି ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯାଉନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏ ସଂକ୍ରାନ୍ତରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ ଭାଟିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।



