ତାଲାବନ୍ଦରେ ହଜିଯାଇଛି ଜୀବିକାର ଚାବି; ବଢିଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‍

(‘ସମାଜ’ ପୋର୍ଟାଲ ବିଶେଷ)

ଭୁବନେଶ୍ୱର: ବର୍ଷେ ତଳେ କୋଭିଡ-୧୯ ମହାମାରୀ ଯେତେବେଳେ ପ୍ରଥମ କରି ଦେଶକୁ ଗ୍ରାସ କରିବା ଆରମ୍ଭ କଲା, ସେତେବେଳେ ସାରା ଦେଶ ଦୀର୍ଘମାସ ଧରି ତାଲାବନ୍ଦ କଟକଣାରେ ରହିଲା। ଯାନବାହନ ଠାରୁ ଆରମ୍ଭ କରି କଳକାରଖାନା, ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ଆଦି ସବୁକିଛି ବନ୍ଦ ରହିଲା, କେବଳ କିଛି ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀକୁ ବାଦଦେଇ। ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହେବାରେ ଲାଗିଲା। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୮୦ କୋଟି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରଙ୍କୁ ମାଗଣା ରାସନ ଏବଂ ସେମାନଙ୍କ ଆକାଉଣ୍ଟକୁ କିଛି ଆର୍ଥିକ ସହାୟକା ପ୍ରଦାନ କଲେ। ତତ୍‍ସହିତ ଅର୍ଥନୀତି ସୁଧାରିବାକୁ ଏକାଧିକ ପ୍ୟାକେଜ ମଧ୍ୟ ଘୋଷଣା ଓ କାର୍ଯ୍ୟକାରୀ କରାଗଲା। କୋଭିଡ ପ୍ରଭାବ ବର୍ଷ ଶେଷରେ ହ୍ରାସପାଇ ଜନଜୀବନ କ୍ରମଶଃ ସ୍ୱାଭାବିକ ହେଉଥିବାବେଳେ ମାଡି ଆସିଲା କୋଭିଡର ଦ୍ୱିତୀୟ ଲହର। ଏହା ଏଭଳି ଭୟଙ୍କର ଆକାର ଧାରଣ କରିଛି ଯେ ପ୍ରତିଦିନ ଦେଶରେ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିବା ସହିତ ହଜାର ହଜାର ଜୀବନ ନେଇଯାଉଛି। ସମସ୍ତେ ନିଜ ଜୀବନ ବଞ୍ଚାଇବାକୁ ବ୍ୟାକୁଳ ଥିବାବେଳେ ଅର୍ଥନୀତି ରସାତଳକୁ ଚାଲିଗଲାଣି। ତାହାସହିତ ଖାଇବା ତେଲ, ଡାଲି ଠାରୁ ନେଇ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‍ ଏବଂ ପେଟ୍ରୋଲିୟମ ଇନ୍ଧନ ମୂଲ୍ୟ ପ୍ରତିଦିନ ବଢିଚାଲିଛି। ଏହା ଏବେ ଜୀବିକା ଓ ରୋଜଗାର ହରାଇଥିବା ସାଧାରଣ ଲୋକଙ୍କ ପାଇଁ ଆଉ ହାତ ପାଆନ୍ତାରେ ନାହିଁ।
ଗତବର୍ଷ ଦେଶର ଅର୍ଥନୀତି ଉପରେ ତାଲାବନ୍ଦର ପଡିଥିବା ପ୍ରଭାବ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ଏପ୍ରିଲ ୨୦ରେ ଘୋଷଣା କରିଥିଲେ ଯେ ଦେଶବାସୀ କୋଭିଡ କଟକଣାକୁ କଡାକଡି ଭାବରେ ପାଳନ କରିବା ଦରକାର। ରାଜ୍ୟ ସରକାରମାନେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଶେଷ ଅସ୍ତ୍ର ଭାବରେ ତାଲାବନ୍ଦକୁ ଉପଯୋଗ କରିପାରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଦେଶର ବ୍ୟବସାୟ ନେତୃବୃନ୍ଦଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ଚଳିତ ବର୍ଷ ୨୦୨୦ର ତାଲାବନ୍ଦ ପରିସ୍ଥିତିର ପୁନରାବୃଦ୍ଧି ଘଟିବ ନାହିଁ। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ପକ୍ଷରୁ ସେଠାରେ ତାଲାବନ୍ଦ ଘୋଷଣା କରାଗଲା। କେବଳ ଅନୁମତି ମିଳିଲା ଅତ୍ୟାବଶ୍ୟକ ସେବା ପାଇଁ। ଅବଶ୍ୟ ଚଳିତ ବର୍ଷ ବ୍ୟତିକ୍ରମ ହେଉଛି ଯେ ବିଭିନ୍ନ ରାଜ୍ୟରେ ମୁଖ୍ୟ ମୁଖ୍ୟ ଶିଳ୍ପକୁ ତାହାର କାର୍ଯ୍ୟ ଚାଲୁରଖିବାକୁ ଅନୁମତି ଦିଆଯାଇଛି। ପଣ୍ୟ ସାମଗ୍ରୀ ପରିବହନ ପାଇଁ ଜାତୀୟ ରାଜପଥ ମଧ୍ୟ ଉନ୍ମୁକ୍ତ ରହିଛି। ଏହାକିନ୍ତୁ ପରିସ୍ଥିତିକୁ ସୁଧାରି ପାରିନାହିଁ। ଚଳିତ ବର୍ଷର ତାଲାବନ୍ଦ ପ୍ରଭାବ ଗତବର୍ଷ ଅନୁରୂପ ହୋଇଛି। ମହାରାଷ୍ଟ୍ର, ଦିଲ୍ଲୀ, ହରିଆଣା, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଜାରି କରାଯାଇଥିବା ତାଲାବନ୍ଦ ଦ୍ୱାରା କଳ କାରଖାନା ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଛି। କମ୍‍ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରିବା, ବିଭିନ୍ନ ସାମଗ୍ରୀର ଚାହିଦା ମାତ୍ରାଧିକ ହ୍ରାସ କାରଣରୁ ସେଗୁଡିକ ଉତ୍ପାଦନ ଆପେ ହ୍ରାସ ପାଇବା ଭଳି ସମସ୍ୟା ଦେଖାଦେଇଛି। ଏହାର ସମୁଦାୟ ପ୍ରଭାବ ଜୀବିକା ଉପାର୍ଜନ ଓ ଅର୍ଥନୀତି ଉପରେ ମଧ୍ୟ ପଡୁଛି।
ଏସବୁ ସହିତ ଦେଶବ୍ୟାପୀ ମଲ୍‍, ସିନେମା ହଲ, ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ବଜାର ଆଦି ବନ୍ଦ ରହିବା କାରଣରୁ ଅନେକ ଲୋକ ଜୀବିକା ହରାଇଛନ୍ତି। ଦେଶର ଅର୍ଥନୀତି ଅତ୍ୟନ୍ତ ଖରାପ ଅବସ୍ଥାକୁ ଗତି କରୁଥିବାବେଳେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ଉପରେ ଭାରତୀୟ ଅର୍ଥନୀତିର ସୁଧାର ନିର୍ଭର କରୁଛି ବୋଲି ଫୋର୍ବସ ପତ୍ରିକା ପକ୍ଷରୁ କୁହାଯାଇଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ଏପ୍ରିଲ ମାସରେ ଭାରତରେ ୩.୪ ନିୟୁତ ବେତନଭୋଗୀ ଶ୍ରମିକ, କର୍ମଚାରୀ ସେମାନଙ୍କର ଚାକିରି ହରାଇଛନ୍ତି। ଜାନୁଆରୀରେ ଦେଶରେ ୮୨.୨ ନିୟୁତ ନିଯୁକ୍ତି ରହିଥିବାବେଳେ ଫେବ୍ରୁଆରୀରେ ତାହା ୭୬.୭ ନିୟୁତ ଓ ମାର୍ଚ୍ଚରେ ୭୩.୩ ନିୟୁତକୁ ହ୍ରାସ ପାଇଥିଲା। ଗତବର୍ଷ ଏପ୍ରିଲରୁ ଚଳିତ ବର୍ଷ ଏପ୍ରିଲ ମଧ୍ୟରେ ପ୍ରାୟ ୧୨.୫ ନିୟୁତ ଲୋକ ଚାକିରି ହରାଇଥିବା ଏହା କହିଛି।
ଏହି ସମସ୍ତ ବିଷୟ ବିଚାରକୁ ନେଇ ବିଭିନ୍ନ ସଂସ୍ଥା ଇତିମଧ୍ୟରେ ଚଳିତ ବର୍ଷ ଭାରତର ଜିଡିପି ଅଭିବୃଦ୍ଧି ଆକଳନ ହ୍ରାସ କରିବା ଆରମ୍ଭ କରିଦେଇଛନ୍ତି। ବିଶ୍ୱସ୍ତରୀୟ ବ୍ରୋକରେଜ ସଂସ୍ଥା ବାର୍କଲେଜ୍‍ କହିଛି ପୂର୍ବରୁ ଏହା ଅଭିବୃଦ୍ଧି ୧୧% ଆକଳନ କରିଥିବାବେଳେ ସଂପ୍ରତି ତାହା ୧୦%କୁ ହ୍ରାସ କରିଛି। ଜୁନ୍‍ ପର୍ଯ୍ୟନ୍ତ ତାଲାବନ୍ଦ ରହିଲେ ଦେଶର ଅର୍ଥନୀତିରେ ୩୮.୪ ବିଲିଅନ ଡଲାର କ୍ଷତି ଘଟିବ ବୋଲି ଏହା ଦର୍ଶାଇଛି। ଡନ୍‍ ଆଣ୍ଡ ବ୍ରାଡଷ୍ଟ୍ରିଟ ସର୍ଭେରୁ ଜଣାଯାଇଛି ଯେ ଚଳିତ କ୍ୟାଲେଣ୍ଡର ବର୍ଷର ଦ୍ୱିତୀୟ ତ୍ରୟମାସରେ ବ୍ୟବସାୟ ସମ୍ଭାବନା ପୂର୍ବ ତିନିମାସ ତୁଳନାରେ ୨୩% ହ୍ରାସପାଇଛି। ରେଟିଂ ସଂସ୍ଥା କ୍ରିସିଲ କହିଛି, ଭାରତର ଅଭିବୃଦ୍ଧି ପ୍ରାୟ ୯.୮% ହୋଇପାରେ। ସେହିଭଳି ଏସ ଆଣ୍ଡ ପି ଗ୍ଲୋବାଲ ରେଟିଂ ଭାରତର ଜିଡିପି ଅଭିବୃଦ୍ଧି ହାର ମଧ୍ୟ ୯.୮%କୁ ହ୍ରାସ କରିଛି। ଏହା କହିଛି ଯେ ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ପ୍ରଭାବ ଚଳିତ ଥର ଗ୍ରାମାଞ୍ଚଳରେ ଅଧିକ ଅନୁଭୂତ ହେବ। ରୁରାଲ ମାର୍କେଟିଂ ଆସୋସିଏସନ ଅଫ ଇଣ୍ଡିଆର ପ୍ରତିଷ୍ଠାତା ସଦସ୍ୟ ଏବଂ ମାର୍ଟ ଗ୍ଲୋବାଲ ମ୍ୟାନେଜମେଣ୍ଟ ସଲ୍ୟୁସନ୍ସର ପ୍ରତିଷ୍ଠାତା ପ୍ରଦୀପ କଶ୍ୟପ କହିଛନ୍ତି, ଚଳିତବର୍ଷ କୃଷି ଉତ୍ପାଦନ ଆଶାନୁରୂପ ହେଲେ ମଧ୍ୟ ଗତବର୍ଷ ଭଳି ଚଳିତ ବର୍ଷ ଏହି କ୍ଷେତ୍ର ଅର୍ଥନୀତି ପାଇଁ ବିଶେଷ ସହାୟକ ହେବନାହିଁ। ଗତବର୍ଷ ନିଜ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ନିକଟରେ ସଂଚିତ ଅର୍ଥ ଥିବାରୁ ଗ୍ରାମାଞ୍ଚଳରେ ଚାହିଦା ଅପରିବର୍ତ୍ତିତ ରହିଥିଲା ଏବଂ ତାହା ସମୁଦାୟ ଅର୍ଥନୀତି ପାଇଁ ସହାୟକ ହୋଇଥିଲା। କିନ୍ତୁ ଚଳିତ ବର୍ଷ ପ୍ରବାସୀ ଶ୍ରମିକଙ୍କ ନିକଟରେ ଆଉ ସଂଚିତ ଅର୍ଥ ନାହିଁ। ସରକାରଙ୍କ ପକ୍ଷରୁ ମାଗଣା ଖାଦ୍ୟ ଏବଂ ପିଏମ କିଷାନ ଅର୍ଥ ପ୍ରଦାନ ସାମୟିକ ଆଶ୍ୱସ୍ତି ଦେଇପାରେ। କିନ୍ତୁ ଅଧିକାଂଶ ମଧ୍ୟମ ବର୍ଗ ଚିକିତ୍ସା ବାବଦରେ ଚଳିତ ବର୍ଷ ବିପୁଳ ଅର୍ଥ ଖର୍ଚ୍ଚ କରିଥିବାରୁ ସେମାନଙ୍କ ନିକଟରେ ଅର୍ଥାଭାବ ରହିବ ଏବଂ ତାହା ଚାହିଦାକୁ ପ୍ରଭାବିତ କରିବ। ତେବେ ପରିସ୍ଥିତି ପ୍ରତି ନଜର ରଖାଯାଇଥିବା କହିଛନ୍ତି ଅର୍ଥ ମନ୍ତ୍ରଣାଳୟର ଜଣେ ତୁଙ୍ଗ ଅଧିକାରୀ।

kalyan agarbati

Comments are closed.