ହେଜବୋଲ୍ଲାକୁ ନିପାତ ପାଇଁ ଲେବାନନରେ ପଶିବ ଇସ୍ରାଏଲ

ସମାଜ ଡିଜିଟାଲ ଡେସ୍କ: ଲେବାନନରେ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲାକୁ ନିପାତ କରିବାକୁ ଇସ୍ରାଏଲ ନିଜ ଅଭିଯାନକୁ ଜୋରଦାର କରିଛି। ଗତ ଶନିବାରଠାରୁ ଲେବାନନରେ ଆଡ୍ଡା ଜମାଇଥିବା ହେଜବୋଲ୍ଲା ସଂଗଠନର ବିଭିନ୍ନ ଠିକଣାରେ ରକେଟ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଆସୁଥିବା ଇସ୍ରାଏଲ ଏବେ ଗ୍ରାଉଣ୍ଡ ଅପରେସନ ପାଇଁ ଯୋଜନା କରିଛି। ଏଥିପାଇଁ ଇସ୍ରାଏଲ ସେନା ଲେବାନନରେ ପ୍ରବେଶ କରିବ। ଗାଜା ଷ୍ଟ୍ରିପରେ ହମାସ ଆତଙ୍କବାଦୀ ସଂଗଠନକୁ ଯେଉଁ ଢଙ୍ଗରେ ଇସ୍ରାଏଲ ନିପାତ କରିଥିଲା, ଏଠାରେ ଠିକ ସେହିପରି ଆକ୍ରମଣାତ୍ମକ ପଦକ୍ଷେପ ନେବାକୁ ଯୋଜନା ଚଳାଇଛି। ଇସ୍ରାଏଲରେ ପଶି ହେଜବୋଲ୍ଲା ସଂଗଠନକୁ ଧୂଳିସାତ କରିବା ଲାଗି ପ୍ରସ୍ତୁତ ରହିବାକୁ ଇସ୍ରାଏଲ ସେନାମୁଖ୍ୟ ଯବାନମାନଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ନିର୍ଦେଶ ପରେ ଖୁବଶୀଘ୍ର ଇସ୍ରାଏଲ ସୈନ୍ୟ ଲେବାନନରେ ପ୍ରବେଶ କରିବା ସ୍ପଷ୍ଟ ହେଉଛି।
ଇସ୍ରାଏଲ ପ୍ରତି ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହମାସ ଏବଂ ହେଜବୋଲ୍ଲାଠାରୁ ଅନେକ ବର୍ଷ ହେଲା ବିପଦ ରହିଆସିଛି। ଚଳିତବର୍ଷ ହମାସ ଇସ୍ରାଏଲ ଉପରେ ପ୍ରଥମେ ଆକ୍ରମଣ କରିବା ପରେ ଏହା ପରଠାରୁ ଇସ୍ରାଏଲ ଏହି ଦୁଇ ସଂଗଠନର ମୂଳୋତ୍ପାଟନ କରିବା ଲାଗି ଯୁଦ୍ଧକୁ ଓହ୍ଲାଇଛି। ବିଗତ ୧୫ ଦିନ ମଧ୍ୟରେ ଇସ୍ରାଏଲ ଗୋଟିଏ ପରେ ଗୋଟିଏ ଯୁଦ୍ଧ ଶୈଳୀ ଅପଣାଇବାରେ ଲାଗିଛି। ପ୍ରଥମେ ପେଜର ଏବଂ ଓ୍ବାକିଟକି ବିସ୍ଫୋରଣ ଘଟାଇ ହେଜବୋଲ୍ଲା ସଦସ୍ୟଙ୍କୁ ଦୁର୍ବଳ କରିବା ପରେ ବିଗତ ୪ ଦିନ ମଧ୍ୟରେ ସଂଗଠନର ପ୍ରାୟ ୧୬୦୦ ଠିକଣାକୁ ଟାର୍ଗେଟ କରି ରକେଟ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏଥିରେ ୬୦୦ରୁ ଅଧିକ ହେଜବୋଲ୍ଲା ସଦସ୍ୟ ଏବଂ ସାଧାରଣ ନାଗରିକ ନିହତ ହୋଇଛନ୍ତି।
Comments are closed.