ଧାମରା: ଧାମରା ନିକଟସ୍ଥ ବାଂଶଡା ପଞ୍ଚାୟତରେ ଶୁକ୍ରବାର ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପଟରେ ସରପଞ୍ଚ ଏବଂ ସମିତିସଭ୍ୟଙ୍କ ଶପଥ ଗ୍ରହଣ ଉତ୍ସବ ସାଙ୍ଗକୁ ଅନ୍ୟପଟେ ଜିତିଥିବା ୱାର୍ଡମେମ୍ବରଙ୍କୁ ଅନ୍ୟ ଦଳର ଲୋକେ ଅପହରଣ କରି ନେଇଥିବା ଅଭିଯୋଗ କରି କଂଗ୍ରେସ ଦଳ ପକ୍ଷରୁ ବାଂଶଡା ଥାନା ଘେରାଉ ହୋଇଛି।
ଘଟଣାରୁ ପ୍ରକାଶ, ଏହି ପଂଚାୟତରେ ଚଳିତ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ସରପଞ୍ଚ ଏବଂ ସମିତିସଭ୍ୟ ଜିତିଥିବା ବେଳେ ଆଜି ସରପଞ୍ଚ ଏବଂ ସମିତିସଭ୍ୟଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଏହି ପଂଚାୟତରେ ସମୁଦାୟ ୧୨ଟି ୱାର୍ଡ ଥିବା ବେଳେ ୧୧ଟି ୱାର୍ଡରେ ୱାର୍ଡମେମ୍ବର ନିର୍ବାଚିତ ହୋଇସାରିଥିବା ବେଳେ ଅନ୍ୟ ଏକ ୱାର୍ଡ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିଲା। ମାତ୍ର ସେହି ୱାର୍ଡରେ କେହି ଆଦିବାସୀ ପ୍ରାର୍ଥୀ ନଥିବାରୁ ସେହି ୱାର୍ଡରେ ଆଜି ପର୍ଯ୍ୟନ୍ତ ୱାର୍ଡମେମ୍ବର ଭୋଟ ହୋଇ ପାରିନାହିଁ। ଏହି ୧୧ଟି ୱାର୍ଡ ମଧ୍ୟରୁ କଂଗ୍ରେସ ଦଳ ୫ଟି ୱାର୍ଡମେମ୍ବର ପ୍ରାର୍ଥି ଜିତିଥିବା ବେଳେ ବିଜେଡ଼ି ପକ୍ଷରୁ ୬ଟି ୱାର୍ଡ ମେମ୍ବର ଜିତିଥିଲେ। ଏହି ପଂଚାୟତରେ ଆଜି ନାଏବ ସରପଞ୍ଚ ଗଠନ ହେବାର ଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ୧୦ ନଂ ୱାର୍ଡରେ ଜିତିଥିବା ଚନ୍ଦନ ମହାଳିକଙ୍କୁ କେହି ଅପହରଣ କରି ନେଇଥିଲେ। ଏ ନେଇ ଚନ୍ଦନ ମହାଳିକଙ୍କ ସ୍ତ୍ରୀ ମଧୁଛନ୍ଦା ମହାଳିକ ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ବାଂଶଡା ଥାନାରେ ୧୦୩ ନଂରେ ଏକ ମାମଲା ରୁଜୁ ହୋଇଛି। ମାତ୍ର ଲିଖିତ ଅଭିଯୋଗ ପରେ କଥା ସରି ନଥିଲା। କଂଗ୍ରେସ ଦଳ ପକ୍ଷରୁ ବାଂଶଡା ଥାନାକୁ ଘେରାଉ କରିବା ସହ ତୁରନ୍ତ ଚନ୍ଦନ ମହାଳିକଙ୍କୁ ଫେରାଇ ଆଣିବାକୁ ଦାବୀ ଜଣାଇବା ସହ ଥାନା ଆଗରେ ଶତାଧିକ ପୁରୁଷ ଏବଂ ମହିଳା ଧାରଣାରେ ଦୀର୍ଘ ସମୟ ଧରି ବସିରହିଥିଲେ। ମାତ୍ର ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଧାରଣା ଅବ୍ୟାହତ ରହିଥିଲା।
ଅନ୍ୟ ପକ୍ଷରେ ବାଂଶଡା ପଂଚାୟତ ଅଫିସରେ ବିଜେଡ଼ି ପକ୍ଷରୁ ୬ଜଣ ୱାର୍ଡମେମ୍ବର ଆସି ଦସ୍ତଖତ କରିଥିବା ବେଳେ କୋରମ ଅଭାବରୁ ନାଏବ ସରପଂଚ ଗଠନ ହୋଇ ପାରି ନଥିଲା। ନାଏବ ସରପଞ୍ଚ ଗଠନ ପାଇଁ ମ୍ୟାଜିକ ସଂଖ୍ୟା ୭ ଆବଶ୍ୟକ ଥିବା କଥା ପଂଚାୟତ ନିର୍ବାହୀ ଅଧିକାରୀ ପିଜୁସ କାନ୍ତି ଦାସ ମତ ରଖିଥିବା ବେଳେ ନାଏବ ସରପଞ୍ଚ ଗଠନ ହୋଇ ପାରି ନଥିଲା। ଅନ୍ୟ ପକ୍ଷରେ ଖବର ଲେଖା ହେବା ପର୍ଯ୍ୟନ୍ତ ଦୀର୍ଘ ସମୟ ହେବ କଂଗ୍ରେସ ପକ୍ଷରୁ ବାଂଶଡା ଥାନା ଆଗରେ ଧାରଣା ଅବ୍ୟାହତ ହୋଇ ରହିଛି।



