www.samajalive.in
Monday, December 8, 2025
27.1 C
Bhubaneswar

ବାପାର ଚିକିତ୍ସା ପାଇଁ ଶ୍ରମିକ ସାଜିଲା ଝିଅ, ପାଠ ଛାଡ଼ିଲେ ଭାଇ-ଭଉଣୀ

ଖଲ୍ଲିକୋଟ : ରୋଗରେ ପୀଡିତ ବାପାର ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରିବାକୁ ପାଠଛାଡି ନାବାଳିକା କନ୍ୟା ଶ୍ରମିକ ସାଜିଥିବା ବେଳେ ଅନ୍ୟ ଦୁଇ ନାବାଳକ ଭାଇ ଓ ଭଉଣୀ ପାଠରେ ଡୋରି ବାନ୍ଧିଛନ୍ତି। ଖଲ୍ଲିକୋଟ ବ୍ଲକର ବାଣିଆ ଗ୍ରାମରେ ଏଭଳି ଦୁଃଖଦ ଘଟଣା ନଜରକୁ ଆସିଛି। ସରକାରୀ ସହାୟତା ନପାଇ ଜଣେ ଗରିବ ବ୍ୟକ୍ତି ୪ବର୍ଷ ହେଲା ରୋଗରେ ଶଯ୍ୟାରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏଣେ ବାପାର ବିକଳ ସହିନପାରି ତିନି ନାବାଳକ ପୁଅ ଓ ଝିଅ ପାଠପଢା ଛାଡିଛନ୍ତି।
ସୂଚନା ପ୍ରକାରେ ବାଣିଆ ଗ୍ରାମର ସ୍ବର୍ଗତ ମୁଣ୍ଡେଇ ଡାକୁଆଙ୍କ ୪୦ ବର୍ଷୀୟ ପୁଅ ନିରଞ୍ଜନ ଡାକୁଆ ଗ୍ରାମରେ ଏକ ସେଲୁନ ଖୋଲି ୪ ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରି ବେଶ ହସଖୁସିରେ ଚଳୁଥିଲେ। ହଠାତ ଦିନେ ନିରଞ୍ଜନ ଘରକୁ ଫେରିବା ପରେ ହାତ ଓ ଗୋଡ ଥରିବା ସହ ଗୋଟିଏ ପାର୍ଶ୍ବ ଅଚଳ ହୋଇପଡିଥିଲା। ନିରଞ୍ଜନଙ୍କ ହଠାତ ଏଭଳି ଅବସ୍ଥା ଦେଖି ପରିବାର ଲୋକଙ୍କ ପାଦତଳୁ ମାଟି ଖସି ଯାଇଥିଲା। ଘରର ଏକମାତ୍ର ରୋଜଗାରିଆ ସ୍ୱାମୀଙ୍କ ଅଚାନକ ଏଭଳି ଅବସ୍ଥା ଯୋଗୁ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ରୋଗରୁ ନିସ୍ତାର ଦେବାକୁ ଭିଟାମାଟି ଖଣ୍ଡିକ ବିକ୍ରିବଟା କରି ସ୍ୱାମୀଙ୍କୁ ବ୍ରହ୍ମପୁର ଓ ଅନ୍ୟାନ୍ୟ ଡାକ୍ତରଖାନାକୁ ନେଇଥିଲେ ପତ୍ନୀ ଛବିତା। କିନ୍ତୁ ଚିକିତ୍ସାରେ କୌଣସି ସୁଫଳ ନମିଳିବାରୁ ଘରେ ଥିବା ସୁନା, ରୁପା ଓ ଅନ୍ୟାନ୍ୟ ଆସବାବପତ୍ର ବିକ୍ରି କରି ପରିବାର କିଛିଦିନ ଚଳି ଯାଇଥିଲେ। ଘର ବିକ୍ରି ହୋଇଯିବା ପରେ ୩ ନାବାଳକଙ୍କୁ ନେଇ ଅସହାୟ ଅବସ୍ଥାରେ ଘୁରି ବୁଲିଥିଲେ ଛବିତା। ଗ୍ରାମର ରବୀନ୍ଦ୍ର ଗୌଡ଼ ଏକ ଛୋଟିଆ ଘର ଦେଇ ଉକ୍ତ ପରିବାରକୁ ଥଇଥାନ କରିଥିଲେ। ଗ୍ରାମବାସୀ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଚାନ୍ଦା କରି ଚିକିତ୍ସା କରାଇଥିଲେ ମଧ୍ୟ ନିରଞ୍ଜନଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ଘରର ଆର୍ଥିକ ଅବସ୍ଥା ଦିନକୁ ଦିନ ସଙ୍କଟାପନ୍ନ ହେବା ଫଳରେ ନିରଞ୍ଜନଙ୍କ ବଡଝିଅ ସନ୍ଧ୍ୟା ଅଷ୍ଟମ ଶ୍ରେଣୀ ପାଠ ପଢା ଛାଡି ପରିବାରର ଦୈନନ୍ଦିନ ଖର୍ଚ୍ଚ ମେଣ୍ଟାଇବା ପାଇଁ ଏକ ଫ୍ୟାକ୍ଟ୍ରିରେ ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ୫ମ ଶ୍ରେଣୀରେ ପଢ଼ୁଥିବା ଝିଅ ସଞ୍ଜନା ଓ ୨ୟ ଶ୍ରେଣୀରେ ପଢ଼ୁଥିବା ପୁଅ ଆଲୋକ ପରିବାରର ଦୁରବସ୍ଥାରେ ପାଠପଢାରେ ଡୋରି ବାନ୍ଧିଛନ୍ତି। ପତ୍ନୀ ଛବୀତା ଦିନତମାମ ରୋଗାଗ୍ରସ୍ତ ସ୍ୱାମୀ ସେବାରେ ନିୟୋଜିତ ରହୁଥିବାରୁ ବାହାରକୁ କୁଲି ମଜୁରି କରିବାକୁ ଯାଇପାରୁ ନାହଁାନ୍ତି। ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢାଇବାକୁ ପତ୍ନୀ ଓ ତିନି ସନ୍ତାନ ଆକୁଳ ନିବେଦନ କରିଛନ୍ତି। ବାଣିଆ ଗ୍ରାମର ଯୁବକ ସଙ୍ଘ ସଭାପତି ଆଇନଜୀବୀ ମନୋଜ କୁମାର ବେହେରା ଗଣମାଧ୍ୟମ ଆଗରେ ଉକ୍ତ ଅସହାୟ ରୋଗାଗ୍ରସ୍ତ ନିରଞ୍ଜନଙ୍କ ଚିକିତ୍ସା ଓ ପିଲାଙ୍କ ପାଠ ପଢା ପାଇଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ସହଯୋଗର ହାତ ବଢାଇବାକୁ ନିବେଦନ କରିଛନ୍ତି। ଖଲ୍ଲିକୋଟ ବ୍ଲକର ଖୋଜାପଲ୍ଲୀ , ହରିଡାମୂଳି , ଶ୍ରୀକୃଷ୍ଣ ଶରଣପୁର ଭଳି ଅନେକ ଗ୍ରାମରେ ଏକାଧିକ ପରିବାରର ସଦସ୍ୟ ରୋଗାଗ୍ରସ୍ତ ହୋଇ ଦୁର୍ଦଶାଗ୍ରସ୍ତ ଜୀବନ ବିତାଉଛନ୍ତି। ବର୍ତ୍ତମାନ ନିରଞ୍ଜନଙ୍କ ଅବସ୍ଥା ଗୁରୁତର ରହିଛି। ହାତ-ଗୋଡ ଅଚଳ ସହ ଏବେ ସେ ଏକପ୍ରକାର ମୂକ ପାଲଟିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories