କେନ୍ଦୁଝର: ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କଲେ ପ୍ରାର୍ଥୀ
କଂଗ୍ରେସ ବିଧାୟିକା ପ୍ରାର୍ଥୀ ପ୍ରତିଭାଙ୍କ ପ୍ରାର୍ଥୀପତ୍ର ଦାଖ
କେନ୍ଦୁଝର ସଦର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲର ପଞ୍ଚମଦିନରେ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାଏକ ନାମାଙ୍କନପତ୍ର ଦାଖଲ କରିଛନ୍ତି। କେନ୍ଦୁଝର ଉପଜିଲାପାଳ ତଥା ସଦର ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ତାଙ୍କର ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଜ୍ୟରେ ବିଜେଡି ସରକାର ଏବଂ କେନ୍ଦ୍ରରେ ବିଜେପି ସରକାରଙ୍କ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ ସହ କଂଗ୍ରେସର ଗ୍ୟାରେଣ୍ଟିକୁ ନେଇ ସେ ଲୋକଙ୍କ ପାଖକୁ ଯିବେ ବୋଲି ପ୍ରାର୍ଥୀପତ୍ର ଦାଖଲ ଅବସରରେ କହିଛନ୍ତି।ୟ
ତେଲକୋଇ ପାଇଁ ବିଜେଡି ପ୍ରାର୍ଥୀ ମାଧବଙ୍କ ପ୍ରାର୍ଥୀପତ୍ର ଦାଖଲ
ତେଲକୋଇ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ନିଜର ସହସ୍ରାଧିକ ସମର୍ଥକ ଓ ଶୁଭେଛୁଙ୍କ ଗହଣରେ ଆସି କେନ୍ଦୁଝର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣଂ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ପୁନମ ବିନିତା ବାଗେଙ୍କ ନିକଟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସ୍ଥାନୀୟ ଟେଲିଫୋନ ଏକ୍ସଚେଞ୍ଜଛକ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ପାଇକରାୟ, ସହପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ, କେନ୍ଦୁଝର ସଦର ବିଧାନସଭା ପ୍ରାର୍ଥୀ ମୀନା ମାଝୀ, ଘସିପୁରା ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ, ଲୋକସଭା ପ୍ରାର୍ଥୀ ଧର୍ନୁଜୟ ସିଦ୍ଦୁ, ଲୋକସଭା ସଦସ୍ୟା ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, ଜିଲା ବିଜେଡି ସଭାପତି କୁଶ ଆପଟ୍ଟ, ପୂର୍ବତନ ଜିଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ବିଜେଡି ରାଜ୍ୟ ଯୁବ ଉପସଭାପତି ସୌମ୍ୟଶଙ୍କର ଚକ୍ର, କେନ୍ଦୁଝରଗଡ ଉପନଗରପାଳ ବରଦା ପ୍ରସନ୍ନ ଦାସ, ନଗର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ବିଜେଡି ନେତା ଦେବୁ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ କରଙ୍କ ଗହଣରେ ଆସି ଶ୍ରୀ ସର୍ଦ୍ଦାର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀରେ ବିକାଶ ପ୍ରକ୍ର୍ରିୟାକୁ କିଭଳି ଆଗେଇ ନେବେ ସେ ନେଇ ସେ ଲୋକଙ୍କ ପାଖକୁ ଯିବେ ବୋଲି ଶ୍ରୀ ସର୍ଦ୍ଦାର କହିଛନ୍ତି।
ରୋଡ ଶୋ’ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କଲା ବିଜେପି: ପ୍ରାର୍ଥୀପତ୍ର ଦାଖଲ କଲେ ଅନନ୍ତ, ମୋହନ ଓ ଅଖିଳ
ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ ଓ ପାଟଣା ବିଧାୟକ ପ୍ରାର୍ଥୀ ଅଖିଳ ନାଏକ ଶୁକ୍ରବାର ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସ୍ଥାନୀୟ କାଳୀ ପଡିଆ ଠାରୁ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଆସି ସହର ପରିକ୍ରମା ପରେ ୩ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଦିମ ଜନଜାତି ଜୁଆଙ୍ଗଙ୍କ ପାରମ୍ପାରିକ ଚାଙ୍ଗୁ ବାଦ୍ୟ ଓ ନୃତ୍ୟ ସହ ଆଦିବାସୀ ପାରମ୍ପରିକ ନୃତ୍ୟ, ମାଦଳ, ଢୋଲ ବଜାଇ ନାଚ ଗୀତ ଭିତରେ ଏକ ସୁସଜ୍ଜିତ ଯାନରେ ୩ ପ୍ରାର୍ଥୀ ଯୋଡହସ୍ତରେ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।
ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ପ୍ରାର୍ଥୀପତ୍ର ଦାଖଲର ପଞ୍ଚମ ଦିନରେ ପ୍ରଥମେ ଲୋକସଭା ପ୍ରାର୍ଥୀ ଅନନ୍ତ ନାଏକ ସମର୍ଥକଙ୍କ ସହିତ ଆସି ଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହାପରେ ପାଟଣା ବିଧାୟକ ପ୍ରାର୍ଥୀ ଅଖିଳ ନାଏକ ଅତିରିକ୍ତ ଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେହିପରି ବିଜେପି ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ ନିଜର ସମର୍ଥକଙ୍କ ସହ କେନ୍ଦୁଝର ଉପଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ, ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ରାଜ୍ୟ ପ୍ରବକ୍ତା ସତ୍ୟବ୍ରତ ପଣ୍ଡା, ବଡବିଲର ପୂର୍ବତନ ନଗରପାଳ ଦିଲ୍ଲୀପ ମିଶ୍ର, ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା, ତେଲକୋଇ ବିଧାୟକ ପ୍ରାର୍ଥୀ ଫକିର ମୋହନ ନାଏକ, ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ, କେନ୍ଦୁଝର ଲୋକସଭା କ୍ଷେତ୍ର ଅଧିନ ପଡୋଶୀ ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁଙ୍କ ସମେତ ଜିଲା ବିଜେପିର ବହୁ ନେତା ଓ କର୍ମୀ ପ୍ରାର୍ଥୀପତ୍ର ଦାଖଲ ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୁଖି ଯୋଜନା କେନ୍ଦୁଝରର ଘରେ ଘରେ ପହଞ୍ଚାଇବା ସହ ମୌଳିକ ସୁବିଧାରୁ ବଞ୍ଚିତ କେନ୍ଦୁଝରବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନା ଗମନ ଭଳି ମୌଳିକ ସମସ୍ୟାର ଆଶୁ ସମାଧାନ ଦିଗରେ ପ୍ରାଥମିକତା ଦିଆଯିବା ସହିତ କେନ୍ଦୁଝର ସଂସଦୀୟକ୍ଷେତ୍ରକୁ ବିକଶିତ କରାଯିବ ବୋଲି ବିଜେପିର ସମସ୍ତ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ ପରେ ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
Comments are closed.