www.samajalive.in
Monday, December 8, 2025
27.1 C
Bhubaneswar

ଫାଇନାଲ ସ୍ଥାନ ପାଇଁ ଆଜି ଗୁଜରାଟ-ଚେନ୍ନଇ ଲଢ଼େଇ

ଚେନ୍ନଇ : ଆଇପିଏଲ୍‌ର ୧୬ଶ ସଂସ୍କରଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ୪ଟି ମୁକାବିଲା ବାକିଅଛି । ୬ଟି ଦଳ ବିଦାୟ ନେଇ ସାରିଛନ୍ତି। ଏବେ ଟ୍ରଫି ଦୌଡ଼ରେ ୪ଟି ଦଳ। ମଙ୍ଗଳବାର ଗତବର୍ଷର ଚମ୍ପିଆନ୍ ଗୁଜରାଟ ଟାଇଟାନ୍‌ସ ଓ ୪ ଥର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମଧ୍ୟରେ କ୍ବାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଫାଇନାଲରେ ପହଞ୍ଚିବା ଲାଗି ଉଭୟ ଦଳଙ୍କ ପାଇଁ ଏହା ପ୍ରଥମ ସୁଯୋଗ। ଏହାର ବିଜେତା ସିଧାସଳଖ ଫାଇନାଲ ଖେଳିବ। ତେବେ ମଙ୍ଗଳବାର ଯେଉଁ ଦଳ ପରାସ୍ତହେବ; ଫାଇନାଲରେ ପହଞ୍ଚିବା ଲାଗି ବୁଧବାର ମ୍ୟାଚ୍‌ର ବିଜେତା ବିପକ୍ଷରେ ଏହା ଶୁକ୍ରବାର କ୍ବାଲିଫାୟର-୨ ଖେଳିବ। ତେଣୁ ପ୍ରଥମ ସୁଯୋଗରେ ହିଁ ମ୍ୟାଚ୍‌ ଜିତି ଫାଇନାଲ ସ୍ଥାନ ନିଶ୍ଚିତ କରିବାକୁ ଉଭୟ ଗୁଜରାଟ ଓ ଚେନ୍ନଇ ଦଳ ଲକ୍ଷ୍ୟ ରଖିଛନ୍ତି। ଉଭୟ ଦଳ ଅଦ୍ୟାବଧି ଭଲ ପ୍ରଦର୍ଶନ କରିଥିବା ବେଳେ; କେଉଁ ଦଳ ଜିତିବ; ତା’ର ଭବିଷ୍ୟବାଣୀ କରିବା କାଠିକର ପାଠ।
ଚେନ୍ନଇ ପାଇଁ ଏହା ସୌଭାଗ୍ୟର କଥା ଯେ କ୍ବାଲିଫାୟର-୧ ମ୍ୟାଚ୍‌ ଏହା ଘରୋଇ ଷ୍ଟାଡିୟମ୍‌ରେ ଖେଳିବାକୁ ଯାଉଛି; ଯେଉଁଠାରେ ଏହାର ରେକର୍ଡ ବହୁତ ଭଲ। ତେବେ କ୍ରିକେଟ୍‌ ରଣନୀତିରେ ଧୁରନ୍ଧର ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ ହେବ ଗୁଜରାଟ ଟାଇଟାନ୍‌ସର ଓପ୍‌ନର ଶୁବ୍‌ମାନଙ୍କୁ ରୋକିବା। ଗିଲ୍‌ ଏକା ଦଳକୁ ମ୍ୟାଚ୍‌ ଜିତାଇ ପାରନ୍ତି ଏବଂ ରବିବାର ଏହା କରିଥିଲେ। ଗିଲ୍‌ ୧୪ଟି ମ୍ୟାଚ୍‌ରୁ ୨ଟି ଶତକ ଓ ୪ଟି ଅର୍ଦ୍ଧଶତକ ସହ ୨ୟ ସର୍ବାଧିକ ୬୮୦ ରନ୍‌ କରିଛନ୍ତି। ଉଭୟ ଗୁଜରାଟ ଓ ସିଏସ୍‌କେ ମାର୍ଚ୍ଚ ୩୧ରେ ଅହମ୍ମଦାବାଦରେ ଉଦ୍‌ଘାଟନୀ ମୁକାବିଲା ଖେଳିଥିଲେ। ଏଥିରେ ଗୁଜରାଟ ୫ ୱିକେଟରେ ଜିତିଥିଲା। ସିଏସ୍‌କେ ଓପ୍‌ନର ଋତୁରାଜ ଗାଏକ୍‌ୱାଡ୍‌ ବିସ୍ଫୋରକ ୯୨ ରନ୍‌ କରିଥିବା ବେଳେ ଶୁବ୍‌ମାନ ଗିଲ୍‌ ଓ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ରସିଦ୍‌ ଖାଁଙ୍କ ସଫଳତା ବଳରେ ଗୁଜରାଟ ଜିତିଥିଲା। ସିଏସ୍‌କେ ୧୪ଟି ମ୍ୟାଚ୍‌ରୁ ୮ଟି ଜିତିଥିବା ବେଳେ ଗୋଟିଏ ମ୍ୟାଚ୍‌ ବାତିଲ ହୋଇଥିଲା। ନେଟ୍‌ ରନ୍‌ରେଟ୍‌ରେ ଲକ୍ଷ୍ନୌକୁ ପଛରେ ପକାଇ ଚେନ୍ନଇ କ୍ବାଲିଫାୟରରେ ପହଞ୍ଚିଛି। ସିଏସ୍‌କେ ୫ଟି ମ୍ୟାଚ୍‌ରେ ୨୦୦ କିମ୍ବା ଅଧିକ ରନ୍‌ କରିଛି। ଦୁଇ ଓପ୍‌ନର ଋତୁରାଜ ଗାଏକ୍‌ୱାଡ୍‌ ଓ ଡେଭନ୍ କନ୍‌ୱେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନ୍ୟୁଜିଲାଣ୍ଡର କନ୍‌ୱେ ୬ଟି ଅର୍ଦ୍ଧଶତକ ସହ ୫୮୫ ଓ ଋତୁରାଜ ୩ଟି ଅର୍ଦ୍ଧଶତକ ସହ ୫୦୪ ରନ୍‌ କରିଛନ୍ତି। ଶିବମ୍ ଦୁବେ ବିସ୍ଫୋରକ ବ୍ୟାଟିଂକରି ୩ଟି ଅର୍ଦ୍ଧଶତକ ଓ ୩୩ଟି ଛକା ସହ ୩୮୫ ରନ୍‌ କରିଛନ୍ତି। ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଚମ୍ପିଆନ୍‌ଙ୍କ ପରି ପ୍ରଦର୍ଶନ କରିଛନ୍ତି। ସ୍ପିନର ମାହିଶ୍‌ ତୀକ୍ଷଣ ଭଲ ବୋଲିଂ କରୁଛନ୍ତି। ଦୀପକ ଚହର ଫିଟ୍‌ ହେବା ଦଳର ବୋଲିଂ ଶକ୍ତିକୁ ବଢ଼ାଇ ଦେଇଛି। ମାଥିଶା ପାଥିରାନା ଓ ତୁଷାର ଦେଶପାଣ୍ଡେ ମଧ୍ୟ ଭଲ ବୋଲିଂ କରୁଛନ୍ତି। ଦଳରେ ମହେନ୍ଦ୍ର ସିଂହ ଧୋନିଙ୍କ ପରି ଅଧିନାୟକ ଅଛନ୍ତି। ବୋଧହୁଏ ଧୋନିଙ୍କର ଏହା ଅନ୍ତିମ ଆଇପିଏଲ୍‌ ଥିବାରୁ ଘରୋଇ ଦର୍ଶକଙ୍କ ସମ୍ମୁଖରେ ସିଏସ୍‌କେକୁ ଫାଇନାଲରେ ପହଞ୍ଚିବା ପାଇଁ ପ୍ରୟାସ କରିବେ।
ଗୁଜରାଟ ଟାଇଟାନ୍‌ସ ଅଦ୍ୟାବଧି ସମସ୍ତ ଦଳଙ୍କ ମଧ୍ୟ ଶ୍ରେ​ଷ୍ଠ ପ୍ରଦର୍ଶନ କରିଥିବା ବେଳେ ଏହା ସମସ୍ତ ବିଭାଗରେ ଶକ୍ତିଶାଳୀ ରହିଛି। ୧୪ଟିରୁ ୧୦ଟି ମ୍ୟାଚ୍‌ ଜିତି ଏହା ସିଏସ୍‌କେକୁ ବଡ଼ ଆହ୍ବାନ ଦେଇଛି। ଏକ ମ୍ୟାଚ୍‌ ବିଜେତା ଦଳ ହେବା ପାଇଁ ଯେଉଁ ଗୁଣ ଆବଶ୍ୟକ; ତାହା ଗୁଜରାଟ ପାଖରେ ରହିଛି। ଶ୍ରେଷ୍ଠ ଓପ୍‌ନିଂ ବ୍ୟାଟର ଶୁବ୍‌ମାନ ଗିଲ୍‌ ଓ ଶ୍ରେଷ୍ଠ ଓପ୍‌ନିଂ ବୋଲର ମହମ୍ମଦ ସାମି ଏହି ଦଳରେ ଅଛନ୍ତି। ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ସ୍ପିନର ରସିଦ୍‌ ଖାଁ ମଧ୍ୟ ଗୁଜରାଟ ଦଳରେ ଅଛନ୍ତି। ଫିନିସର ଭାବେ ରହିଛନ୍ତି ଡେଭିଡ୍‌ ମିଲର ଓ ରାହୁଲ ତିୱତିଆ। ଶ୍ରୀଲଙ୍କାର ଦାସୁନ୍ ଶନକଙ୍କ ସ୍ଥାନରେ ଗୁଜରାଟ ପେସ୍‌ ବୋଲର ଜୋସୁଆ ଲିଟ୍‌ଲଙ୍କୁ ଖେଳାଇପାରେ। ପୁଣି ବ୍ୟାଟିଂକୁ ମଜ୍‌ଭୁତ କରିବା ପାଇଁ ଯଶ ଦୟାଲଙ୍କ ସ୍ଥାନରେ ସାଇ ସୁଦର୍ଶନ ଖେଳିପାରନ୍ତି। ସିଏସ୍‌କେର ସମସ୍ୟା ହେଉଛି ଏହାର ମଧ୍ୟକ୍ରମ ମଜ୍‌ଭୁତ ନାହିଁ। ତେଣୁ କନ୍‌ୱେ ଓ ଋତୁରାଜ ସଫଳ ହୋଇଥିବା ମ୍ୟାଚ୍‌ରେ ଏହା ଅଧିକାଂଶ ବିଜୟ ହାସଲ କରିଛି। ତେଣୁ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଚାହିଁବେ ଯେ ସାମି ନୂଆ ବଲ୍‌ରେ ଉଭୟ ଓପ୍‌ନରଙ୍କୁ ଜଲ୍‌ଦି ଆଉଟ୍‌ କରନ୍ତୁ। ଚେନ୍ନଇ ପିଚ୍‌ରେ ସ୍ପିନରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଉଭୟ ଦଳରେ ୩ ଜଣ ଲେଖାଏଁ ଭଲ ସ୍ପିନର ଅଛନ୍ତି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories