ଅସହାୟ ପୁଲିସ, ଆତଙ୍କିତ ଜନତା : କମୁଛି ଲୋକବଳ, ଅପରାଧୀ ସକ୍ରିୟ

ଭୁବନେଶ୍ୱର : ରାଜଧାନୀ ଏବଂ ଏହାର ଉପକଣ୍ଠରେ କିଛିଦିନ ହେବ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ ଆରମ୍ଭ କାଳରେ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ କଟକଣା ଯୋଗୁଁ ଅପରାଧ ଆଶାତୀତ ଭାବେ ହ୍ରାସ ପାଇଥିଲା। ତେବେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ପରେ ଅପରାଧ ବଢ଼ିଚାଲିଛି। ଦୁଇ ମାସ ହେବ ଲୁଟ୍‍ପାଟ୍‍ ହଠାତ୍‍ ବଢ଼ିଯାଇଛି। ରାଜଧାନୀରେ ସକାଳୁ ହେଉ ବା ରାତି ମହିଳାଙ୍କ ବେକରୁ ଦୁର୍ବୃତ୍ତ ସୁନାଚେନ୍‍ ଝାମ୍ପି ନେଉଛନ୍ତି। ସିନ୍ଧି ଚୋର ମାତିଛନ୍ତି। ଦିନ ଦ୍ବିପହରରେ ଦୁର୍ବୃତ୍ତ ବ୍ୟାଙ୍କ ଭିତରେ ପଶି ବନ୍ଧୁକ ମୁନରେ ଲୁଟ୍‍ କରୁଛନ୍ତି। ଏଟିଏମ୍‍ କାଟି ଲୁଟି ନେଇଛନ୍ତି। ସେପ୍ଟେମ୍ବରରେ କମିସନରେଟ ପୁଲିସର ଶତାଧିକ କର୍ମଚାରୀ କୋଭିଡରେ ସଂକ୍ରମିତ ହୋଇପଡ଼ିଥିଲେ। ପ୍ରାୟ୯ଟି ଥାନାର ଇନ୍ସପେକ୍ଟର ସଂକ୍ରମିତ ହୋଇଥିଲେ। ପୁଲିସ ସଂଖ୍ୟା କମିବା କାରଣରୁ ଅପରାଧ ନିୟନ୍ତ୍ରଣ ବାଧାପ୍ରାପ୍ତ ହୋଇଥିବା କୁହାଯାଉଛି।

କମିସନରେଟ ପୁଲିସର ଭୁବନେଶ୍ୱର ସହରାଞ୍ଚଳ ଜିଲା ପୁଲିସର ସଂକ୍ରମଣ ଓଡ଼ିଶା ପୁଲିସ ତୁଳନାରେ ଅଧିକ ବୋଲି ଏକ ଆକଳନରୁ ଜଣାପଡ଼ିଛି। ଓଡ଼ିଶା ପୁଲିସର ଅକ୍ଟୋବର ସୁଦ୍ଧା ସଂକ୍ରମଣ ସଂଖ୍ୟା ୭୦୦୦ ଟପିଥିବା ବେଳେ କମିସନରେଟ ପୁଲିସର କେବଳ ଭୁବନେଶ୍ୱର ଜିଲାରେ ସଂକ୍ରମଣ ୭୦୩ ଥିବା ଜଣାପଡ଼ିଛି। ଓଡ଼ିଶା ପୁଲିସ କର୍ମଚାରୀଙ୍କ ତୁଳନାରେ ଭୁବନେଶ୍ୱର ସହରାଞ୍ଚଳ ଜିଲା ପୁଲିସର ସଂକ୍ରମଣ ହାର ୧୦ ଭାଗରୁ ଏକ ଭାଗ।

କମିସନରେଟ ପୁଲିସ ପାଇଁ ବଡ଼ ସମସ୍ୟା ହେଉଛି ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ। କୋଭିଡ ସମୟରେ ଏହା ଅଧିକ ଜଟିଳ ହୋଇପଡ଼ିଥିଲା। ତଥାପି ପୁଲିସ ପାଇଁ ଲୋକବଳ ଅଭାବ ମୁଖ୍ୟ ସମସ୍ୟା ହୋଇଛି। ଭୁବନେଶ୍ୱର ସହରାଞ୍ଚଳ ଅଧୀନରେ ଥିବା ୧୯ରୁ ଅଧିକ ଥାନାରେ ଯେତେ ପଦ ରହିଛି, ତାହା ଏ ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ। ଥାନା ପ୍ରତିଷ୍ଠା ସମୟରେ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ପଦ ସୃଷ୍ଟି କରାଯାଇଥିଲା। ଏବେ ସବୁ ଥାନା ଅଞ୍ଚଳରେ ଜନସଂଖ୍ୟା ପ୍ରାୟ ଦେଢ଼ଗୁଣ ପାଖାପାଖି ବଢ଼ି ଗଲାଣି। ଏହାକୁ ଦୃଷ୍ଟିରେ ରଖି ଖଣ୍ଡଗିରି ଥାନା ପରିସୀମାକୁ ହ୍ରାସ କରାଯାଇ ଭରତପୁରରେ ଏକ ଥାନା ପ୍ରତିଷ୍ଠା କରିବାକୁ କମିସନରେଟ ପୁଲିସକୁ ଗୃହ ବିଭାଗ ଅନୁମତି ଦେଇଛି। ନୂତନ ଥାନା ପାଇଁ ମଧ୍ୟ ପଦ ମଞ୍ଜୁର କରାଯାଇଛି। ହେଲେ ଲୋକବଳ ଏବଂ ସ୍ୱତନ୍ତ୍ର ଗୃହ ନ ଥିବାରୁ ଥାନା କାର୍ଯ୍ୟାରମ୍ଭ େହାଇନାହିଁ। ଥାନାରେ ମଞ୍ଜୁରିପ୍ରାପ୍ତ ପଦ ପୂରଣ ହୋଇପାରୁ ନାହିଁ। ଜନସଂଖ୍ୟା ଦୃଷ୍ଟିରୁ ପଦ ସଂଖ୍ୟା ବୃଦ୍ଧି କରାଯାଉ ନାହିଁ। ଏଭଳି ପରିସ୍ଥିତିରେ ଆଇନଶୃଙ୍ଖଳା ସହିତ ଅପରାଧ ନିୟନ୍ତ୍ରଣ ପୁଲିସ ପାଇଁ ଏକ ଆହ୍ୱାନ ହୋଇଛି ବୋଲି ପୁଲିସ କମିସନର କହିଛନ୍ତି। ଏବେ କମିସନରେଟ ପୁଲିସରେ ଇନ୍ସପେକ୍ଟରସ୍ତରରେ ମଞ୍ଜୁର ପଦ ସଂଖ୍ୟା ୩୩ ଥିବା ବେଳେ ୪ ପଦ ଖାଲି ପଡ଼ିଛି। ସେହିପରି ସବ୍‍ଇନ୍ସପେକ୍ଟରସ୍ତରରେ ୧୯୦ ପଦରୁ ୬୦ଟି, ମଞ୍ଜୁରି ପାଇଥିବା ୧୮୦ ଏଏସ୍‍ଆଇ ପଦରୁ ୪୦, ଥାନାସ୍ତରରେ ୧୮୬ ହାବିଲ୍‍ଦାରରୁ ୨୪ ଖାଲିପଡ଼ିଥିବାବେଳେ ୧୫୬୦ କନଷ୍ଟେବଳ ପଦରୁ ୬୫ ଖାଲି ପଡ଼ିଛି।

କେଉଁ ଥାନାରେ କେତେ ପଦ ଖାଲି
କ୍ୟାପିଟାଲ୍‍: ମଞ୍ଜୁର ପଦ-୧୪୪, ଖାଲି ପଡ଼ିଛି-୩୨
ଖାରବେଳନଗର: ମଞ୍ଜୁର ପଦ- ୧୪୦, ଖାଲି ପଡ଼ିଛି-୩୫
ସହିଦନଗର: ମଞ୍ଜୁର ପଦ – ୧୧୩, ଖାଲି ପଡ଼ିଛି-୨୯
ବଡ଼ଗଡ଼: ମଞ୍ଜୁର ପଦ – ୭୬ , ଖାଲି ପଦ ନାହିଁ
ତମାଣ୍ଡୋ: ମଞ୍ଜୁର ପଦ- ୩୫, ଖାଲି ପଦ ନାହିଁ
ନୂଆପଲ୍ଲୀ: ମଞ୍ଜୁର ପଦ- ୭୯
ମଞ୍ଚେଶ୍ୱର: ମଞ୍ଜୁର ପଦ- ୬୦, ଅଛନ୍ତି-୭୬
ଲକ୍ଷ୍ମୀସାଗର: ମଞ୍ଜୁର ପଦ- ୭୦
ଏୟାରପୋର୍ଟ: ମଞ୍ଜୁର ପଦ- ୧୨, ଖାଲି ଅଛି -୫
ଚନ୍ଦ୍ରଶେଖରପୁର : ମଞ୍ଜୁର ପଦ- ୫୬, ଖାଲି ପଡ଼ିଛି-୨୩

ମତାମତ:

ଡ. ସୁଧାଂଶୁ ଷଡ଼ଙ୍ଗୀ, ପୁଲିସ କମିସନର

ରାଜଧାନୀରେ ପ୍ରତ୍ୟେକ ଦିନ ହାରାହାରି ୨୫ରୁ ୩୦ ଅପରାଧ ଘଟୁଛି। ଅପରାଧ ନିୟନ୍ତ୍ରଣରେ ରଖିବାକୁ ହେଲେ ଭିତ୍ତିଭୂମି ସୁଦୃଢ଼ କରାଯିବା ଜରୁରୀ। ସିସିଟିଭି ସର୍ଭେଲାନ୍ସ, ସହରର ପ୍ରମୁଖ ଛକ ଏବଂ ସ୍ଥାନରେ ୨୪ ଘଣ୍ଟିଆ ପହରା ଦରକାର। ସମ୍ପୂର୍ଣ୍ଣ ସହରକୁ ସିସିଟିଭି ଲଗାଇବା ପାଇଁ ଯେଉଁ ସ୍ମାର୍ଟସିଟି ପ୍ରକଳ୍ପ ଆରମ୍ଭ ହୋଇଥିଲା ତାହା ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏହା ସହିତ ଲୋକବଳ ଅନ୍ୟ ଏକ ଆହ୍ୱାନ। ଗଳିକନ୍ଦିରେ ବିଟ୍‍ ପାଟ୍ରୋଲିଂର ଆବଶ୍ୟକତା ରହିଛି। ଭୁବନେଶ୍ୱର ସହରାଞ୍ଚଳକୁ ଦୁଇଟି ଭାଗରେ ବିଭକ୍ତ କରାଯିବା ଲାଗି ଏକ ପ୍ରସ୍ତାବ ରହିଛି। ଦୁଇଜଣ ଡିସିପି ନିୟୋଜିତ ହେଲେ ଏହା ମଧ୍ୟ ଅନେକାଂଶରେ ସମସ୍ୟା ହ୍ରାସ କରିପାରିବ। ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣକୁ ବି ଅଲଗା କରାଯିବା ଦରକାର। ଏହାଦ୍ୱାରା ଅପରାଧ ତଦନ୍ତ ଏବଂ ନିୟନ୍ତ୍ରଣ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇପାରିବ।

ସଞ୍ଜୀବ ମାରିକ, ପୂର୍ବତନ ଡିଜିପି

ରାଜଧାନୀରେ ଗତ କିଛି ମାସ ଧରି ବୃଦ୍ଧି ପାଉଥିବା ଅପରାଧ ପଛରେ ନିଶା କାରବାର, ବେକାରୀ ସମସ୍ୟା ଓ ପୁଲିସର ଲୋକବଳ ଅଭାବ ପ୍ରାୟତଃ ଦାୟୀ। ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ଫଳରେ ଅନେକ ଗରିବ ଲୋକ ରୋଜଗାର ହରାଇଛନ୍ତି। ଅଧିକାଂଶ ଦୈନନ୍ଦିନ ଅଭାବ ପୂରଣ ଲାଗି ଅପରାଧର ପନ୍ଥା ବାଛି ନେଇଛନ୍ତି। ନିଶା କାରବାର ବଢ଼ିଲେ ଏହାର ପ୍ରତ୍ୟକ୍ଷ ପ୍ରଭାବ ଅପରାଧ ଉପରେ ପଡ଼ିଥାଏ। ନିଶା କାରବାରକୁ ରୋକାଯିବା ସହିତ ପୁଲିସ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବା ଦରକାର।

ଦୁର୍ଗାମାଧବ ମିଶ୍ର, ଆଇନଜୀବୀ

କମିସନରେଟ ପୁଲିସରେ ଲୋକବଳ ଅଭାବ ଯୋଗୁଁ ଅପରାଧ ବଢୁଛି। କମ୍‌ସଂଖ୍ୟକ ଅଫିସରଙ୍କୁ ନେଇ ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ କରିବା ସମ୍ଭବ ହେଉନି। ତେଣୁ ପ୍ରଥମେ ଲୋକବଳ ବଢ଼ାଇବାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ କମିସନରେଟ ପୁଲିସ ଯେତେଗୁଡ଼ିଏ ଯୋଜନା ଆରମ୍ଭ କରୁଛି ତାହାକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରିବା ଦରକାର।

Comments are closed.