ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଇଷ୍ଟ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରି ଲୋକସେବା ଭବନସ୍ଥ ନିଜ କାର୍ଯ୍ୟାଳୟରୁ କାର୍ଯ୍ୟାରମ୍ଭ କରିଛନ୍ତି। ଏହି ଅବସରରେ ଉଭୟ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନାପୂର୍ବକ କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଫାଇଲରେ ଦସ୍ତଖତ କରି ମନ୍ତ୍ରଣାଳୟ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତିା ମନ୍ତ୍ରୀମଣ୍ଡଳ ଗଠିତ ହେବା ପରେ ଉପ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅସ୍ଥାୟୀ ଭାବେ କୃଷି ଭବନରେ ଚାଲୁଥିଲା।
ଏଣିକି ବିଭାଗର ସମସ୍ତ କାର୍ଯ୍ୟ ଲୋକସେବା ଭବନ କାର୍ଯ୍ୟାଳୟରୁ ପରିଚାଳିତ ହେବା ଉଭୟ ବିଭାଗର ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଅଭିବାଦନ ଜଣାଇଥିଲୋ ମନ୍ତ୍ରୀ ଉଭୟ ବିଭାଗର ଅଧିକାରୀଙ୍କ ସହ ସମ୍ପୃକ୍ତ ବିଭାଗଗୁଡ଼ିକର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଭାଗକୁ ଲୋକାଭିମୁଖୀ କରି ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସିଂହଦେଓ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।



