www.samajalive.in
Monday, December 8, 2025
27.1 C
Bhubaneswar

ୟୁଏସ୍‌ ଓପନ୍‌ : ଦ୍ବିତୀୟ ରାଉଣ୍ଡରେ ସୁମିତ, ୭ ବର୍ଷ ପରେ ଗ୍ରାଣ୍ଡସ୍ଲାମ୍‍ରେ ସିଙ୍ଗଲ୍‍ସ ମ୍ୟାଚ୍‍ ଜିତିବାରେ ପ୍ରଥମ ଭାରତୀୟ

ନ୍ୟୁୟର୍କ: ଗତ ୭ ବର୍ଷରେ ଏକ ଗ୍ରାଣ୍ଡସ୍ଲାମ୍‍ ଟେନିସ୍‍ ଟୁର୍ଣ୍ଣାମେଣ୍ଟରେ ଏକ ସିଙ୍ଗଲ୍‍ସ ମ୍ୟାଚ୍‍ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ସୁମିତ ନାଗଲ। ମଙ୍ଗଳବାର ରାତିରେ ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ୍‍ ଟେନିସ ୟୁଏସ୍‍ ଓପନ୍‍ରେ ଖେଳା ଯାଇଥିବା ପୁରୁଷ ସିଙ୍ଗଲ୍‍ସର ପ୍ରଥମ ରାଉଣ୍ଡ ମ୍ୟାଚ୍‍ରେ ସୁମିତ ଆମେରିକାର ବ୍ରାଡ୍‍ଲି କ୍ଲାନ୍‍ଙ୍କୁ ୪ଟି ସେଟ୍‍ର କଡ଼ା ମୁକାବିଲା ପରେ ୬-୧, ୬-୩, ୩-୬, ୫-୧ ସେଟ୍‍ରେ ପରାସ୍ତକରି ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୨ ଘଣ୍ଟା ୧୨ ମିନିଟ ସମୟ ନେଇ ସୁମିତ ଏହି ମ୍ୟାଚ୍‍ ଜିତି ନେଇଥିଲେ।
ଭାରତର ୧ନଂ ପୁରୁଷ ସିଙ୍ଗଲ୍‍ସ ଖେଳାଳି ସୁମିତ ନାଗଲ ଗତବର୍ଷ ୟୁଏସ୍‍ ଓପନ୍‍ର ପ୍ରଥମ ରାଉଣ୍ଡରେ ଟେନିସ୍‍ ଇତିହାସରେ ବିଶ୍ୱର ସଫଳତମ ଖେଳାଳି ସ୍ୱିଜରଲାଣ୍ଡର ରଜର ଫେଡେରରଙ୍କ ବିରୋଧରେ ଏକ ସେଟ୍‍ ଜିତି ଲୋକଲୋଚନକୁ ଆସିଥିଲେ। ଗୁରୁବାର ରାତିରେ ୨ୟ ରାଉଣ୍ଡ ମ୍ୟାଚ୍‍ରେ ସୁମିତ ବିଶ୍ୱର ୩ନଂ ଖେଳାଳି ଅଷ୍ଟ୍ରିଆର ଡେଭିଡ୍‍ ଥିଏମ୍‍ଙ୍କ ମୁକାବିଲା କରିବେ। ସୂଚନାଯୋଗ୍ୟ; ୭ ବର୍ଷ ତଳେ ଏକ ଗ୍ରାଣ୍ଡସ୍ଲାମ୍‍ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍‍ସରେ ପ୍ରଥମ ରାଉଣ୍ଡ ମ୍ୟାଚ୍‍ ଜିତିଥିଲେ ଭାରତର ସୋମଦେବ ଦେବବର୍ମନ। ୨୦୧୩ ଫ୍ରେଞ୍ଚ୍‍ ଓପନ୍‍ର ପ୍ରଥମ ରାଉଣ୍ଡରେ ସୋମଦେବ ଚେକ୍‍ ରିପବ୍ଲିକ୍‍ର ଲ୍ୟୁକାସ୍‍ ଲାକୋଙ୍କୁ ପରାସ୍ତ କରିଥିଲେ। ୨ୟ ରାଉଣ୍ଡରେ ଆଣ୍ଡ୍ରିଆସ୍‍ ସେପିଙ୍କଠାରୁ ସୋମଦେବ ପରାସ୍ତ ହୋଇଥିଲେ। ୨୦୧୩ରେ ମଧ୍ୟ ସୋମଦେବ ଆଉ ୨ଟି ଗ୍ରାଣ୍ଡସ୍ଲାମ୍‍ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆନ୍‍ ଓପନ୍‍ ଓ ୟୁଏସ୍‍ ଓପନ୍‍ର ୨ୟ ରାଉଣ୍ଡରେ ମଧ୍ୟ ପ୍ରବେଶ କରିଥିଲେ। ସେ ୨୦୧୧ରେ ୱିମ୍ବଲଡନ୍‍ ଓ ୨୦୦୯ରେ ୟୁଏସ୍‍ ଓପନ୍‍ ୨ୟ ରାଉଣ୍ଡରେ ପହଞ୍ଚିଥିଲେ। ଏଠାରେ ୨ୟ ରାଉଣ୍ଡରେ ପହଞ୍ଚିଥିବାରୁ ସୁମିତ ନାଗଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସୋମଦେବ। ୟୁଏସ୍‍ ଓପନ୍‍ର ପ୍ରଥମ ରାଉଣ୍ଡ ମ୍ୟାଚ୍‍ ଜିତିବା ଫଳରେ ସୁମିତ ୧ ଲକ୍ଷ ଡଲାର (ପ୍ରାୟ ୭୩ ଲକ୍ଷ ଟଙ୍କା) ପାଇବା ନିଶ୍ଚିତ ହୋଇଯାଇଛି। ୨ୟ ରାଉଣ୍ଡରେ ଥିଏମ୍‍ଙ୍କ ବିପକ୍ଷ ମ୍ୟାଚ୍‍ରେ ତାଙ୍କର କିଛି ହରାଇବାର ନାହିଁ ବୋଲି ସୁମିତ କହିଛନ୍ତି।

ସେହିପରି ୟୁଏସ୍‌ ଓପନ୍‌ର ଅନ୍ୟ ପ୍ରଥମ ରାଉଣ୍ଡ ପୁରୁଷ ସିଙ୍ଗଲ୍‌ସ ମ୍ୟାଚ୍‌ରେ ଆଣ୍ଡି ମୁରେ ୪-୬, ୪-୬, ୭-୬, ୭-୬, ୬-୪ ସେଟ୍‌ରେ ନିଶିଓକାଙ୍କୁ, ମେଡଭେଦେଭ ୬-୧,୬-୨, ୬-୪ ସେଟ୍‌ରେ ଡେଲ୍‌ବୋନିସ୍‌ଙ୍କୁ, ଡୋମିନିକ୍‌ ଥିଏମ୍‌ ୭-୬, ୬-୩ ସେଟ୍‌ରେ ମୁନାରଙ୍କୁ ଓ ଡିମିଟ୍ରୋଭ୍‌ ୬-୪, ୬-୩, ୬-୧ ସେଟ୍‌ରେ ପଲ୍‌ଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍‌ସ ପ୍ରଥମ ରାଉଣ୍ଡରେ ସେରେନା ୱିଲିୟମ୍‌ସ ୭-୫, ୬-୩ ସେଟ୍‌ରେ କେ.ଆନ୍‌ଙ୍କୁ, କିଇଜ୍‌ ୬-୧, ୬-୧ ସେଟ୍‌ରେ ଟି.ବାବୋସ୍‌ଙ୍କୁ ଓ ଆଲେକ୍‌ଜା​‌େ​‌ଣ୍ଡ୍ରାଭା ୩-୬, ୭-୫, ୬-୧ ସେଟ୍‌ରେ କ୍ଲାଇଷ୍ଟର୍ସଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories