ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ସମସ୍ତ ଆଶ୍ରୟ ସ୍ଥଳୀରେ ସର୍ବନିମ୍ନ ମୌଳିକ ସୁବିଧା ଉପରେ ଗୁରୁତ୍ୱାରୋପ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍, ଉଦ୍ଧାର, ଥଇଥାନ ଆଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସୁପରିଚାଳନା ପାଇଁ ଜିଲା ପ୍ରଶାସନ ଆନୁକୂଲ୍ୟରେ ଦରବାରହଲଠାରେ ବୁଧବାର ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ଜିଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ବିଧାୟକ ଘଷିପୁରା ବଦ୍ରି ନାରାୟଣ ପାତ୍ର, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବନଖଣ୍ଡ ଅଧିକାରୀ କେନ୍ଦୁଝର ଧନରାଜ ଏଚ.ଡି, ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ମିର୍ଦ୍ଧା ଟପ୍ପୋ, ଡେପୁଟି କଲେକ୍ଟର ଆପତ୍ତକାଳୀନ ଅଭିଳାଷ ପୁରୋହିତ ଓ ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ସଞ୍ଜୀବ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ସମସ୍ୟା ଓ ଏହାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ମତାମତ ରଖିଥିଲେ। ବିପର୍ଯ୍ୟୟ ପରିଚାଳନା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ସମ୍ବନ୍ଧରେ ପାୱାର ପଏଣ୍ଟ ଜରିଆରେ ଉପସ୍ଥାପନ କରାଯାଇ ସେହି ଆଧାରରେ ସମୀକ୍ଷା କରାଯାଇଥିଲା।
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଜୋନ୍, ସବ୍ଜୋନ୍ ଗଠନ ଓ ସଂପୃକ୍ତ ଅଧିକାରୀମାନଙ୍କୁ ଦାୟିତ୍ୱ ଅର୍ପଣ, ସରକାରୀ ଯନ୍ତ୍ର ଚାଳିତ ଡ଼ଙ୍ଗାର ସ୍ଥିତି, ନିୟନ୍ତ୍ରଣ କକ୍ଷ, ଅସ୍ଥାୟୀ ବେତାର କେନ୍ଦ୍ର, ଦୁର୍ବଳ ନଦୀବନ୍ଧ ଚିହ୍ନଟ ଓ ପ୍ରତିକାର, ପାନୀୟଜଳ ଯୋଗାଣ, ବର୍ଷାଜଳ ନିଷ୍କାସନ, ଦୁର୍ଗମ ସ୍ଥାନରେ ଖାଦ୍ୟ, ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ୍, ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ ଆଗୁଆ ପଦକ୍ଷେପ, ପ୍ରାଣୀ ଚିକିତ୍ସା ଓ ଖାଦ୍ୟ ମହଜୁଦ୍, କୃଷି, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀର ମରାମତି, ବର୍ଷା ପରିମାପକ ଯନ୍ତ୍ରର ଅବସ୍ଥା ଆଦି ସମ୍ବନ୍ଧରେ ପଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ତଦ୍ଜନିତ ସମସ୍ୟାର ସମାଧାନ ଓ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପୂର୍ଣ୍ଣ ପ୍ରସ୍ତୁତି ନିମିତ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ବିଶେଷ କରି ବନ୍ୟା ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକବେଳେ ସ୍ଥାନାନ୍ତର ପ୍ରକ୍ରିୟାରେ ହଜାର ସଂଖ୍ୟାରେ ଲୋକଙ୍କୁ ଆଣି ବାତ୍ୟାଶ୍ରୟରେ ରଖାଯିବା ସମୟରେ ପାନୀୟଜଳ, ଶୌଚାଳୟ, ରନ୍ଧାଖାଦ୍ୟ ଓ ଚୂଡ଼ା ପ୍ରଦାନକୁ ସଠିକ ଭାବେ କରାଯିବା ନେଇ ମତପ୍ରକାଶ ପାଇଥିଲା। ନାଳ ସଫେଇ ଏବଂ ଅଧିକ ବର୍ଷାଜଳ ନିଷ୍କାସନ ପାଇଁ ମ୍ୟୁନିସ୍ପାଲିଟି ଓ ପୂର୍ତ୍ତ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବନ୍ୟା ସମସ୍ୟା ଦୂରପାଇଁ ନଦୀବନ୍ଧ ଚିହ୍ନଟ କରାଯାଇ ପ୍ରତିକାର କରାଯିବା ଓ ବିଶେଷକରି ମନୁଷ୍ୟ ଓ ପ୍ରାଣୀମାନଙ୍କ ପାଇଁ ସାପ କାମୁଡ଼ାଜନିତ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ମହଜୁଦ୍ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଜିଲା ଏବଂ ବ୍ଲକସ୍ତରରେ କଣ୍ଟ୍ରୋଲରୁମ୍ ଆରମ୍ଭ କରାଯିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା।
Comments are closed.